ବାଲେଶ୍ୱର ଓକିଲ ସଂଘର ଦୁଇଦିନିଆ ବାର୍ଷିକୋତ୍ସବ ଜିଲ୍ଲା ଜଜ୍‌ଙ୍କ କୋର୍ଟ ପରିସରରେ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଓକିଲ ସଂଘର ଦୁଇଦିନିଆ ବାର୍ଷିକୋତ୍ସବ ଜିଲ୍ଲା ଜଜ୍‌କୋର୍ଟଙ୍କ ପରିସରରେ ସଂଘର ସଭାପତି ରଘୁନାଥ ପ୍ରଧାନଙ୍କ ସଭାପତିତ୍ୱରେ ଶୁକ୍ରବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି । ଏହି ସଭାରେ ଓଡ଼ିଶା ହାଇକୋର୍ଟର ଜଷ୍ଟିସ୍ ମାନ୍ୟବର ଶ୍ରୀଯୁକ୍ତ ବିଭୁପ୍ରସାଦ ରାଉତରାୟ ଓ ଅନ୍ୟତମ ଜଷ୍ଟିସ୍ ମାନ୍ୟବର ଶ୍ରୀଯୁକ୍ତ ଆନନ୍ଦ ଚନ୍ଦ୍ର ବେହେରା, ରାଜ୍ୟ ଆଇନ୍‌ଜୀବୀ ପରିଷଦର ସଭାପତି ମାନ୍ୟବର ଶ୍ରୀଯୁକ୍ତ ସୀତାଂଶୁ ଶେଖର ଦ୍ୱିବେଦୀ, ଅନ୍ୟତମ ସଦସ୍ୟ ମାନନୀୟ ନୃସିଂହ ଚରଣ ନାୟକ, ବାଲେଶ୍ୱର ଜିଲ୍ଲା ଓ ଦୌରାଜଜ୍ ମାନନୀୟ ସତ୍ୟନାରାୟଣ ମିଶ୍ର, ଓ.ପି.ଆଇ.ଡି. ଜଜ୍ ମାନନୀୟ ବିଶ୍ୱଜିତ୍ ଦାସ ପ୍ରମୁଖ ଯୋଗ ଦେଇ “ଫୌଜଦାରୀ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଭାରତୀୟ ସମ୍ବିଧାନର ପୁନଃଅବଲୋକନ” ସଂପର୍କିତ ଏକ ସେମିନାର୍‌ରେ ନିଜନିଜର ସୁଚିନ୍ତିତ ମତ ପ୍ରଦାନ କରି ଫୌଜଦାରୀ ଆଇନ୍ ସମ୍ପର୍କିତ ଭାରତୀୟ ସମ୍ବିଧାନରେ ଉଲ୍ଲେଖ କରାଯାଇଥିବା ଆଇନ୍ ଓ ଅଧିକାର ସଂପର୍କରେ ଅନ୍ତର୍ନିହିତ ଥିବା ଆଇନ୍ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସଂଘର ସଂପାଦକ ସମ୍ବିତ୍ କୁମାର ନନ୍ଦୀ ସଂପାଦକୀୟ ବିବରଣୀ ପାଠ କରିବା ସହ ନୂତନ ଜୁଡ଼ିସିଆଲ୍ ହବ୍ ଆଇ.ଟି.ଆଇ. ନିକଟସ୍ଥ ଜଳସେଚନ ବିଭାଗ ପରିସରରେ ନିର୍ମାଣ ହେବା ସଂପର୍କରେ ସଂଘର ବିଭିନ୍ନ ପଦକ୍ଷେପ, ତତ୍‌ପରେ ମାନ୍ୟବର ହାଇକୋର୍ଟଙ୍କ ଅନୁମୋଦନ ଏବଂ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ସାଧୁବାଦ ଜଣାଇଥିଲେ । ଏଥିସହ ଓକିଲମାନଙ୍କ ସାମ୍ବିଧାନିକ ଅଧିକାର ଏବଂ ନୂତନ ଭାବେ ଆସିବାକୁ ଥିବା କେନ୍ଦ୍ର ଆଇନ୍‌ରେ ଓକିଲ ବିରୋଧୀ ଧାରାର ସଂଶୋଧନ ପାଇଁ ଦାବି କରିଥିଲେ । ଏହି ଅବସରରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଆଇନ୍ ସେବା କରିଆସିଥିବା ସଂଘର ପ୍ରବୀଣ ୧୧ଜଣ ଆଇନ୍‌ଜୀବୀଙ୍କୁ ଅତିଥିମାନେ ମାନପତ୍ର ଦେଇ ସମ୍ମାନିତ କରିବା ସହ ସଂଘର ସ୍ମରଣିକା ‘ୠକ୍ଟକ୍ଟଗ୍ଧ ଚକ୍ସସଦ୍ଭଗ୍ଧଗ୍ଦ’ ଉନ୍ମୋଚନ କରି ଲୋକାର୍ପିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ମଞ୍ଚଆହ୍ୱାନ ଏବଂ ଅତିଥିପରିଚୟ ପ୍ରଦାନ କରିଥିଲେ ଯୁବ ଆଇନଜୀବୀ କୁମାର କାଶ୍ୟପ, ବନ୍ଦନା ବିଶ୍ୱାଳ ଏବଂ ସହଯୋଗ କରିଥିଲେ କମିଟିର ସଦସ୍ୟ ଜିତେନ୍ଦ୍ର ଉପାଧ୍ୟାୟ, ପ୍ରଭାତ ଦାସ, ପିନାକୀ ଧୀର୍‌, ସଞ୍ଜୟ ଚୌଧୁରୀ, ବରେନ୍ଦ୍ର ସେଠୀ, ବାସନ୍ତୀଲତା ସାହୁ, ମମତା ବେହେରା, ଦେବାଶିଷ ପାତ୍ର, ଅକ୍ଷୟ ପାତ୍ର, ରାମଚନ୍ଦ୍ର ଜେନା, ଜ୍ଞାନରଞ୍ଜନ ପାଣି, ନିଶାନ୍ତ ପଟ୍ଟନାୟକ, ଦିଗମ୍ବର ମିଶ୍ର ଏବଂ ସଂଘର ଅନ୍ୟ ସଦସ୍ୟମାନେ । ଶେଷରେ ସଂଘର ଉପସଭାପତି ରଣଜିତ୍ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଶନିବାର ସନ୍ଧ୍ୟା ୨ୟ ଦିବସର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଥିଲେ ଓଡ଼ିଶା ହାଇକୋର୍ଟର ମାନ୍ୟବର ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ଏବଂ ସଭାପତିତ୍ୱ କରିଥିଲେ ସଂଘର ସଭାପତି ରଘୁନାଥ ପ୍ରଧାନ । ସଂପାଦକ ସନ୍ଦୀପ କୁମାର ନନ୍ଦୀ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସହସଂପାଦକ ଜିତେନ୍ଦ୍ର କୁମାର ଉପାଧ୍ୟାୟ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟଅତିଥି ଜଷ୍ଟିସ୍ ବେହେରା ନିଜ ବକ୍ତବ୍ୟରେ କହିଥିଲେ ଯେ, “ଭାରାକ୍ରାନ୍ତ ଜୀବନଚର୍ଯ୍ୟାର ପ୍ରବହମାନ ଧାରାରେ ଅତିକ୍ରାନ୍ତ ନିରସ ମନକୁ ସରସ ସୁନ୍ଦର କରିବା ପାଇଁ ନାଟକ ପରିବେଷଣ ଓ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ ଆଜିର ସମୟର ଏକ ଜରୁରୀ ଆବଶ୍ୟକତା ଅଟେ । ସଂଗଠିତ ଭାବେ ସଂଘର ସଦସ୍ୟମାନେ ଏହା କରୁଥିବାରୁ ସେମାନଙ୍କ ମଧ୍ୟରେ ଭାଇଚାରା ବୃଦ୍ଧି ହୁଏ ।” ତତ୍‌ପରେ ବାଲେଶ୍ୱର ଓକିଲସଂଘର ବିଜୟୀ କ୍ରିକେଟ୍ ଟିମ୍‌ର ସମସ୍ତ ସଦସ୍ୟ, ସ୍ମରଣିକା କମିଟି ସଂପାଦନା ମଣ୍ଡଳୀର ସମସ୍ତ ସଦସ୍ୟ ଓ ସଂଘର ବାର୍ଷିକ ଆୟବ୍ୟୟର ଅଡିଟ୍ ଟିମ୍‌ର ସଦସ୍ୟମାନଙ୍କୁ ଅତିଥି ମାନପତ୍ର ଦେଇ ସମ୍ମାନିତ କରିଥିଲେ । ତତ୍‌ପରେ ସଂଘର ସଦସ୍ୟମାନଙ୍କ ଦ୍ୱାରା ଏକ ବାସ୍ତବଧର୍ମୀ ନାଟକ ‘ସୂର୍ଯ୍ୟ ତୃଷ୍ଣା’ ମଞ୍ଚସ୍ଥ ହୋଇଥିଲା । ନାଟକରେ ଅଭିନୟ କରିଥିବା କଳାକାରମାନଙ୍କୁ ସମ୍ମାନିତ କରାଯିବା ସହ ସର୍ବଶେଷରେ ବରିଷ୍ଠ ଆଇନଜୀବୀ ନଟଗୋପାଳ ପଣ୍ଡାଙ୍କ ଶୁଭ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇବା ପରେ ସଭା ଉଦ୍‌ଯାପିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ