ବାକିଥିବା +୨ ପରୀକ୍ଷା ବାତିଲ

ଭୁବନେଶ୍ୱର: କରୋନା ପାଇଁ ଏବେ ସବୁଠି ଭୟର ମାହୋଲ । କରୋନା ସଂକ୍ରମଣ ଭୟ ପାଇଁ ପୂର୍ବରୁ ସ୍କୁଲ, କଲେଜ ସହ ପରୀକ୍ଷା ମଧ୍ୟ ବନ୍ଦ କରାଯାଇଥିଲା । କରୋନା ପରିସ୍ଥିତି ସୁଧୁରିବା ପରେ ପରୀକ୍ଷା କରାଯିବା ନେଇ ବ୍ୟବସ୍ଥା କରାଯାଇଥିଲା । ତେବେ ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡ଼ିବାରେ ଲାଗିଛି । ଏବେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ତାହାହେଲା ରାଜ୍ୟରେ ବାକିଥିବା +୨ ପରୀକ୍ଷାକୁ ବାତିଲ କରିଦିଆଯାଇଛି । କଳା, ବିଜ୍ଞାନ ଓ ବାଣିଜ୍ୟରେ ବାକିଥିବା ପରୀକ୍ଷାକୁ ବାତିଲ କରିଦିଆଯାଇଛି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କରୋନା ସ୍ଥିତି ଦେଖି ଆଉ ପରୀକ୍ଷା କରିବା ସମ୍ଭବ ନୁହେଁ । ମାର୍ଚ୍ଚ ୨୩ରୁ ୨୮ ତାରିଖ ମଧ୍ୟରେ ଥିବା ପରୀକ୍ଷାକୁ ବାତିଲ କରିଦିଆଯାଇଛି । ତେବେ ପରୀକ୍ଷା ବାତିଲ ହୋଇଥିବାରୁ ସିବିଏସଇ ଢାଞ୍ଚାରେ ମାର୍କିଂ ହେବ । ପିଲାମାନେ ଦେଇଥିବା ପରୀକ୍ଷାର ଆଭରେଜ ଦେଖି ମାର୍କିଂ ହେବ । ଯେଉଁମାନେ ୫ଟି ପରୀକ୍ଷା ଦେଇଥିବେ, ତାଙ୍କର ଶ୍ରେଷ୍ଠ ୩ଟିରୁ ଆଭରେଜ ମାର୍କିଂ ହେବ । ଯେଉଁମାନେ ୪ଟି ପରୀକ୍ଷା ଦେଇଥିବେ ତାଙ୍କର ଶ୍ରେଷ୍ଠ ୨ଟି ଦେଖି ଆଭରେଜ ମାର୍କିଂ ହେବ । କମ୍ପାର୍ଟମେଣ୍ଟାଲ ପରୀକ୍ଷାର୍ଥୀଙ୍କ ଗଲାବର୍ଷ ଶ୍ରେଷ୍ଠ ମାର୍କ ଦେଖି ଆଭରେଜ ମାର୍କିଂ ହେବ । ଯେଉଁମାନେ ମାର୍କରେ ସନ୍ତୁଷ୍ଟ ହେବେନି, କରୋନା ସ୍ଥିତି ଟଳିଲେ ସେମାନେ ପରୀକ୍ଷା ଦେବେ । ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇଁ ଚେଷ୍ଟା କରୁଛୁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ପ୍ରକାଶଯେ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପରୀକ୍ଷା ପରିଚାଳନା ନେଇ ନୂତନ ଗାଇଡ ଲାଇନ ଆସି ସାରିଛି ଏବଂ ସିବିଏସ୍‌ଇ ଏବଂ ଆଇସିଏସ୍‌ଇ ବୋର୍ଡ଼ କରୋନା ପାଇଁ ଦଶମ, ଏକାଦଶ ପରୀକ୍ଷାକୁ ମଧ୍ୟ ବାତିଲ କରିଛି। ରାଜ୍ୟ ମଧ୍ୟ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନୀତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନୁସରଣ କରିଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ