ବନ୍ଧୁକ ଦେଖାଇ ଦିନ ଦ୍ୱିପ୍ରହରରେ ଲୁଟି ନେଲେ ୩ ଲକ୍ଷ ଟଙ୍କା
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ଥାନା ଅନ୍ତର୍ଗତ ଗଳଦାରୀ ପଂଚାୟତର ଗଳଦାରୀ ଗ୍ରାମରେ ଥିବା ମା ସନ୍ତୋଷୀ ସ୍ୱୟଂ ସହାୟୀକା ଦଳ ଠାରୁ ବୁଧବାର ୩ ଲକ୍ଷ ଟଙ୍କା ଦୁବୃତମାନେ ଲୁଟି ନେଇଥିବା ଜଣାଯାଇଛି । ସୂଚନା ମୁତାବକ ଉକ୍ତ ଦଳର ସଭାନେତ୍ରୀ କିରଣବାଳ ରାଉତ ଓ ସଂପାଦୀକା ଜ୍ୟୋସ୍ନାରାଣୀ ଦାସ ଦଳର ଲୋନ ପାଇଁ ନିକଟସ୍ଥ ଅଲଣାହାଟସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କକୁ ଯାଇଥିଲେ । ଉକ୍ତ ବ୍ୟାଙ୍କରୁ ଦଳର ୩ ଲକ୍ଷ ଟଙ୍କା ଲୋନ ଆଣି ସଂପର୍କୀୟ ପୁତୁରାଙ୍କ ମୋଟର ସାଇକେଲ ଯୋଗେ ଘରକୁ ଫେରିଥିଲେ । ଦିନ ଦ୍ୱିପ୍ରହର ସମୟରେ ଦେବୀନଦୀରେ ଥିବା ଗଳଦାରୀ ସେତୁ ପାର ହୋଇ ନିଜ ଗ୍ରାମକୁ ନଦୀ ବନ୍ଧ ରାସ୍ତାରେ ଯାଉଥିବା ସମୟରେ ୨ଟି କଳା ପଲସର ଗାଡିରେ ଆସି ବାଇକ ଟିକୁ ଧକ୍କା ଦେଇଥିଲେ । ଗାଡି ଭାରସାମ୍ୟ ହରାଇ ପଡି ଯିବା ସହିତ ଗାଡିରେ ଥିବା ୩ ଜଣ ମଧ୍ୟ ପଡି ଯାଇଥିଲେ । ଏହି ସମୟରେ ଯୁବକମାନେ ବନ୍ଧୁକ ଓ ଭୁଜାଲି ଦେଖାଇ ୩ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଟଙ୍କା ନେବା ପରେ ଗୋଟିଏ ଗାଡି ପହଙ୍ଗା ଆଡକୁ ଯାଇଥିବା ବେଳେ ଅନ୍ୟ ଏକ ଗାଡି ନଦୀର ଅପରପାଶ୍ୱର୍କୁ ଯାଇଥିବା ଗାଡିରେ ଥିବା ୩ ଜଣ ପ୍ରକାଶ କରିଛନ୍ତି । ନଦୀ ବନ୍ଧଟି ନିଛାଟିଆ ହୋଇଥିବା ବେଳେ ଗଳଦାରୀ ଗ୍ରାମଟି ଗଳଦାରୀ ସେତୁ ଠାରୁ ଦୁରରେ ଅବସ୍ଥିତ । ନିଛାଟିଆ ଦେଖି ଦୁବୃତମାନେ ଟଙ୍କା ଲୁଟି ନେବାକୁ ସକ୍ଷମ ହେଉଥିବା ବେଳେ ଏହି ଡକାୟତିରେ ସ୍ଥାନୀୟ ଯୁବକ ରହିଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଖବର ପାଇ ଘଟଣା ସ୍ଥଳକୁ ନାଉଗାଁ ଥାନା ଏସଆଇ ପ୍ରତାପ ଦାସ ଓ ଏଏସଆଇ ଅଶୋକ ମହାନ୍ତି ପହଂଚି ତଦନ୍ତ କରିଥିବା ଜଣାଯାଇଛି । କିଏ ଟଙ୍କା ଛଡାଇଛି ଓ ଏଥିରେ କାହାର ସଂପୃକ୍ତି ରହିଛି ତଦନ୍ତ ଚାଲିଥିବା ଏସଆଇ ପ୍ରତାପ ଦାଶ ପ୍ରକାଶ କରିଛନ୍ତି । ଜଗତସିଂହପୁର ଏସଡିପିଓ ପ୍ରିୟରଂଜନ ଶତପଥି ସୂଚନା ପାଇଁ ନାଉଗାଁ ଥାନାରେ ପହଁଚି ତଦନ୍ତ ଚଳାଇଥିବା ଜଣାଯାଇଛି ।


