ବାତ୍ୟା “ଦାନା” ପ୍ରଭାବିତ ଅଞ୍ଚଳରେ ସ୍କାଉଟସ୍ ଏବଂ ଗାଇଡସ୍ର ସେବାକାର୍ଯ୍ୟ ଜାରି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରଳୟଙ୍କାରୀ ଘୁର୍ଣ୍ଣି ବାତ୍ୟା “ଦାନା”ର ପ୍ରଭାବରେ କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କରେ ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଓଡିଶା ସ୍କାଉଟ ଓ ଗାଇଡ୍ ସଂସ୍ଥାର ଶତାଧିକ ରୋଭର ଓ ରେଞ୍ଜର ବିଭିନ୍ନ ଜିଲ୍ଲାରେ ସେମାନଙ୍କର ସେବା କାର୍ଯ୍ୟ ଜାରି ରଖିଛନ୍ତି । ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଏବଂ ଯାଜପୁର ଜିଲ୍ଲାରେ ରୋଭର ଓ ରେଞ୍ଜରମାନେ ବାତ୍ୟା ଆଶ୍ରୟସ୍ଥଳୀରେ ଅନ୍ଧାର ଏବଂ ଅନାହାରରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ପରିବେଷଣ କରିଥିଲେ । ସେହିପରି କେନ୍ଦ୍ରାପଡା ଜିଲ୍ଲାର “ଦାନା” ପ୍ରଭାବରେ ବହୁତ କ୍ଷତିଗ୍ରସ୍ତ ହୋଇଥିବା ବଗପାଟିଆ ଗ୍ରାମରେ କେନ୍ଦ୍ରାପଡା ଜିଲ୍ଲାର ସ୍କାଉଟ, ଗାଇଡ୍, ରୋଭର ଓ ରେଞରମାନେ ଉକ୍ତ ଅଞ୍ଚଳରେ ଘରକୁ ଘର ବୁଲି ଚୁଡା, ଗୁଡ, ବିସ୍କୁଟ, ମହମବତୀ ଏବଂ ଦିଆସିଲି ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଲୋକମାନଙ୍କୁ ବଣ୍ଟନ କରିଥିଲେ । ଏତଦ୍ବ୍ୟତୀତ ବାତ୍ୟା ପ୍ରଭାବରେ ରାସ୍ତା ଅବରୋଧ କରୁଥିବା ଭଙ୍ଗା ଗଛ ଡାଳ, ବିଦ୍ୟୁତ ଖୁଣ୍ଟ ଆଦିକୁ ଉଠାଇ ରାସ୍ତା ପରିସ୍କାର କରିବା କାର୍ଯ୍ୟରେ ଜିଲ୍ଲା ପ୍ରଶାସନକୁ ସହାୟତା ପ୍ରଦାନ କରିଥିଲେ । ଏତଦ୍ବ୍ୟତୀତ ବାତ୍ୟା ପ୍ରଭାବିତ ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ସ୍କାଉଟ ଓ ଗାଇଡ୍ମାନେ ନିଜ ନିଜ ଅଞ୍ଚଳରେ ଅନୁରୂପ କାର୍ଯ୍ୟରେ ନିୟୋଜିତ ହୋଇରହିଛନ୍ତି ।