ଅକ୍ଵାନ ବାତ୍ୟା ଜନିତ ବର୍ଷାରେ ଉଜୁଡ଼ି ଗଲା ପାଚିଲା ଧାନ

 ଦିଗପହଣ୍ଡି, (ଅଳକ ନାଥ ମିଶ୍ର): ସାମୁଦ୍ରିକ ବାତ୍ୟା ‘ଅକ୍ୱାନ’ ଜନିତ ଲଗାଣ ବର୍ଷା   ଯୋଗୁଁ ଦିଗପହଣ୍ଡି ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳର ଶହ ଶହ ଏକର ଖାଲୁଆ ଚାଷଜମି ଗୁଡ଼ିକରେ ପାଚିଲା ଧାନ ଗଛ ପାଣିରେ ବୁଡ଼ି ରହିଥିବା ଦେଖିବାକୁ ମିଳିଛି। ଅନେକ ଜମିର ପାଚିଲା ଧାନ ଗଛ ରେ ପାଣି ପ୍ରବାହିତ ହେବାରୁ ସେଗୁଡ଼ିକ ନଷ୍ଟ ହୋଇଯାଇଛି। ଏନେଇ ସମ୍ପୃକ୍ତ ଚାଷୀକୁଳ ଚିନ୍ତିତ ହୋଇ ପଡିଛନ୍ତି।ଦିଗପହଣ୍ଡି ବ୍ଳକ ୨୫ ପଞ୍ଚାୟତ ଏବଂ ଗୋଟିଏ ଏନ୍ଏସି ର ମୋଟ ୨୫ ହଜାର ୫୪୦ ହେକ୍ଟର ଚାଷଜମି ମଧ୍ୟରୁ ୧୪ ହଜାର ୮ ଶହ ହେକ୍ଟର ଚାଷଜମି ରେ ଚଳିତ ବର୍ଷ ଖରିଫ ଧାନ ଚାଷ କରାଯାଇଥିଲା। ଗତ ‘ଅର୍ଣ୍ଣବ’ ବାତ୍ୟା ଜନିତ ପ୍ରବଳ ବର୍ଷା ଯୋଗୁଁ ଚାଷୀଙ୍କ ସମସ୍ତ ପନିପରିବା ଫସଲ ନଷ୍ଟ ହୋଇଥିବା ବେଳେ  ପାୟ ୩ ହଜାର ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଛି ବୋଲି କୃଷି ବିଭାଗ ପକ୍ଷରୁ ସର୍ଭେ ରିପୋର୍ଟ ରେ ଦର୍ଶା ଯାଇଥିବା ବେଳେ ଯାହା କିଛି ଧାନ ଫସଲ ଅମଳ ପାଇଁ ରହିଥିଲା ତାହା ପୁଣି ‘ଅକ୍ୱାନ’ ବାତ୍ୟା ଜନିତ ବର୍ଷା ରେ ଯଥେଷ୍ଟ ପରିଣାମ ର ନଷ୍ଟ ହେବ ବୋଲି  ଆକଳନ କରାଯାଉଛି। ଏନେଇ ଦିଗପହଣ୍ଡି କୃଷିବିଭାଗ କ୍ଷେତ୍ର କର୍ମଚାରୀ ବିଭିନ୍ନ ଗ୍ରାମ କୁ ଗସ୍ତ କରି କ୍ଷୟକ୍ଷତି ରିପୋର୍ଟ ସଂଗ୍ରହ କାର୍ଯ୍ୟ ଚଳାଇଥିବା ବ୍ଲକ କୃଷି ଅଧିକାରୀ କଲ୍ୟାଣୀ ରାଉତ କହିଛନ୍ତି। ଛୋଟ ,ନାମମାତ୍ର ଏବଂ ମଧ୍ୟମ ଚାଷୀ ମାନଙ୍କର ଅବସ୍ଥା ତଳି ତଳାନ୍ତ ହୋଇଯାଇଛି। ଚଳିତବର୍ଷ  ଧାନ ଉତ୍ପାଦନ ହାର ଯଥେଷ୍ଟ ପରିମାଣର କମିଯିବା ଆଶଙ୍କା ରହିଛି। ବର୍ଷା ପ୍ରଭାବରେ ତୁଳା, ମକା,ଆଖୁ ସମେତ ପନିପରିବା ଚାଷୀ ଯଥେଷ୍ଟ କ୍ଷତିଗସ୍ତ  ହୋଇଥିବା କେତେକ କୃଷି ବିଜ୍ଞାନୀ ମତପୋଷଣ କରିଛନ୍ତି। ୧୬୦ ହେକ୍ଟର ଜମିରେ ଚଳିତ ବର୍ଷ କପା ଚାଷ କରାଯାଇଥିବା ବେଳେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ କପା ଅମଳ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟରେ ଚାଷୀ କରିଥିବା କପା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।ଅପରପକ୍ଷରେ ଧାନ ଫସଲର ସୁରକ୍ଷା ପାଇଁ ଚାଷୀ ପ୍ରାଣପଣେ ଉଦ୍ୟମ ଚଳାଇଛି। ଅନେକ ଗ୍ରାମାଞ୍ଚଳ ମାନଙ୍କରେ ଚାଷୀ ଙ୍କ  ଧାନ ଗଛ ଜମିରେ ଲୋଟି ପଡ଼ିଥିବା ଦେଖିବାକୁ ମିଳିଛି।ସେଗୁଡ଼ିକୁ ଚାଷୀ ସଂଗ୍ରହ କରି ଯତ୍ କିଞ୍ଚିତ୍ ଅମଳ ପାଇଁ ଖରା ରେ ଶୁଖାଇବା ରେ ଲାଗିଛନ୍ତି।ଅନେକ ଚାଷୀ ପାଣିରେ ବୁଡ଼ି ରହିଥିବା ଧାନ ଫସଲକୁ ଉଦ୍ଧାର କରିବା ପାଇଁ  ଉଦ୍ୟମ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ। ଚାଷୀକୁଳ ଆର୍ଥିକ ଅନାଟନ ଓ ମାନସିକ ଚିନ୍ତାରେ  ଥିବାରୁ କୃଷି ବିଭାଗ ପକ୍ଷରୁ ଏହି କ୍ଷୟକ୍ଷତି ର ସଠିକ ଆକଳନ କରାଯାଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରାଯିବାକୁ ଚାଷୀ ମହଲରେ ଦାବୀ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ