ବିଜେପୁରରେ ଶଙ୍ଖ ନାଦ

ବିଜେପୁର , (ଯୁଗାବ୍ଦ ନ୍ୟୁଜ) : ରେକର୍ଡ ସଂଖ୍ୟକ ଅର୍ଥାତ ୯୭୯୯୦ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ରୀତା ସହୁ ବିଜେପୁର ଉପନିର୍ବାଚନ ଜିତିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସାମ୍ୱାଦିକ ସମ୍ମିଳନୀରେ ଦେଇଥିବା ତଥ୍ୟ ଅନୁସାରେ ରୀତା ସାହୁ ୧ଲକ୍ଷ ୩୫ହଜାର ୯୫୭ ଖଣ୍ଡ ଭୋଟ୍ ପାଇଛନ୍ତି । ସେହିଭଳି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ସନତ ଗଡତିଆ ୩୭୯୬୭ ଖଣ୍ଡ ଭୋଟ୍ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ୫୮୭୩ ଖଣ୍ଡ ଭୋଟ୍ ପାଇଛନ୍ତି । ହିନ୍ଦି ମହାସଭା ପ୍ରାର୍ଥୀ ଅଶୋକ ମିତଲ ୧୨୧୯ଖଣ୍ଡ ଭୋଟ୍ ପାଇଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ବୃନ୍ଦାବନ ପୁରୋହିତ ୧୦୫୩ ଖଣ୍ଡ ଭୋଟ୍ ପାଇଛନ୍ତି । ବିଜେପୁର ଉପନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଥିବାରୁ ବିଭିନ୍ନ ରାଜନୈତିକ ଦଳ, ନିର୍ବାଚନରେ ନିୟୋଜିତ କର୍ମଚାରୀ, ଗଣମାଧ୍ୟମ ଓ ସୁରକ୍ଷା କର୍ମୀଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଧନ୍ୟବାଦ ପ୍ରଦାନ କରିଛନ୍ତି । ସର୍ଭିସ ଭୋଟ୍ ଓ ପୋଷ୍ଟାଲ ବେଲଟ ସମ୍ପର୍କରେ ମଧ୍ୟ ଶ୍ରୀ ଲୋହାନୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସମୁଦାୟ ୬ଟି ପୋଷ୍ଟଲ ଭୋଟ୍ ଆସିଥିଲା । ସେଥି ମଧ୍ୟରୁ ୫ଟି ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କୁ ମିଳିଥିବାବେଳେ ଗୋଟିଏ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ମିଳିଛି । ସେହିଭଳି ୧୬ଟି ସର୍ଭିସ୍ ଭୋଟ୍ ମିଳିଛି । ସେଥି ମଧ୍ୟରୁ ୨ଟି କଂଗ୍ରେସକୁ ମିଳିଥିବାବେଳେ ୭ଟି ବିଜେପିକୁ ମିଳିଛି । ଅବଶିଷ୍ଟ ଆଉ ସାତଟି ବିଜେଡିକୁ ମିଳିଛି । ଏହି ଉପ ନିର୍ବାଚନରେ ନୋଟାରେ ୧୯୮୨ ଜଣ ଭୋଟ୍ ଦେଇଛନ୍ତି । ବିପୁଳ ଭୋଟ୍‌ରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପୁର ଉପନିର୍ବାଚନରେ ବିଜୟୀ ହେଉଥିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୀତାଙ୍କ ସହ ଟେଲିଫୋନ ଯୋଗେ କଥା ହୋଇ ଅଭିନନ୍ଦନ ଜଣାଇଛନ୍ତି । ବିଧାନସଭା ନିର୍ବାଚନ ଇତିହାସର ସମସ୍ତ ରେକର୍ଡ ଭାଙ୍ଗିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ସାଧାରଣ ନିର୍ବାଚନବେଳେ ଖଣ୍ଡପଡ଼ାରୁ ବିଜେଡି ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ସର୍ବାଧିକ ୮୧ ହଜାର ୪୩୦ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ