ବିକ୍ରମ ଲ୍ୟାଣ୍ଡରକୁ ସକ୍ରିୟ କରିବାକୁ ପ୍ରୟାସ ଜାରି; ଲଗାତାର କମାଣ୍ଡ୍ ପଠାଯାଉଛି: ଇସ୍ରୋ
ଚେନ୍ନାଇ: ଭାରତୀୟ ମହାକାଶ ଗବେଷଣା ପ୍ରତିÂାନ (ଇସ୍ରୋ) ଆଜି ବୟାନ ଜାରି କରି କହିଛି ଯେ ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର୍ ସହିତ ସଂପର୍କ ସ୍ଥାପନ ପାଇଁ ବ୍ୟାପକ ପ୍ରୟାସ ଜାରି ରହିଛି । ଚନ୍ଦ୍ରଯାନର ଅର୍ବିଟର ମାଧ୍ୟମରେ ବିକ୍ରମର ସଠିକ୍ ଅବସ୍ଥିତି ଜଣାପଡ଼ିବା ପରେ ଏହାକୁ ସକ୍ରିୟ କରିବା ପାଇଁ ସିଗନାଲ ପଠାଉଛି । ଇସ୍ରୋ ଏବେ ପ୍ରତିଦିନ ବିକ୍ରମ ଲ୍ୟାଣ୍ଡରକୁ ଭିନ୍ନ ଭିନ୍ନ କମାଣ୍ଡ ପଠାଉଛି । ଲ୍ୟାଣ୍ଡର୍ କୌଣସି କମାଣ୍ଡରେ ଯଦି ସକ୍ରିୟ ହୋଇଯିବ ତା’ହେଲେ ଅନେକ କିଛି ହାସଲ ହୋଇପାରିବ । ଲ୍ୟାଣ୍ଡର୍ ବିକ୍ରମର ଫ୍ରିକ୍ୱେଂସିକୁ ନେଇ ଏହା ସହିତ ଯୋଗାଯୋଗ କରିବାକୁ ଇସ୍ରୋ ଅହରହ ପ୍ରୟାସ କରୁଛି । ତେବେ ଏ ପର୍ଯ୍ୟନ୍ତ ପଠାଯାଇଥିବା କୌଣସି କମାଣ୍ଡରେ ମଧ୍ୟ ସଫଳତା ମିଳିନାହିଁ । କର୍ଣ୍ଣାଟକର ଏକ ଗ୍ରାମ ବୟାଲାଲୁରେ ଲଗାଯାଇଥିବା ୩୨ ମିଟର ଏଣ୍ଟିନାକୁ ଏଥିପାଇଁ ବ୍ୟବହାର କରାଯାଉଛି । ଏହାର ସ୍ପେସ୍ ନେଟ୍ୱର୍କ ସେଣ୍ଟର ବେଙ୍ଗାଲୁରୁରେ ରହିଛି । ଅର୍ବିଟର ମାଧ୍ୟମରେ ବିକ୍ରମ ସହିତ ସଂପର୍କ ସ୍ଥାପନ ପାଇଁ ଇସ୍ରୋର ଏକ ଟିମ୍ ପ୍ରୟାସ ଜାରି ରଖିଛନ୍ତି । ବିକ୍ରମର ତିନି ପାଶ୍ୱର୍ରେ ଟ୍ରାନ୍ସପୋଣ୍ଡର୍ସ ଏବଂ ଗୋଟି ପାଶ୍ୱର୍ରେ ଏଣ୍ଟିନା ରହିଛି । ଏହି ଏଣ୍ଟିନା ଉପରେ ଆଉ ଏକ ଷ୍ଟ୍ରକ୍ଚର ରହିଛି । ବିକ୍ରମ ଏହି ଯନ୍ତ୍ରପାତି ଦ୍ୱାରା ପୃଥିବୀରୁ ପଠାଯାଉଥିବା କମାଣ୍ଡକୁ ଗ୍ରହଣ କରିବ ଏବଂ ଏହାର ଜବାବ ଦେବ । ବିକ୍ରମର ବାହାର ଅଂଶରେ ସୋଲାର ପ୍ୟାନେଲ ଲଗାଯାଇଛି । ଯଦି ବିକ୍ରମ ନିର୍ଦ୍ଧାରିତ ଯୋଜନା ମୁତାବକ ଲ୍ୟାଣ୍ଡିଂ କରିଥିବ, ତା’ହେଲେ ଏହା ସୂର୍ଯ୍ୟଠାରୁ ଶକ୍ତି ନେଇ ସକ୍ରିୟ ରହିପାରିବ । ତେବେ ଏଥିପାଇଁ ବିକ୍ରମର ଅନ୍ୟ କେତେକ ଯନ୍ତ୍ରାଂଶ ସୁରକ୍ଷିତ ଥିଲେ ହିଁ ଏହା ସମ୍ଭବ ହୋଇପାରିବ ବୋଲି କୁହାଯାଇଛି ।


