ବନ୍ୟା ପ୍ରଭାବିତ ଅଞ୍ଚଳରେ ବନ୍ୟା ବିପନ୍ନଙ୍କୁ ରିଲିଫ୍ ପ୍ରଦାନ
ଛତ୍ରପୁର, (ଓ୍ବାଇଏନଏସ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ଅନେକ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି। ଗଞ୍ଜାମ ବ୍ଲକର ପୋଇରାଶି, ୟୁଡ଼ିଏସପୁର, କରପଡ଼ା, ରାଜପୁର ଓ ମଲାଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ପାଣି ଜମି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଫଳରେ ଗ୍ରାମବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ବନ୍ୟା ବିପନ୍ନଙ୍କ ନିକଟରେ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ପାଇଁ ଆଜି ଗଞ୍ଜାମ ବ୍ଲକର ବିଭିନ୍ନ ପ୍ରଭାବିତ ପଞ୍ଚାୟତରେ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ତହସିଲଦାର ସୁକାନ୍ତ ମିଶ୍ର ଓ ଗଞ୍ଜାମ ବିଡିଓ ଅଚ୍ୟୁତାନନ୍ଦ ଜାନି ପ୍ରମୁଖ ବୋଟ ଯୋଗେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ବିପନ୍ନ ଲୋକଙ୍କୁ ରିଲିଫ୍ ସାମଗ୍ରୀ ପ୍ରଦାନ କରିଥିଲେ। ଜଳବନ୍ଦୀ ଅଞ୍ଚଳରେ ରହୁଥିବା ଲୋକଙ୍କ ନିକଟରେ ଆବଶ୍ୟକୀୟ ଖାଦ୍ୟସାମଗ୍ରୀ ପହଞ୍ଚାଇବା ସହ ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଥିବା ଜଣାପଡ଼ିଛି।


