ପୌର ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ ଘଟିଲା ଅଭାବନୀୟ ଘଟଣା

ଜାତୀୟ ରାଜପଥ ହିଂଜିଳିକାଟୁ ପୌରାଂଚଳ ବଇଁଚବଣିଆ ଛକ ନିକଟରେ ଜାତୀୟ ରାଜପଥ ଉପରେ ଶୋଇଥିବା ୭ ଟି ଗାଇ ଉପରେ ଏକ ସିମେଂଟ ବୋଝେଇ ଟ୍ରକ(ଏପି୨୪ଟିବି- ୦୩୪୭) ଚଢିଯିବାରୁ ଘଟଣା ସ୍ଥଳରେ ୬ ଟି ଗାଇର ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ଗାଇ ଗୁରୁତର ଆହତ ହୋଇଛି । ଦୂର୍ଘଟଣା ଘଟାଇ ଗାଡ଼ି ଚାଳକ ଗାଡ଼ି ନେଇ ଦୃତ ଗତିରେ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଖବର ପାଇ ପୋଲିସ ସଂପୃକ୍ତ ଗାଡ଼ିର ପିଛା କରି ପିତଳ ଛକ ନିକଟରେ ଗାଡ଼ିକୁ ଅଟକାଇବା ସହ ଗାଡ଼ିକୁ ଜବତ କରି ଚାଳକଙ୍କୁ ଗିରଫ କରିଛି । ଗିରଫ ଚାଳକ ଜଣକ ଆନ୍ଧ୍ରପ୍ରଦେଶ ରାଜ୍ୟ ଶିକାକୁଲମ ଆଲିକମ ଥାନା ଅଂଚଳର କେ. କାମିୟା (୪୬) । ଏ ନେଇ ନଂ- ୧୮୧/୧୯ ରେ ଏକ ମାମଲା ରୁଜୁ କରି ଚାଳକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ଯେ, ୫୯ ନଂ ଜାତୀୟ ରାଜପଥ ହିଂଜିଳିକାଟୁ ପୌରାଂଚଳ ତହସିଲ ଛକ, ବସଷ୍ଟାଣ୍ଡ, ବିଜୁ ପଟ୍ଟନାୟକ ଛକ, ରଜାସାହି ଛକ, ସିନେମାହଲ ଛକ, ମାଣିକନଗର ଛକ, ବଇଁଚବଣିଆ ଛକ ଜାତୀୟ ରାଜପଥ ଉପରେ ପ୍ରତ୍ୟେହ ଗାଇଗୋରୁ ଗୁଡ଼ିକ ଅବାଧରେ ଶୋଇଥାନ୍ତି । ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଯୋଗୁଁ ଗାଇ ମାଲିକ ମାନେ କ୍ଷିର ଦୁହିଁବା ପରେ ଗାଇ ମାନଙ୍କୁ ଏଣେ ତେଣେ ଛାଡ଼ି ଦେଇଥାନ୍ତି । ସ୍ଥାନୀୟ ପୌରାଂଚଳରେ କାଂଜିଆହୁଦା ବ୍ୟବସ୍ଥା ନଥିବାରୁ ଗାଇ ଗୋରୁ ଗୁଡ଼ିକ ସହରର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଅବାଧ ବିଚରଣ କରୁଥିବାରୁ ବହୁ ସମୟରେ ଛୋଟବଡ଼ ଦୂର୍ଘଟଣା ଘଟୁଥିବାର ନଜିର ରହିଛି । ତଥାପି ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ କୌଣସି ସମୟରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଦେଖିବାକୁ ମିଳୁଛି । ଗୁରୁବାର ଭେଗାରରେ ଏଭଳି ଏକ ଦୂର୍ଘଟଣା ଘଟିବା ପରେ ପୌର ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ ଏଭଳି ଏକ ଅଭାବନୀୟ ଘଟଣା ଘଟିଲା ବୋଲି ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ସହର ମଧ୍ରରେ ଅବାଧରେ ବିଚରଣ କରୁଥିବା ଗାଇ ଗୋରୁ ମାନଙ୍କ ଯୋଗୁଁ ପ୍ରତ୍ୟେହ ଛୋଟବଡ଼ ଦୂର୍ଘଟଣା ଘଟୁଥିବାରୁ ଏଥିପ୍ରତି ପୌର ପ୍ରଶାସନ ଦୃଷ୍ଟି ପ୍ରଦାନ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ