ବାଲେଶ୍ୱରରେ ଚାଉଳ ତାତି କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡିର ବିକ୍ଷୋଭ

ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟରୁ ଚାଉଳ ଉଠାଇବାରେ ଟାଳଟୁଳ ନୀତି ସାଙ୍ଗକୁ ଧାନ କ୍ରୟ ପରିମାଣ କେନ୍ଦ୍ର ସରକାର ହ୍ରାସ କରିବାକୁ ନେଇ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ରାଜ୍ୟବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମ । ଏହି ପରପ୍ରେକ୍ଷୀରେ ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ଗଣ ଧାରଣା ଅନୁଷ୍ଠିତ ହୋଇଯାଇଛି । ବ୍ରିଟର ପୂର୍ବତନ ଅଧ୍ୟକ୍ଷ ଗୌରୀ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ ଏଥିରେ ଯୋଗଦେଇ ରାଜ୍ୟର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ପୂର୍ବରୁ ମିଳୁଥିବା ୧୦ କେଜି ଚାଉଳ କେନ୍ଦ୍ର ସରକାରଙ୍କ ୫ କେଜିକୁ ହ୍ରାସ କରିବା କେଉଁ ନ୍ୟାୟରେ ବୋଲି ପ୍ରଶ୍ନ କରିଥିଲେ । ଅନ୍ୟପକ୍ଷରେ ଚାଷୀଙ୍କଠାରୁ ଧାନ କ୍ରୟ ପରିମାଣ ହାସ ନିଷ୍ପତ୍ତିକୁ ସେ ସମାଲୋଚନା କରିଥିଲେ । ପୂର୍ବରୁ ମିଳୁଥିବା ଚାଉଳ ପରିମାଣ କମାଇବା ସହ ଚାଉଳ ସଂଗ୍ରହରେ ଟାଳଟୁଳ ନୀତି ଅବଲମ୍ବନ ଯୋଗୁଁ କୃଷକମାନେ ସମସ୍ୟାର ସମ୍ମୁଖୀନ ହେଉଥିବା ସେ ଅଭିଯୋଗ କରିଥିଲେ । ଚଳିତବର୍ଷ କେନ୍ଦ୍ର ସରକାର ବଜେଟରେ ଧାନ ସଂଗ୍ରହ ବାବଦରେ ୨୦ହଜାର କୋଟି ଟଙ୍କା ହ୍ରାସ କରିଛନ୍ତି । ପୂର୍ବରୁ ଓଡ଼ିଶାରୁ ୧୮ଲକ୍ଷ ମେଟ୍ରିକ ଟନ ଚାଉଳ ଉଠୁଥିଲା ବେଳେ ଏବେ ମାତ୍ର ୪ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବାକୁ କେନ୍ଦ୍ର ଧାର୍ଯ୍ୟ କରିବା ଚାଷୀଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇଛି ବୋଲି ବିଧାୟକ ଶ୍ରୀ ଦାସ କହିଥିଲେ । କେନ୍ଦ୍ରର ମୋଦି ସରକାର ତୁରନ୍ତ ଏହି ଅନ୍ୟାୟ ନୀତି ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସେ ଚେତାବନୀ ଦେଇଥିଲେ । ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା, ପୌର ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀ, ବିଜେଡି ଏସସି ସେଲ ଜିଲା ସଭାପତି ପ୍ରଫେସର ଶତ୍ରୁଘ୍ନ ମଲିକ, ଟାଉନ ବିଜେଡି ସଭାପତି ସନତ ଦାସ, କାଉନସିଲର ମୀନା ମହାନ୍ତି, ସବିତା ଦାସ, ମିରାଜ ବାନୋ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ଉମିଲତା ଦାସ, ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତ, ବରିଷ୍ଠ ବିଜେଡି ନେତା ରଂଜନ ବାଗ, ବିଜେଡି ମିଡିଆ ସଂଯୋଜକ ଧୀରେନ ନାୟକ, ଶେଖ ଅନସର ପ୍ରମୁଖଏଥିରେ ଯୋଗଦେଇ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ନୀତିକୁ କଡ଼ା ସମାଲୋଚନା କରିଥିଲେ । କେନ୍ଦ୍ର ସରକାର ତ୍ରୁଟିପୂର୍ଣ୍ଣ ନୀତି ତୁରନ୍ତ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ସେମାନେ ଚେତାବନୀ ଦେଇଥିଲେ । ଏହି ଅବସରରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଆଜିର ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ବିଜେଡି କର୍ମୀଙ୍କ ସମେତ ବହୁ ର୍ସ୍ଥକ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ