ବାଲ୍ୟ ବିବାହ ରୋକିବାରେ ଛାତ୍ରୀ ରିତୁ ପୁରସ୍କୃତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ବାଲ୍ୟ ବିବାହ ରୋକିବା ତଥା ବାଲ୍ୟ ବିବାହକୁ ନା’ ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ନେଇଥିବା ବିଭିନ୍ନ ସଚତେତନତା କାର୍ଯ୍ୟକ୍ରମ ଏବଂ ଅଭିନବ ପଦକ୍ଷେପ ଗୁଡିକ ବେଶ୍ ସଫଳତା ଆଡକୁ ଗତି କରୁଛି । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଚଢିଆପଲ୍ଲୀ ଗ୍ରାମର ଛାତ୍ରୀ ରିତୁ ନାହାକ ସମସ୍ତ ରାଜ୍ୟବାସୀଙ୍କ ପାଇଁ ଉଦାହରଣ ଆଣିଦେଇଛି । ୧୪ ବର୍ଷ ବୟସରେ ଦୁଃସାହାସିକ ପଦକ୍ଷେପ ଯୋଗୁଁ ସେ ନିଜର ବାଲ୍ୟ ବିବାହକୁ ବନ୍ଦ କରିବାରେ ସଫଳ ହୋଇଥିଲେ । ଏହି ସାହିକତା ପଦକ୍ଷେପ ପାଇଁ ଶୁକ୍ରବାର ରିତୁ ନାହାକ ସମଗ୍ର ରାଜ୍ୟରେ ପୁରସ୍କୃତ ହେବା ସହିତ ପ୍ରଶଂସାର ପାତ୍ର ହୋଇଛନ୍ତି ।ଭୁବନେଶ୍ୱର କିଟ୍ ସମ୍ମିଳନୀ କକ୍ଷରେ ଆୟୋଜିତ ଦୁଇଦିନିଆ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନବମ ପ୍ରତିଷ୍ଠା ଦିବସ ଅବସରରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନି ସାହୁଙ୍କ ଠାରୁ ରିତୁ ପୁରସ୍କାର ଓ ମାନପତ୍ର ଗ୍ରହଣ କରିଥିଲେ । ରିତୁ ପୁରସ୍କାର ଓ ପ୍ରଶଂସା ପତ୍ର ଗ୍ରହଣ କରିବା ପରେ ସେ ତାଙ୍କରି ଜୀବନର ଏହି ଅଭୁଲା କାହାଣୀକୁ ସମସ୍ତଙ୍କ ସମ୍ମୁଖରେ ଗୁରୁତ୍ୱାରୋପ କରିଥିଲେ । ଆସିକା ବ୍ଲକ ଚଢିଆପଲ୍ଲୀ ଗ୍ରାମର ପିତା ନାରାୟଣ ନାହାକ ଓ ମାତା ଶାନ୍ତିଲତା ନାହାକଙ୍କ ଜ୍ୟେଷ୍ଠ କନ୍ୟା ଭାବେ ସେ ଜନ୍ମ ଗ୍ରହଣ କରିଥିଲେ । ବାପା ନାରାୟଣ ଚାଷ କାମ କରି ମୁଁ ଏବଂ ମୋର ସନା ଭଉଣୀକୁ ସ୍ନେହ ଆଦରରେ ଲାଳନ ପାଳନ କରିଛନ୍ତି । ସ୍ଥାନୀୟ ବାଉରୀବନ୍ଧୁ ଉଚ୍ଚ ବିଦ୍ୟାଳୟ ଖଣ୍ଡଦେଉଳି-ରାଇସିଂପୁରରେ ନବମ ଶ୍ରେଣୀର ଛାତ୍ରୀ ଭାବେ ଅଧ୍ୟୟନ କରୁଥିବା ବେଳେ ପରିବାର ଲୋକେ ମୋର ବାହାଘର ଠିକ୍ କରିଦେଇଥିଲେ । ମାମୁଁଡିହ ଗ୍ରାମର ତ୍ରିନାଥ ନାୟକଙ୍କ ପୁତ୍ର ସୂର୍ଯ୍ୟ ନାୟକଙ୍କ ସହିତ ୨୦୧୭ ମସିହା ମାର୍ଚ୍ଚ ମାସରେ ବିବାହ ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏଥିରେ ମୋର ତିଳେ ମାତ୍ରେ ଇଛା ନଥିଲା । ମୁଁ ପାଠପଢିବା ପାଇଁ ଆଗ୍ରହ ଥିଲି । ଏହାକୁ ମୁଁ ମୋର ବାପାମାଆ ସମ୍ମୁଖରେ ପ୍ରକାଶ କରିପାରୁନଥିଲି । ତାପର ଦିନ ମୁଁ ସ୍କଲର ସାଙ୍ଗସାଥୀ ଓ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲି । ଏହାପରେ ଶିକ୍ଷୟିତ୍ରୀ ଜଣକ ଗ୍ରାମର ଅଙ୍ଗନବାଡି କର୍ମୀ ଶୁଭଶ୍ରୀ ସ୍ୱାଇଁଙ୍କୁ ଏହି ବିଷୟରେ ଜଣାଇଥିଲେ । ଅଙ୍ଗନବାଡି କର୍ମୀ ଏହାକୁ ତୁରନ୍ତ ସିଡିପିଓ ଭାରତୀ ମହାପାତ୍ରଙ୍କୁ ଜଣାଇଥିଲେ । ଉକ୍ତ ସୂଚନା ମଧ୍ୟ ଚାଇଲଡ୍ ଲାଇନ୍ ପାଖକୁ ପହଞ୍ଚିଥିଲା । ସିଡପିଓ, ପରିଦର୍ଶିକା ରାଜେଶ୍ୱରୀ ଦୋରା, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଶିବପ୍ରସାଦ ରଥ ପ୍ରମୁଖ ଆମ ଘରକୁ ଆସି ଏହି ବାହାଘର ବନ୍ଦ କରିବା ପାଇଁ ବୁଝାଇଥିଲେ । ଏହାପରେ ୨୦୧୭ ମସିହା ମାର୍ଚ୍ଚ ୨୩ ତାରିଖରେ ମୋର ବାପାମାଆ ଏହି ବାହାଘର ବନ୍ଦ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସେହି ଦିନ ଠାରୁ ମୋର ଜୀବନର ଖୁସି କହିଲେ ନସେର । ୧୦ମ ଶ୍ରେଣୀରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ କେନ୍ଦୁପଦର ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଶ୍ରେଣୀରେ ଅଧ୍ୟୟନ କରୁଛି । ବର୍ତ୍ତମାନ ସେ ଦ୍ୱିତୀୟ ବର୍ଷର ଛାତ୍ରୀ ସ୍କାଉଟ୍ ଏବଂ ଗାଇଡ୍ରେ ମଧ୍ୟ ଦକ୍ଷତା ହାସଲ କରିଛି । ଘରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନୁହେଁ । ଉଚ୍ଚଶିକ୍ଷା ଲାଭ କରିବା ପାଇଁ ରିତୁର ପ୍ରବଳ ଇଛା । ଗଲା ମାସରେ ଛତ୍ରପୁର ଠାରେ ଜିଲ୍ଲାପାଳଙ୍କ ଦ୍ୱାରା ସେ ସମ୍ମାନୀତ ହୋଇଥିଲି । ଆଜି ମୁଁ ଏହି ଜାଗାରେ ପହଞ୍ଚିପାରିଛି ମୋ ସାଙ୍ଗସାଥୀ, ଗୁରୁ ଏବଂ ପ୍ରଶାସନର ଅଧିକାରୀମାନଙ୍କ ନିମନ୍ତେ ବୋଲି ରିତୁ କହିଛନ୍ତି ।


