ଡାକ୍ତରଙ୍କୁ ହତ୍ୟା ଉଦ୍ୟମ ଘଟଣା: ଜଣେ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  : ଦିଗପହଣ୍ଡି ମୁଖ୍ୟରାସ୍ତା ଷ୍ଟେଟ ବ୍ୟାଙ୍କ ନିକଟରେ ଜଣେ ଡାକ୍ତର ପ୍ରାର୍ଥ ସାରଥି ତ୍ରିପାଠୀ ଙ୍କୁ କାର୍ ରୁ ଟାଣି ନେଇ ତାଙ୍କ ଓଠ ଫଟାଇ ଦାନ୍ତ ଭାଙ୍ଗିଦେବା ସହ ସାର୍ଟ ଚିରି ହତ୍ୟା ଉଦ୍ୟମ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ପୋଲିସ ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ ଟାରେ ଗିରଫ କରି ଶନିବାର ଅପରାହ୍ନରେ  କୋର୍ଟ ଚାଲାଣ କରିଛନ୍ତି।ସେ ହେଲେ ଦିଗପହଣ୍ଡି ହସ୍ପିଟାଲ ଛକ ନିକଟ କାଳିଆ ନଗର ର ଉମେଶ ମହାରଣା(୨୮)।ଥାନା ମାମଲା ନଂ.୪୮୩/୨୬ ବିଏନ୍ଏସ ର ଦଫା -୧୨୬(୨)/୧୧୫(୨)/୧୧୭(୨)/୧୦୯/୧୩୨/୩(୫) ଅନୁଯାୟୀ ଜାମିନ ଆବେଦନ ନାକଚ ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ଉପ କାରାଗାର ହାଜତକୁ ପଠାଇ ଦିଆଯାଇଛି।ପୋଲିସର ସୂଚନା ପ୍ରକାରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ନୂଆ ବସଷ୍ଟାଣ୍ଡ ନିକଟ କାଳୀ ମନ୍ଦିର ପାଖରେ ରହୁଥିବା ଡାକ୍ତର ପ୍ରାର୍ଥ ସାରଥି ଗଜପତି ଜିଲ୍ଲା ଚନ୍ଦ୍ରଗିରି ସରକାରୀ ହସ୍ପିଟାଲ ରେ ଅବସ୍ଥାପିତ ଅଛନ୍ତି।ସେ ସେଠାରେ ସାଇକ୍ଲୋନ ଏମର୍ଜେନ୍ସି ଡ୍ୟୁଟି ସାରି  ଶୁକ୍ରବାର ମଧ୍ୟାର୍ଣ୍ଣ ପ୍ରାୟ ସାଢ଼େ ୧ ଟାରେ କାର୍ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି ହୋଇଥିବା ଅନ୍ୟ ଜଣେ ରୋଗୀ ଙ୍କ ଅପରେସନ କରିବାକୁ ଯାଉଥିଲେ।ଦିଗପହଣ୍ଡି ଷ୍ଟେଟ ବ୍ୟାଙ୍କ ନିକଟ ମୁଖ୍ୟରାସ୍ତା ରେ ଜମିଥିବା ପାଣି ଛିଟିକା ୨ ଜଣ ଯୁବକଙ୍କ ଉପରେ କାର୍ ଚକା ରୁ ପଡ଼ିଯାଇଥିଲା।ଉଭୟେ ଉତ୍ତେଜିତ ହୋଇ କାର୍ ରେ ଥିବା ଡାକ୍ତରଙ୍କୁ ଗାଳି କରିଥିଲେ।ଡାକ୍ତର ଜଣକ ଉଭୟଙ୍କୁ ନିଜ ପରିଚୟ ପ୍ରକାଶ କରି ବହୁ ସମୟ ଧରି ବୁଝାଇଥିଲେ ମଧ୍ୟ ସେମାନେ କିଛି ନଶୁଣି ତାଙ୍କୁ କାର୍ ରୁ ବାହାରକୁ ଜବରଦସ୍ତ ଟାଣି ନେଇ ସାର୍ଟ ଚିରି ତାଙ୍କ ମୁହଁ କୁ ବାରମ୍ବାର ଶକ୍ତ ମୁଥ ମାରିବାରୁ ଡାକ୍ତରଙ୍କ ଓଠ ଫାଟି ଦାନ୍ତ ଭାଙ୍ଗି ଯିବା ସହ ଆଖି ର ତଳ ଭାଗ କୁ ମାଡ଼ ହୋଇ  ରକ୍ତ ବାହାରିଥିଲା।ପରେ ଅଭିଯୁକ୍ତ ଉମେଶ ତାଙ୍କ  ସ୍କୁଟି (ନଂ.ଓଡ଼ି ୦୭ଏଏସ -୬୪୮୪) ଯୋଗେ ଘଟଣାସ୍ଥଳରୁ ଦ୍ରୁତ ଗତି ରେ ଚମ୍ପଟ ମାରିଥିଲେ।ମାଡ଼ ମାରିଥିବା  ଅନ୍ୟ ଜଣେ ଯୁବକ ମଧ୍ୟ ତାଙ୍କ ବାଇକ୍ ରେ ପଳାଇଥିଲେ। ଡାକ୍ତର ଜଣକ  ରକ୍ତାକ୍ତ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଯାଇ ଚିକିତ୍ସା ହୋଇଥିଲେ।  ପରେ ସେ ଥାନାରେ ପହଞ୍ଚି ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତ ଦ୍ୱୟ ଙ୍କ ବିରୋଧ ରେ ମକଦ୍ଦମା ରୁଜୁ କରିଥିଲେ। ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯିବ।ଗିରଫ ଅଭିଯୁକ୍ତ ଉମେଶ ଙ୍କ ନାଁ ରେ ଦିଗପହଣ୍ଡି ଥାନାରେ ପୂର୍ବରୁ ଏକ ଅପରାଧିକ ମାମଲା ରହିଥିବା ଆଇଆଇସି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ