ବାଇକ ଦୁର୍ଘଟଣା ଜଣେ ମୃତ, ମାଆ, ଝିଅଙ୍କ ସମେତ ୩ ଗରୁତର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତା ର ଗୁପ୍ତେଶ୍ୱର ମନ୍ଦିର ନିକଟରେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ ଟାରେ ଘଟିଥିବା ଏକ ବାଇକ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ, ମାଆ-ଝିଅଙ୍କ ସମେତ ବାଇକ ଚାଳକ ଗୁରୁତର ଆହାତ ହୋଇଛନ୍ତି।ସମସ୍ତଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଗୁରୁତର ଆହାତ ଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ରଘୁନାଥ ବାଡ଼ତ୍ୟା ଙ୍କ ମୃତ୍ୟୁ ହୋଇଯାଇଥିବା ଦିଗପହଣ୍ଡି ଥାନା ଆଇ.ଆଇ.ସି ଦିପ୍ତୀରଞ୍ଜନ ବେହେରା ସୁଚନା ଦେଇଛନ୍ତି। ରଘୁନାଥ ଙ୍କ ମଧ୍ୟାହ୍ନ ପ୍ରାୟ ୨ ଟା ରେ ମୃତ୍ୟୁ ହୋଇଥିଲେ ମଧ୍ୟ କୌଣସି ପକ୍ଷ ଏତଲା ଦେଇନଥିବାରୁ ତାଙ୍କର ମୃତଦେହ ବ୍ୟବଛେଦ ହୋଇନଥିବା ଜଣାପଡିଛି।ଏହି ଦୁର୍ଘଟଣାରେ ଅନ୍ୟ ଗୁରୁତର ଆହାତ ମାନେ ହେଲେ ଆସିକା ଥାନା ଅନ୍ତର୍ଗତ ଆଖୁପଦର ଗ୍ରାମର ଗୀତା ଦାଶ(୩୫) ଓ ତାଙ୍କ ଝିଅ ଶ୍ରଦ୍ଧା ଦାଶ (୫) ଅନ୍ୟ ଜଣେ ହେଲେ ରାଣ୍ଡୁ ଝୋଳା ଗ୍ରାମର ସମୀର ଦାଶ ବୋଲି ପୋଲିସ ସୁଚନାରୁ ଜଣାପଡିଛି।ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ ଟାରେ ସମୀର ବାଇକ ଚଳାଉଥିବା ବେଳେ ଗୀତା ଓ ତାଙ୍କ ଝିଅ ଶ୍ରଦ୍ଧା ପଛରେ ବସିଥିଲେ।ଏମାନେ ଆସିକାରୁ ଚିକିଟି ଅଭିମୁଖେ ଯାଉଥିବା ବେଳେ,ଦିଗପହଣ୍ଡି ଗୁପ୍ତେଶ୍ୱର ମନ୍ଦିର ପାଖରେ ଆଗରେ ଚାଲି ଚାଲି ଯାଉଥିବା ରଘୁନାଥ ବାଡତ୍ୟାଙ୍କୁ କୌଣସି କାରଣ ବଶତଃ ପଛରୁ ଧକ୍କା ଦେଇଥିଲେ।ଫଳରେ ଘଟଣା ସ୍ଥଳରେ ସମସ୍ତେ ଗୁରୁତର ଆହାତ ହୋଇଥିଲେ। ଦୁର୍ଘଟଣା ରେ ରଘୁନାଥ ଙ୍କ ଅବସ୍ଥା ସଂଙ୍କଟାପନ୍ନ ଥିଲା ବୋଲି ମିଳିଥିବା ସୁଚନାରୁ ଜଣାପଡିଛି।ଦୁର୍ଘଟଣା ଗସ୍ତ ବାଇକକୁ ପୋଲିସ ଜବତ କରିଛନ୍ତି।


