ପ୍ରଥମ ଥର ପାଇଁ ଆରମ୍ଭ ହେଲା ଗ୍ରାମ୍ୟଦେବୀଙ୍କ ବୁଢୀଠାକୁରାଣୀ ଯାତ୍ରା

ଗଞ୍ଜାମ, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ସହରର ଓଡ଼ିଆ ଢ଼ାମଣା ସାହି ସ୍ଥିତ ବିଜେ ” ମାଁ ଗ୍ରାମ୍ୟଦେବୀଙ୍କର ପ୍ରଥମ ଥର ପାଇଁ ତିନିଦିନ ବ୍ୟାପୀ ହେବାକୁ ଥିବା ” ଶ୍ରୀ ଶ୍ରୀ ଶ୍ରୀ ବୁଢ଼ୀ ଠାକୁରାଣୀ ଯାତ୍ରା ଆଜିଠାରୁ ଆରମ୍ବ ହୋଇଛି। ଏହି ଉପଲକ୍ଷେ ଆଜି ଏକ କଳସ ଶୋଭଯାତ୍ରା, ଘଟ ପରିକ୍ରମା ଅନୁଷ୍ଠିତ ହୋଇଥିବା ବେଳେ, ଅସ୍ଥାୟୀ ମଣ୍ଡପରେ ବିଜେ ହୋଇଛନ୍ତି ମାଁ। ବିଜେ ହେବାଦିନ ଠାରୁ ମାଁ ଯାତ୍ରା ଅନୁଷ୍ଠିତ ହୋଇନଥିବା ବେଳେ ଚଳିତ ବର୍ଷ ଏହି ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେଉଅଛି।ଲୋକକଥା ଅନୁଯାୟୀ ପ୍ରାୟ ଦୁଇଶହ ବର୍ଷ ପୂର୍ବେ ଆଉଁସିଆ ସୁନାରୀଣି ବଂଶଧର ମାଁଙ୍କୁ ସ୍ଥାପନ କରି ପୂଜାକରିଆସୁଛନ୍ତି। ପରେ ବିରିପୁର ଗ୍ରାମର ବିଷୁପଣ୍ଡା ଦୀର୍ଘବର୍ଷ ପୂଜାସେବା କରିଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଆ ଢାମଣା ସାହିର ବାସିନ୍ଦା ମାନେ ମନ୍ଦିର ଦାଇତ୍ୱ ନବା ସହ ବର୍ତ୍ତମାନ ସେମାନେ ହିଁ ପରିଚାଳନା କରି ଆସୁଛନ୍ତି। ମାଁଙ୍କର ରୀତି ନୀତି ଅନୁସାରେ ପୂଜାପର୍ବାଣୀ ଅନୁଷ୍ଠିତ ହୋଇଆସୁଅଛି । ଆଜି ଠାରୁ ଯାତ୍ରା ଆରମ୍ଭ ହେଉଥିବା ବେଳେ ଏହି ଉପଲକ୍ଷେ ଆଜି ଶତାଧିକ ମହିଳା ଓ ପୁରୁଷ ଋଷିକୂଲ୍ୟା ନଦୀରୁ ପାଣି ଉଠାଇ ଏକ କଳସଶୋଭାଯାତ୍ରାରେ ସହର ପରିକ୍ରମା କରି ମାଁଙ୍କ ପୀଠ ପର୍ଯ୍ୟନ୍ତ ଆସିଥିଲେ। ନୀତି ନିୟମ ଅନୁଯାୟୀ କର୍ମ, ପୂଜା , ଯଜ୍ଞ ଅନୁଷ୍ଠିତ ହୋଇଥିଲା ମନ୍ଦିରରେ। ପରେ ସନ୍ଧ୍ୟାରେ ଭକ୍ତସହ ଏକ ବାର୍ଣ୍ଣଢ଼ିୟ ଶୋଭାଯାତ୍ରାରେ ବାହାରି ପ୍ରଥମେ ଦୂର୍ଗାଦେବୀ ସାହିସ୍ଥିତ ଦୁର୍ଗାଙ୍କ ଶକ୍ତିପୀଠକୁ ଯାଇଥିଲେ। ସେଠାରେ ପୂଜା ଅର୍ଚ୍ଚନା କରାଯିବା ପରେ ମାଁ ସହର ପରିକ୍ରମା କରିଥିଲେ। ପରେ ଓଡ଼ିଆଢାମଣା ସାହି ମଧ୍ୟରେ ନିର୍ମାଣ ହୋଇଥିବା ଅସ୍ଥାୟୀ ମଣ୍ଡପରେ ବିଜେ କରିଥିଲେ। ମାଁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଜମିଥିଲା । ଗୋଟିଏ ପଟେ ସାମନ୍ତରାସାହି ସ୍ଥିତ ଗଞ୍ଜାମର ମାଁ ବୁଢ଼ିଠାକୁରାଣୀଙ୍କ ଯାତ୍ରା ଦୁଇ ସପ୍ତାହଧରି ଚାଲିଥିବା ବେଳେ, ବର୍ତ୍ତମାନ ଓଡ଼ିଆ ଢାମଣା ସାହିର ଗ୍ରାମ୍ୟଦେବୀଙ୍କ ଯାତ୍ରା ଆରମ୍ବ କୁ ନେଇ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ଚଳଚଞ୍ଚଳ ହୋଇଉଠିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ