ବନ୍ୟଜନ୍ତୁ ଶିକାର ଅଭିଯୋଗରେ ଜଣେ ଯୁବକ ଗିରଫ : ବନ୍ଧୁକ ଓ ଗୁଳି ଜବତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ରବିବାର ଅପରାହ୍ନରେ ଦିଗପହଣ୍ଡି ବନବିଭାଗ ପକ୍ଷରୁ ବନ୍ୟଜନ୍ତୁ ଶିକାର କରୁଥିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରାଯାଇଥିବା ଜଣାପଡିଛି।ଏନେଇ ବନବିଭାଗ ଗିରଫ ଅଭିଯୁକ୍ତଙ୍କ ଠାରୁ ବନ୍ଧୁକ , ଗୁଳି ଜବତ କରିଛି। ଗିରଫ ଯୁବକ ଜଣକ ହେଲେ ଗଜପତି ଜିଲ୍ଲା ସେରଙ୍ଗ ଥାନା ତୁମୁଳୁ ଗ୍ରାମର ରଘୁନାଥ ଶବର ବୋଲି ସୂଚନା ଦିଆଯାଇଛି । ଅଭିଯୁକ୍ତ ଜଣଙ୍କ ଘର ଗଜପତି ହୋଇଥିଲେ ମଧ୍ୟ ଦୀର୍ଘ ୫ ରୁ ୬ ବର୍ଷ ଧରି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡ ଦିଗପହଣ୍ଡି ବନାଞ୍ଚଳ ଅଧିନସ୍ଥ ନୂଆପଡା ସେକ୍ସନ ଅଧିନସ୍ଥ ଖଜୁରୀପଦା ଗ୍ରାମରେ ରହୁଥିଲେ । ତେବେ ପ୍ରତ୍ୟେକ ଦିନ ନିକଟସ୍ଥ ଗାଇଡା ଜଙ୍ଗଲକୁ ଯାଇ ସେଠାରେ ବନ୍ୟଜନ୍ତୁ ଶିକାର କରୁଥିବା ଅଭିଯୋଗ ହେଉଥିଲା । ବନ୍ୟ ଜନ୍ତୁ ସେମାନଙ୍କ ମାଂସ ଖାଇବା ସହ ଚମଡା ଏବଂ ମାଂସ ଅନ୍ୟତ୍ର ଯାଇ ବିକ୍ରୟ ମଧ୍ୟ କରୁଥିବା ବନବିଭାଗ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକଙ୍କ ନିକଟରେ ଅଭିଯୁକ୍ତ ଜଣଙ୍କ ପ୍ରକାଶ କହିଥିବା କରିଛି। ତେବେ ଗତକାଲି ଅପରାହ୍ନ ସାଢେ ୪ ଘଣ୍ଟା ସମୟରେ ରଘୁନାଥ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ଘୁରି ବୁଲୁଥିବା ବେଳେ ବନବିଭାଗ ବିଶେଷ ସୂତ୍ରରୁ ଖବରପାଇ ଅତର୍କିତ ଭାବେ ଚଢାଉ କରି ଯୁବକଙ୍କୁ କାବୁ କରିଥିଲେ । ଏହାପରେ ବନବିଭାଗ କର୍ମଚାରୀ ମାନେ ଶିକାର ପାଇଁ ବ୍ୟବହାର କରୁଥିବା ଏକ ଦେଶୀ ବନ୍ଧୁକ , ୪ ଟି ଗୁଳି , ବାଟୁଳି ଓ ଗନ ପାଉଡର ଜବତ କରିଥିଲେ । ତେବେ ଅଭିଯୁକ୍ତ ଜଣକ କାହାର ସୁପାରିସ କ୍ରମେ ଏଠାକୁ ଆସିଛି ଏବଂ କେଉଁ ମାନେ ସଂପୃକ୍ତ ରହିଛନ୍ତି ଓ ଶିକାର ପରେ ମାଂସ କେଉଁଠାକୁ ଚାଲାଣ ହେଉଥିଲା ତାହାର ଖୋଳତାଡ ପାଇଁ ତଦନ୍ତ ଜାରି ରଖିଛି ବନବିଭାଗ । ଏନେଇ ବନବିଭାଗ ପକ୍ଷରୁ ମାମଲା ନଂ ୨୨/୨୨ ପ୍ରକାରେ ମକଦ୍ଦମା ରୁଜୁ କରାଯାଇ ସୋମବାର କୋର୍ଟ ଚାଲାଣ କରାଯାଇଥିବା ବନବିଭାଗ ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ଚଢାଉ ସମୟରେ ଦିଗପହଣ୍ଡି ବନବିଭାଗ କର୍ମଚାରୀ ସମେତ ନୂଆପଡ଼ା ସେକ୍ସନର ସମସ୍ତ ଫରେଷ୍ଟର , ଫରେଷ୍ଟ ଗାର୍ଡ ଓ ସ୍କ୍ୱାର୍ଡ ଷ୍ଟାଫ୍ ଉପସ୍ଥିତ ରହିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ