ବାବା ବାଲିକପିଳେଶ୍ୱର ମନ୍ଦିରରୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଓ ରୂପା ଅଳଙ୍କାର ଲୁଟ୍

କୋଣାର୍କ (ଓ୍ବାଇଏନଏସ): ଗୋପ ବ୍ଲକ ଅନ୍ତର୍ଗତ ତରକୋର ଗ୍ରାମପଞ୍ଚାୟତର ପ୍ରସିଦ୍ଧ ଶୈବପୀଠ ବାବା ବାଲିକପିଳେଶ୍ୱର ମନ୍ଦିରରୁ ବଡ଼ଧରଣର ଚୋରି ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରରେ ପଶି ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସୁନା ଓ ରୂପା ଅଳଙ୍କାର ସମେତ ହୁଣ୍ଡିରୁ ପ୍ରାୟ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ଏ ନେଇ ରାମଚଣ୍ଡୀ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ବାବା ବାଲିକପିଳେଶ୍ୱର ମନ୍ଦିର ଏକ ପ୍ରସିଦ୍ଧ ଧାର୍ମିକ ପୀଠ ଭାବେ ପରିଚିତ। ଶୁକ୍ରବାର ଦିନ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ସମାପନ ପରେ ମନ୍ଦିରର ପୂଜକ ମନ୍ଦିରରେ ପହୁଡ଼ ପକାଇ ଘରକୁ ଫେରିଥିଲେ। ଏହାର ସୁଯୋଗ ନେଇ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରରେ ପ୍ରବେଶ କରି ମା’ ପାର୍ବତୀଙ୍କ ସୁନାହାର, କଙ୍କଣ, କିରୀଟି ସମେତ ବାବା ବାଲିକପିଳେଶ୍ୱରଙ୍କ ବହୁ ମୂଲ୍ୟବାନ ସୁନା ଓ ରୂପା ଅଳଙ୍କାର ଲୁଟି ନେଇଥିଲେ। ଏଥିସହ ମନ୍ଦିର ହୁଣ୍ଡି ଭାଙ୍ଗି ପ୍ରାୟ ୨ ଲକ୍ଷ ଟଙ୍କା ମଧ୍ୟ ନେଇଯାଇଥିଲେ। ଶନିବାର ସକାଳେ ପୂଜକ ଭାସ୍କର ମହାପାତ୍ର ଓ ମାନସ ପଣ୍ଡା ମନ୍ଦିରର ପହୁଡ଼ ଖୋଲିବା ପରେ ଚୋରି ଘଟଣା ସାମ୍ନାକୁ ଆସିଥିଲା। ଏ ସମ୍ପର୍କରେ ବାଲିକପିଳେଶ୍ୱର ଉନ୍ନୟନ କମିଟିକୁ ଅବଗତ କରାଯିବା ପରେ ରାମଚଣ୍ଡୀ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଗୁରୁତ୍ୱର ସହ ନେଇ ରାମଚଣ୍ଡୀ ଥାନା ଅଧିକାରୀ ମମତା ବିଶ୍ୱାଳ ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପରେ ପୁରୀରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାସ୍ଥଳରୁ ବିଭିନ୍ନ ବୈଜ୍ଞାନିକ ତଥ୍ୟ ଓ ପ୍ରମାଣ ସଂଗ୍ରହ କରି ଛାନଭିନ୍ ଆରମ୍ଭ କରିଛି। ତେବେ କୋଣାର୍କ ଓ ରାମଚଣ୍ଡୀ ଥାନା ଅଞ୍ଚଳରେ ମନ୍ଦିର ଚୋରି ଘଟଣା ବଢ଼ିବା ସ୍ଥାନୀୟ ଅଞ୍ଚଳରେ ଉଦ୍‌ବେଗର କାରଣ ହୋଇଛି। ପ୍ରାୟ ୨୦ ଦିନ ତଳେ କୋଣାର୍କ ଥାନା ଅନ୍ତର୍ଗତ କରମଙ୍ଗା ଗ୍ରାମର ଶ୍ରୀରାମ ମନ୍ଦିରରୁ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ରୂପା ଅଳଙ୍କାର ଚୋରି ହୋଇଥିବା ବେଳେ ଦୁଇ ମାସ ତଳେ କୁରୁଜଙ୍ଗ ଗ୍ରାମର ରାଧାକୃଷ୍ଣ ମନ୍ଦିର ଓ ବାବା ବଟେଶ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ ହୋଇଥିଲା। ଏହି ଘଟଣାଗୁଡ଼ିକରେ ଏଯାବତ୍ ପୋଲିସ ଅଭିଯୁକ୍ତଙ୍କ ସମ୍ପର୍କରେ ସୁରାକ୍ ପାଇନଥିବା ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ରାତ୍ରିକାଳୀନ ପୋଲିସ ପାଟ୍ରୋଲିଂ ଓ ମନ୍ଦିରଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏଭଳି ଘଟଣାର ପୁନରାବୃତ୍ତି ରୋକିବା ସହ ସମସ୍ତ ମନ୍ଦିର ଚୋରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଏବଂ ରାତ୍ରିକାଳୀନ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ପୁରୀ ଏସ୍‌ପିଙ୍କ ନିକଟରେ ଦାବି ଜଣାଇଛନ୍ତି କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ବୁଦ୍ଧିଜୀବୀ, ସଚେତନ ନାଗରିକ ଓ ବରିଷ୍ଠ ନାଗରିକମାନେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ