ବାଲେଶ୍ଵର ସାଂସଦଙ୍କ ସମୀକ୍ଷା ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ସମୀକ୍ଷା ବୈଠକ କରିଥିଲେ। ପ୍ରଥମେ ପର୍ଯ୍ୟାୟରେ ଆର.ଡ଼ି ଓ ଦିତୀୟ ପର୍ଯ୍ୟାୟରେ ବିଦ୍ୟୁତ ସରବରାହ ସଂସ୍ଥା ଟାଟା ପାଓ୍ବାର ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ନିଳଗିରି, ବସ୍ତା, ସଦର, ରେମୁଣା, ଔପଦା ବ୍ଲକରେ ଆର.ଡ଼ି ବିଭାଗର ଚାଲୁଥିବା କାର୍ଯ୍ୟର ସମୀକ୍ଷା କରିବା ସହିତ ସମସ୍ତ ରାସ୍ତାକୁ ପକ୍କା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ନିଳଗିରି ବିଧାୟକ ସନ୍ତୋଷ ଖଟୁଆ, ସଦର ବିଧାୟକ ମାନସ କୁମାର ଦତ୍ତ, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଓ ବସ୍ତା ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ଅଣ୍ଡିଆ ଅଂଶଗ୍ରହଣ କରି ନିଜ ନିଜ ଅଞ୍ଚଳର ସମସ୍ୟା ସଂପର୍କରେ ଅବଗତ କରାଇଥିଲେ। ଚାଲୁଥିବା ନିର୍ମାଣ କାର୍ଯ୍ୟକୁ ଅବଧି ମଧ୍ୟରେ ଶେଷ କରିବା ପାଇଁ ଓ ନୁଆ କାମକୁ ତୁରନ୍ତ ଆରମ୍ଭ କରିବା ସହିତ କାର୍ଯ୍ୟରେ ସତତା ଓ ପାରଦର୍ଶିତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଲୋଚନା ସମୟରେ ଆର.ଡ଼ି ବିଭାଗର ସମସ୍ତ ଅଧିକାରୀ ଅଂଶଗ୍ରହଣ କରିଥିଲେ। ଏହାପରେ ବିଦ୍ୟୁତ ସରବରାହ ସଂସ୍ଥା ଟାଟା ପାଓ୍ବାର ଅଧିକାରୀଙ୍କ ସହିତ ବିଦ୍ୟୁତ୍ ସରବରାହ, ଉପଭୋକ୍ତାଙ୍କ ଅଭିଯୋଗ, ନିରବଚ୍ଛିନ୍ନ ଯୋଗାଣ, ବିଷୟରେ ଆଲୋଚନା କରିଥିଲେ। ଅହେତୁକ ବିଦ୍ୟୁତ୍ କାଟ ନକରିବାକୁ ନିର୍ଦେଶ ଦେଇଥିଲେ। ଉପଭୋକ୍ତାଙ୍କୁ ଉତ୍ତମ ସେବା ଯୋଗାଇଦେବାକୁ ପ୍ରାଧାନ୍ୟ ଦେବାକୁ କହିଥିଲେ।