ପୋଲିସକୁ ସଙ୍ଘବଦ୍ଧ ଆକ୍ରମଣ ଘଟଣାରେ ପୁଣି ଜଣେ ଗିରଫ ମାଷ୍ଟରମାଇଣ୍ଡ ଓ ଅନ୍ୟମାନେ ଫେରାର ଅଛନ୍ତି
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଅଡବା ଥାନା ପୋଲିସକୁ ଗତ ୧୪ ତାିରିଖ ବିଳମ୍ବିତ ରାତ୍ରରେ ସଙ୍ଘବଦ୍ଧ ଆକ୍ରମଣ କରିଥିବା ଘଟଣାରେ ଆଜି ପୁଣି ଜଣେ ଗିରଫ ହୋଇଛି । ଗତକାଲି୨ଜଣ ମହିଳା ସମେତ ୧୩ଜଣ ଗିରଫ ହୋଇଥିଲେ । ମୋଟ ୧୪ଜଣ ଆଜି ସୁଦ୍ଧା ଗିରଫ ହୋଇଥିବା ବେଳେ ମାଷ୍ଟରମାଇଣ୍ଡଙ୍କ ସହ ଅନ୍ୟମାନେ ଫେରାର ଥିବା ପୋଲିସ ସୁଚନା ଦେଇଛି । ଘଟଣାରୁ ପ୍ରକାଶ ଗତ ୧୪ ତାରିଖ ବିଳମ୍ବିତ ରାତ୍ରରେ ବିରିକୋଟ ଗ୍ରାମର ବ୍ରିଜ ନିକଟରେ ଦେଶୀମଦ ଚୋରା ଚାଲାଣ କରାଯାଉଥିବା ଖବର ଅଡବା ଥାନା ପୋଲିସ ଠାରେ ପହଞ୍ଚିଥିଲା । ଗଜପତି ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଜିପ୍ରେ ଜଣେ ଏସଆଇ,୨ଜଣ ମହିଳା ଏବଂ ୩ଜଣ ପୁରୁଷ କନେଷ୍ଟେବଲ୍ ,ଜଣେ ଗ୍ରାମରକ୍ଷୀ ଏବଂ ଡ୍ରାଇଭର ବିରିକୋଟ ଗ୍ରାମର ବ୍ରିଜ ନିକଟରେ ପହଞ୍ଚି ଥିଲେ । ସେଠାରେ ୪ଗୋଟି ବ୍ୟାରେଲରେ ୮୦ ଲିଟର ଦେଶୀମଦ ଚାଲାଣ ପାଇଁ ପ୍ରସ୍ତୁତ ଥିଲା ଏବଂ ସେଠାରେ ୮ଜଣ ଚୋରାଚାଲାଣକାରୀ ଉପସ୍ଥିତ ଥିଲେ । ପୋଲିସ ଦେଶୀମଦ ଚାଲାଣକୁ ବାରଣ କରିବାରୁ ଏହି ବ୍ୟକ୍ତିମାନେ ପାଟି କରି ଗ୍ରାମ ଲୋକଙ୍କୁ ଡାକିଥିଲେ । ଏଥିରେ ୬୦ରୁ୭୦ଜଣ ଲୋକ ଆସି ପହଞ୍ଚି ଥିଲେ । ଲୋକେ ପୋଲିସକୁ ବିରୋଧ କରି ଚାରିପଟୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏଥିରେ ସେଠାକୁ ଯାଇଥିବା ସମସ୍ତ ୮ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ପୋଲିସ ଏସଆଇ ଚନ୍ଦନ କୁମାର ଦାସ ଏବଂ କନେଷ୍ଟେବଲ ଦଶରଥୀ ଶବର ଗୁରୁତର ଭାବେ ଆହତ ହୋଇଥିଲେ । ଏ ନେଇ ଅଡବା ଥାନା କେସ ନଂ ୨୭/୨୦ରେ ମାମଲା ରୁଜୁ ହୋଇଛି । ଅଡବା ଥାନା ଆଇଆଇସି ଆଲୋକ ରଞ୍ଜନ ଜଗଦଲ ଆଜି ସୁଚନା ଦେଇଛନ୍ତି,ଗତକାଲି ୧୩ଜଣ ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯାଇଥିଲା । ଆଜି ପୁଣି କିରଣ କୁମାର ନାୟକ (୨୨) ନାମକ ବିରିକୋଟ ଗ୍ରାମ ଖ୍ରୀଷ୍ଟିୟାନ ସାହିର ଜଣକୁ ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯାଇଛି । ଆଜି ସୁଦ୍ଧା ଏଥିରେ ମୋଟ ୧୪ଜଣ ଗିରଫ ହୋଇଛନ୍ତି । ପୋଲିସ ଆକ୍ରମଣ ଘଟଣାର ମୁଖ୍ୟ ଆସାମୀଙ୍କ ସମେତ ଅନ୍ୟମାନଙ୍କୁ ଅତି ତୁରନ୍ତ ଗିରଫ କରାଯିବ ।