ବିଦ୍ୟୁତ୍ ଆଘାତରେ ଯୁବକ ମୃତ
ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ଆଜି ସକାଳେ ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ପଞ୍ଚାୟତ ଅନ୍ତର୍ଗତ ଆମ୍ବଡୋଳି ଗ୍ରାମର ଜଣେ ଯୁବକ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ବରଣ କରିବା ଯୋଗୁଁ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହିତ ବିଦ୍ୟୁତ୍ ବିଭାଗର ଦାୟିତ୍ୱହୀନତାକୁ ପଦାରେ ପକାଇ ଦେଇଛି I ସୂଚନା ପ୍ରକାରେ ଆମ୍ବଡୋଳି ଗ୍ରାମର ଅମର ସ୍ଵାଇଁଙ୍କ ମଝିଆ ପୁଅ ଲିପୁନ୍ ସ୍ଵାଇଁ କୌଣସି କାମରେ ଜମିକୁ ଯାଇଥିବା ବେଳେ ସେଠାରେ ପୂର୍ବରୁ ଛିଣ୍ଡି ପଡ଼ିଥିବା ଏଗାର କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ I ଗ୍ରାମବାସୀ ଲିପୁନ୍ ର ମୃତ ଦେହକୁ ଦେଖିବା ପରେ ତାର ପରିବାର ଲୋକଙ୍କୁ ଖବର ଦେବା ସହିତ ଲିପୁନ୍ ର ଶବକୁ ରାସ୍ତା ଉପରେ ଥୋଇ କ୍ଷତି ପୂରଣ ଦାବୀରେ ଟାୟାର୍ ଜାଳି ବ୍ରହ୍ମପୁର-ଭଞ୍ଜନଗର ମୁଖ୍ୟରାସ୍ତା ଅବରୋଧ କରିଥିଲେ I ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ମଟର ଅଟକି ରହିଥିଲା I ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ଏଗାର କେଭି ବିଦ୍ୟୁତ୍ ତାର ଛିଣ୍ଡିବା ଖବର ସେମାନେ ବିଦ୍ୟୁତ୍ ବିଭାଗକୁ ଜଣାଇଥିଲେ ମଧ୍ୟ ବିଭାଗ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା I ତେଣୁ ଲିପୁନ୍ ର ଅକାଳ ମୃତ୍ୟୁ ପାଇଁ ବିଦ୍ୟୁତ୍ ବିଭାଗ ହିଁ ଦାୟୀ I ତେଣୁ ଏ ଦିଗରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ସହିତ ଲିପୁନ୍ ଘରର ଏକ ମାତ୍ର ରୋଜଗାରିଆ ପୁଅ ହୋଇଥିବାରୁ କ୍ଷତି ପୂରଣ ବାବଦକୁ ତାର ପରିବାରକୁ 5000000 ଲକ୍ଷ ଟଙ୍କାର ଅନୁକମ୍ପାରାଶି ସହିତ ପରିବାରର ଜଣଙ୍କୁ ଚାକିରି ଦେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି I ପ୍ରକାଶ ଥାଉକି କିଛି ଗ୍ରାମବାସୀ କ୍ଷତ୍ରିୟବରପୁର ସ୍ଥିତ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିବାକୁ ଯାଇଥିବା ବେଳେ ସେଠାରେ କୌଣସି ବିଭାଗୀୟ କର୍ମଚାରୀଙ୍କ ଦେଖା ମିଳିନଥିଲା I ଘଟଣା ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ସହ କୌଣସି ପ୍ରକାର ଯୋଗାଯୋଗ ହୋଇପାରିନି I ସୂଚନା ଥାଉକି ବିଦ୍ୟୁତ୍ ବିଭାଗର ଖାମଖିଆଲ ନୀତି ଯୋଗୁଁ ଅଘୋଷିତ ବିଦ୍ୟୁତ୍ କାଟ,ବିଦ୍ୟୁତ୍ ସରଞ୍ଜାମ ମରାମତିରେ ଅବହେଳା ପାଇଁ ସ୍ଥାନୀୟ ବିଦ୍ୟୁତ୍ ବିଭାଗ ଉପରେ ଜନ ଅସନ୍ତୋଷ ରହିଥିବା ବେଳେ ଆଜିର ଦୁର୍ଘଟଣା ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି I ଘଟଣା ସମ୍ପର୍କରେ ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାଶଙ୍କ ନେତୃତ୍ୱରେ ଗାଙ୍ଗପୁର ପୋଲିସ୍ ଏବଂ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ I ପରେ ବିଭାଗୀୟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର୍ ଜଗଦୀଶ୍ ଦାସ୍ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ମୃତ ଲିପୁନ୍ ଙ୍କ ପରିବାରକୁ କ୍ଷତି ପୂରଣ ବାବଦ ନଗଦ ଚାରି ଲକ୍ଷ ଟଙ୍କା ଏବଂ ପରିବାରର ଜଣଙ୍କୁ ଚାକିରି ଦେବା ପାଇଁ ପ୍ରତିଶୃ୍ତି ଦେବା ପରେ ଦୀର୍ଘ ପାଞ୍ଚ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା I ଏହା ସହିତ ରେଡ଼କ୍ରସ୍ ପାଣ୍ଠିରୁ ନଗଦ ଦଶ ହଜାର ଟଙ୍କା ଏବଂ ଶବଦାହ ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ପ୍ରଦାନ କରାଯାଇଥିବା ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼ ପ୍ରକାଶ କରିଛନ୍ତି I ଘଟଣା ନେଇ କନିଷ୍ଠ ଯନ୍ତ୍ରୀଙ୍କ ରିପୋର୍ଟ ପ୍ରକାରେ ଗାଙ୍ଗପୁର ଥାନାରେ କେଶ୍ ନମ୍ବର୍ 27/21 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ୍ କୁ ପଠାଯାଇଥିବା ଥାନା ଅଧିକାରୀ ଧୀରେଶ୍ କୁମାର ଦାଶ ସୂଚନା ଦେଇଛନ୍ତି I


