ବାହୁଡ଼ା, ସୁନାବେଶକୁ ଶୃଙ୍ଖଳିତ କର: ନବୀନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଯୋଗେ ମହାପ୍ରଭୁଙ୍କ ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ଆଦି ଯାତ୍ରା କାର୍ଯ୍ୟକ୍ରମର ସୁପରିଚାଳନା ବିଷୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ ।
ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀକୁ ପାଳନ କରି ଯେଭଳି ଶୃଙ୍ଖଳିତ ଭାବରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ସୁଚାରୁ ରୂପେ ସମ୍ପାଦିତ ହେଲା ସେଥିପାଇଁ ମୁଖ୍ୟମନ୍ତ୍ରୀ ସେବାୟତ, ଜିଲ୍ଲାପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ, ସ୍ୱାସ୍ଥ୍ୟ ବିଭାଗ, ବିଶେଷ କରି ପୁରୀର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ । ଏବଂ ଆଗାମୀ ବାହୁଡ଼ା, ସୁନାବେଶ ସମୟରେ ମଧ୍ୟ ସେଭଳି ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବାହୁଡ଼ା, ସୁନାବେଶ ଆଦି ନୀତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଠିକ୍ ସମୟରେ କରିବା ସହିତ କେବଳ କୋଭିଡ ନେଗେଟିଭ ଥିବା ସେବାୟତମାନଙ୍କୁ ନେଇ ନୀତି ସମ୍ପାଦନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେହିପରି ପୁରୀ ସହରରେ କୋଭିଡ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ କୋଭିଡ ସର୍ଭେ କାର୍ଯ୍ୟକୁ ମଧ୍ୟ ଆହୁରି ବ୍ୟାପକ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାସହିତ କୋଭିଡ ପରୀକ୍ଷା ମଧ୍ୟ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବାହୁଡ଼ା, ସୁନାବେଶ, ଅଧରପଣା, ନିଳାଦ୍ରୀବିଜେ କାର୍ଯ୍ୟକ୍ରମକୁ ଜନସାଧାରଣ ଯେପରି ଘରେ ବସି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗର ତତ୍ତ୍ୱାବଧାନରେ ବିଭିନ୍ନ ଚ୍ୟାନେଲରେ ସିଧା ପ୍ରସାରଣ ପାଇଁ ପରାମର୍ଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସାରା ବିଶ୍ୱ ଆମ ଉପରେ ନଜର ରଖିଛି । ତେଣୁ କୋଭିଡ-୧୯ ର ନିର୍ଦ୍ଦେଶାବଳୀ ଏବଂ ଲକଡାଉନର ନିୟମାବଳୀକୁ ଠିକ୍ ଭାବରେ ପାଳନ କରିବା ପାଇଁ ଆମେ ସର୍ବୋତ୍ତମ ଉଦ୍ୟମ ଜାରି ରଖିବା ଆବଶ୍ୟକ ।ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ରଥଯାତ୍ରାର ସଫଳ ପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ବାହୁଡ଼ା ଓ ସୁନାବେଶର ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏହି ଆଲୋଚନାରେ ରଥଯାତ୍ରା ପାଇଁ ପୁରୀ ଦାୟିତ୍ୱରେ ଥିବା ମନ୍ତ୍ରୀ ଏବଂ ଯୋଜନାବୋର୍ଡର ଉପାଧ୍ୟକ୍ଷଙ୍କ ସମେତ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ ମହାନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲେ ।


