‘ପ୍ରଜାପତି’ଅନୁଷ୍ଠାନର ସାହିତ୍ୟ ସମ୍ମାନ ଉତ୍ସବ : ଗଙ୍ଗାଧର ଓ ଅଞ୍ଜନଙ୍କୁ ସାହିତ୍ୟ ସମ୍ମାନ
ବାଲେଶ୍ୱର, (ସରୋଜ ପଣ୍ଡା) :-ଶିକ୍ଷା ଓ ଜ୍ଞାନର ଦିବ୍ୟଦୃଷ୍ଟି ‘ପ୍ରଜାପତି’ ଅନୁଷ୍ଠାନର ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ଅତିଥ୍ୟ ସମ୍ମିଳନୀ କକ୍ଷରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଅବକାରୀ କମିଶନର ଦେବେନ୍ଦ୍ର ମହାପାତ୍ର ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ସୃଜନଶୀଳତାର ପୃଷ୍ଠଭୂମି ସମ୍ପର୍କରେ ଆଲୋକପାତ କରିଥିଲେ । ଶ୍ରଦ୍ଧାଭାବ ସମ୍ପନ୍ନ ମାନସିକତାରୁ ସୃଷ୍ଟ ସାହିତ୍ୟ ସର୍ବଦା ପାଠକଙ୍କ ମନକୁ ଛୁଇଁଥାଏ ବୋଲି ସେ କହିଥିଲେ । ଶ୍ରଦ୍ଧା ଓ ସମ୍ବେଦନଶୀଳତାର ପୃଷ୍ଠଭୂମିରେ ସୃଷ୍ଟି କଳା ସର୍ବଦା କାଳଜୟୀ ହୋଇଥାଏ ବୋଲି ଶ୍ରୀ ମହାପାତ୍ର ମତ ପ୍ରକାଶ କରିଥିଲେ । ପ୍ରଜାପତିର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସ ,ଥିରେ ଅଧ୍ୟକ୍ଷତା କରିବା ସହିତ ପ୍ରଜାପତି ସାହିତ୍ୟ ସମାରୋହ ଓ ସମ୍ବର୍ଦ୍ଧନା ପର୍ବର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ଗାଳ୍ପିକ ଗଙ୍ଗାଧର ବିଶ୍ୱାଳଙ୍କୁ ବାଲେଶ୍ୱର ସାହିତ୍ୟ ସମ୍ମାନ ଓ ବ୍ୟଙ୍ଗକାର ଅଞ୍ଜନ ଚାନ୍ଦଙ୍କୁ ପ୍ରଜାପତି ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧିତ ଅବସରରେ ଉଭୟ ନିଜ ନିଜର ସାହିତ୍ୟ ଜୀବନର ଅନୁଭୂତି ଓ ଅଭିଜ୍ଞତା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ବିଶେଷ କରି ସାହିତ୍ୟ ହିଁ ଜୀବନକୁ ବିକଶିତ କରିବା ସହିତ ସଭ୍ୟ ତଥା ସମୃଦ୍ଧ ସମାଜ ସୃଷ୍ଟିରେ ସହାୟକ ହୋଇଥାଏ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ପ୍ରଜାପତିର ଆବାହକ ବିପ୍ଳବ କୁମାର ଦାସମହାପାତ୍ର ଏଥିରେ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ସମାଜ ବାଲେଶ୍ୱର ଡେସ୍କ ଇନଚାର୍ଜ ଶଶିରଞ୍ଜନ ମଲିକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସଂଯୋଜକ ରାଜେଶ ଗିରିଙ୍କ ସମେତ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ନବଜ୍ୟୋତି ସ୍ୱାଇଁ, ଡାକ୍ତର ଶାନ୍ତନୁ ଦାସ ପ୍ରମୁଖ ଉତ୍ସବ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ସ୍ୱେତଲିସା ଶୁଭଦର୍ଶନୀ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ସରସ୍ୱତୀ ଭୋଇ ଓ ପ୍ରତିମା ତ୍ରିପାଠୀ ଲେଖକୀୟ ଅଭିମତ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଉପସ୍ଥିତ ଲେଖକଙ୍କୁ ପାଠକମାନେ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ ସ୍ୱାଗତ କରିଥିଲେ । ଅମରଜିତ ଦାସ, ପ୍ରାର୍ଥସାରଥୀ ସାହୁ, ନନ୍ଦିତା ନାୟକ ପ୍ରମୁଖ ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।


