ବାଲେଶ୍ୱରରେ ଏକଦିବସୀୟ ସୂଚନା ଅଧିକାର କର୍ମଶାଳା
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ସଦର ମହକୁମାଠାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ସୂଚନା ଅଧିକାର ଅଧିନିୟମ-୨୦୦୫ ଉପରେ ଏକ କର୍ମଶାଳା ସ୍ଥାନୀୟ ସଦଭାବନା ଗୃହରେ ମଙ୍ଗଳବାର ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ସେ ତାଙ୍କ ଉଦବୋଧନରେ ଏହି ଅଧିନିୟମ ଗଣତନ୍ତ୍ରରେ ସ୍ୱଚ୍ଛତା ବଜାୟ ରଖିବା ଦିଗରେ ଏକ ସୁଦୃଢ ଆଧାର ବୋଲି କହିଥିଲେ । ରାଜ୍ୟ ସରକାରଙ୍କ ୫-ଟି ମଧ୍ୟରେ ଟ୍ରାନ୍ସପରେନ୍ସି ବା ସ୍ୱଚ୍ଛତା ରହିଥିବା ବେଳେ ସୂଚନା ଅଧିକାର ଅଧିନିୟମ ସେଥି ନିମନ୍ତେ ଏକ ବଳିଷ୍ଠ ମାଧ୍ୟମ ବୋଲି ସେ ପ୍ରକାଶ କରିଥିଲେ । କରଦାତାଙ୍କ ଟିକସ ଅର୍ଥରେ ପରିଚାଳିତ ହେଉଥିବା ସମସ୍ତ ସର୍ବସାଧାରଣ ଓ ସରକାରୀ ଅନୁଷ୍ଠାନ ଏହାର ପରିସରଭୁକ୍ତ ହୋଇଥିବାରୁ ଏହି କର୍ମଶାଳାକୁ ଗୁରୁତ୍ୱର ସହ ନେବା ପାଇଁ ସେ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକ ଅନଲାଇନରେ ସ୍ୱେଚ୍ଛାକୃତ ସୂଚନା ପ୍ରଦାନ ସହ ସୂଚନା ପାଇବା ନିମନ୍ତେ କରାଯାଇଥିବା ଆବେଦନର ତୁରନ୍ତ ଉତର ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । ମଂଚାସୀନ ଅତିଥି ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର ସୂଚନା ଅଧିକାର ଅଧିନିୟମର ଉପଯୋଗିତା ସଂପର୍କରେ ଆଲୋଚନା କରିଥିଲେ । କର୍ମଶାଳାର ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୁବାଷ ନିଆଲ ସ୍ୱାଗତ ଭାଷଣ ଦେଇ କର୍ମଶାଳାର ଆଭିମୁଖ୍ୟ ବିଷୟରେ ଅବଗତ କରାଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ବାନାର୍ଜୀ ପ୍ରସାଦ ଛୋଟରାୟ ମଂଚାସୀନ ଥିବା ବେଳେ ଭୁବନେଶ୍ୱରରୁ ଆସିଥିବା ସୂଚନା ଅଧିକାର ଆଇନ ବିଶେଷଜ୍ଞ ଶ୍ରୀ ହର୍ଷ ପରିଚ୍ଛା ସୂଚନା ଅଧିକାର ଅଧିନିୟମର ବିଭିନ୍ନ ଧାରା ସଂପର୍କରେ ବୁଝାଇବା ସହିତ ଆଲୋକଚିତ୍ର ମାଧ୍ୟମରେ ତାଙ୍କର ଉପସ୍ଥାପନା କରିଥିଲେ । ଏଥିରେ ସେ ବିଭିନ୍ନ ପ୍ରଶ୍ନର ଉତର ରଖିଥିଲେ । ବିଶେଷଭାବେ ସୂଚନା ଅଧିକାର ଅଧିନିୟମରେ ଅନଲାଇନ ଆବେଦନ କିପରି ଗ୍ରହଣ କରାଯିବ ଏବଂ ତାର ସୂଚନା ପ୍ରଦାନରେ ପ୍ରଣାଳୀ କଣ ? ଏବଂ ଅନଲାଇନରେ ସ୍ୱେଚ୍ଛାକୃତ ସୂଚନା ପ୍ରଦାନର ଗୁରୁତ୍ୱ ସମ୍ବନ୍ଧରେ ସେ ବିଶଦଭାବେ ବୁଝାଇଥିଲେ । ପ୍ରତ୍ୟେକ ଜନ କର୍ତୃପକ୍ଷଙ୍କୁ ଅନଲାଇନ ସୂଚନା ପ୍ରଦାନ ନିମନ୍ତେ ଦିଆଯାଇଥିବା ବ୍ୟବହାରକାରୀ ଆଇ.ଡି. ଓ ପାସଓାର୍ଡ ଦିଆଯାଇଥିବା ଅବଗତ କରାଯାଇଥିଲା । ଆଜିର କର୍ମଶାଳାରେ ଜିଲ୍ଲାର ବିଭିନ୍ନ ଜନ କର୍ତୃପକ୍ଷର ଜନ ସୂଚନା ଅଧିକାରୀ, ସହ ଜନ ସୂଚନା ଅଧିକାରୀ, ବରିଷ୍ଠ ନାଗରିକ, ସାମ୍ବାଦିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ପ୍ରମୁଖଙ୍କ ସହ ପ୍ରାୟ ୧୫୦ଜଣ ଅଂଶଗ୍ରହଣ କରିଥିଲେ । ଏହି କର୍ମଶାଳା ପରିଚାଳନାରେ ଜିଲ୍ଲା ସୂଚନା ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।


