ହାଇସ୍କୁଲରେ ପୂଜ୍ୟପୂଜା ଓ ମେଧା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଉତ୍ସବ
ହାଟଡିହି, (ଓ୍ବାଇଏନଏସ): ପବିତ୍ର ଗୁରୁଦିବସ ଅବସରରେ ହାଟଡିହି ହାଇସ୍କୁଲ ପରିସରରେ ପୂଜ୍ୟପୂଜା ଓ ମେଧାବୀ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ଉତ୍ସବ ଆନନ୍ଦ ଓ ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ରଞ୍ଜନ କୁମାର ଘଡେଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ପୂର୍ବତନ ଶିକ୍ଷକ ନରେନ୍ଦ୍ର ପ୍ରସାଦ କର ମୁଖ୍ୟ ଅତିଥି, ପୁରାତନ ଛାତ୍ର ତଥା କୃଷିମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡ. ଗଣେଶ୍ୱର ଜେନା ସ୍ୱତନ୍ତ୍ର ଅତିଥି ଏବଂ ବିଡିଓ ରଞ୍ଜନ କୁମାର ପରିଡ଼ା, ତହସିଲଦାର ସଞ୍ଜୟ ସାମନ୍ତରାୟ ଓ ପୂର୍ବତନ ବିଧାୟକ ମାୟାଧର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ଗୁରୁଦିବସର ମହତ୍ତ୍ୱ ତଥା ଭାରତୀୟ ସଂସ୍କୃତିରେ ପୂଜ୍ୟପୂଜାର ପରମ୍ପରା ସମ୍ପର୍କରେ ଆଲୋକପାତ କରିବା ସହ ବିଦ୍ୟାଳୟର ଗୌରବମୟ ଅତୀତ ଓ ଶିକ୍ଷାଦାନ ପରମ୍ପରାକୁ ମନେ ପକାଇଥିଲେ। ଏହି ଅବସରରେ ପୂର୍ବତନ ଶିକ୍ଷକ ନରହରି ପାଢ଼ୀ, ବ୍ରଜ କିଶୋର ତ୍ରିପାଠୀ, କେଶବ ଚନ୍ଦ୍ର ସାହୁ, ସୂର୍ଯ୍ୟମଣୀ ରାଉତ, ଚିନ୍ତାମଣି ପାଣିଗ୍ରାହୀ, ତ୍ରିଲୋଚନ ଜେନା, ମଞ୍ଜୁଲତା ନାୟକ, ଉଷାରାଣୀ ଦେବତା, ମଧୁସୂଦନ ଜେନା, ରତ୍ନାକର ପଣ୍ଡା, ଶିଶିର କୁମାର କର, ଅଶୋକ କୁମାର ଜେନା, ଲକ୍ଷ୍ମୀଧର ପରିଡ଼ା, ମହେନ୍ଦ୍ର କୁମାର ଜେନା, ପୁରାତନ ଛାତ୍ର ଡାକ୍ତର ଗୌରଚନ୍ଦ୍ର ଜେନା, ସ୍କୁଲ ପରିଚାଳନା କମିଟି ସଭାପତି ଜଗତ ଜୀବନ ରାମ ଓ ଗୋଲାମ ଦେବତା ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ଗୌରବମୟ ଅଧ୍ୟାୟ ସମ୍ପର୍କରେ ନିଜ ଅନୁଭୂତି ବ୍ୟକ୍ତ କରିଥିଲେ। ପୁରାତନ ଛାତ୍ର ତଥା କୃଷିମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡ. ଗଣେଶ୍ୱର ଜେନା ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଛାତ୍ରଛାତ୍ରୀଙ୍କ ପକ୍ଷରୁ ଗୁରୁବନ୍ଦନା ପାଠ କରାଯିବା ସହ ଗୁରୁପୂଜା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ଦିବଙ୍ଗତ ପୂର୍ବତନ କ୍ରୀଡ଼ା ଶିକ୍ଷକ ଲକ୍ଷ୍ମୀଧର ପହିଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା। ଶିକ୍ଷୟିତ୍ରୀ ଅନିତା ବେହେରା ମଞ୍ଚ ସଂଯୋଜନା କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ପ୍ରମୋଦ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ବହୁ ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ଏବଂ ସ୍କୁଲ ପରିଚାଳନା କମିଟିର ସଦସ୍ୟ-ସଦସ୍ୟା ଯୋଗଦେଇଥିଲେ।


