ପ୍ରଶାସକ ଓ ରାଜନେତାଙ୍କ ନାମରେ ଫେକ ଆକାଉଁଟ ଖୋଲି ଅର୍ଥ ମଗାଯାଉଛି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାରେ ଏବେ ପ୍ରଶାସକ ଓ ରାଜନେତାଙ୍କ ନାମରେ ଫେସବୁକରେ ଫେକ ଆକାଉଁଟ ଖୋଲାଯାଇ ଲୋକମାନଙ୍କୁ ଅର୍ଥ ମଗାଯିବା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି । ସେମାନଙ୍କ ନାମ ଓ ଫଟୋ ଥାଇ ଫେସବୁକରେ ଗୋଟିଏ ଗୋଟିଏ ଫେକ ଆକାଉଁଟ ଖୋଳାଯାଉଛି । କିଛିଦିନ ତଳେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନାମରେ ଏକ ଫେସବୁକରେ ଏକ ଫେକ ଆକାଉଁଟ ଖୋଲାଯାଇଥିବା ବେଳେ ଏବେ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ନାମରେ ଠିକ ସେହିଭଳି ଏକ ଫେକ ଆକାଉଁଟ ଫେସବୁକରେ ଖୋଲାଯାଇ ଲୋକମାନଙ୍କୁ ଅର୍ଥ ମଗାଯାଇଥିବା ଘଟଣା ପଦାକୁ ଆସିବା ପରେ ସାରା ଜିଲ୍ଲାରେ ଏହାକୁ ନେଇ ଆଲୋଡନ ସୃଷ୍ଟିହୋଇଛି । ପୂର୍ବରୁ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ନାମରେ ଖୋଳାଯାଇଥିବା ଫେକ ଆକାଉଁଟ ସମ୍ପର୍କରେ ତଦନ୍ତ ପାଇଁ ଆରକ୍ଷୀ ଅଧିକ୍ଷକ ନୀତି ଶେଖରଙ୍କୁ ନିର୍ଦେଶ ଦିଆଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେହି ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିପାରିନାହିଁ । ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳଙ୍କ ନାମରେ ଫେକ ଆକାଉଁଟ ଖୋଲିଥିବା ବ୍ୟକ୍ତି ଅନ୍ୟଜଣେ ବ୍ୟକ୍ତିଙ୍କୁ ୧୦ହଜାର ଟଙ୍କା ଫେସବୁକ ମାଧ୍ୟମରେ ମାଗିଛନ୍ତି । ମଗାଯାଇଥିବା ବ୍ୟକ୍ତି ଜଣଙ୍କ ଟଙ୍କା ଦେବାକୁ ରାଜି ହୋଇଯାଇଛନ୍ତି । ସେ ଭାବିଛନ୍ତି ଯେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳ ବୋଧେ ତାଙ୍କୁ ଟଙ୍କା ମାଗିଛନ୍ତି । କିନ୍ତୁ ଟଙ୍କା ଦେବା ପୂର୍ବରୁ ସେ ବ୍ଲକ ଅଧ୍ୟକ୍ଷଙ୍କୁ ଫୋନ କରିବା ପରେ ସାରା ଘଟଣା ପଦାକୁ ଆସିଛି । ବ୍ଲକ ଅଧ୍ୟକ୍ଷ ସେ ସମ୍ପର୍କରେ ଜାଣିନଥିବା କହିବା ପରେ ବ୍ୟକ୍ତି ଜଣଙ୍କ ଅଧ୍ୟକ୍ଷଙ୍କ ନିକଟକୁ ଫେକ ଫେସବୁକର ତାଙ୍କ ସହିତ ହୋଇଥିବା ଚାଟିଂଟିକୁ ପଠାଇଛନ୍ତି । ସେହି ଚାଟିଂକୁ ଦେଖିବା ପରେ ବ୍ଲକ ଅଧ୍ୟକ୍ଷ ନିଶ୍ଚିନ୍ତ ହୋଇଯାଇଛନ୍ତି ଯେ କେହି ଜଣେ ତାଙ୍କ ନାମରେ ଫେସବୁକରେ ଫେକ ଆକାଉଁଟ ଖୋଲି ଲୋକଙ୍କୁ ବ୍ଲାକମେଲିଂ କରି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି । ଏହି ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏସମ୍ପର୍କରେ ବ୍ଲକ ଅଧ୍ୟକ୍ଷ ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ କରି ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବାକୁ ଦାବି କରିଛନ୍ତି । ଏଭଳି ଫେସବୁକରେ ଅନ୍ୟ ନାମରେ ଫେକ ଆକାଉଁଟ ଖୋଲି ଲୋକମାନଙ୍କୁ ବ୍ଲାକମେଲ କରୁଥିବା ଅଭିଯୁକ୍ତକୁ ଗିରଫ କରାନଗଲେ ଆଗାମି ଦିନରେ ଯେ ଏଭଳି ଘଟଣାର ପୁନରାବୃତ୍ତି ନହେବ ତାହା କହିହେବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ