ବିପଦ ଟଳିନି, ଲକ୍ଡାଉନ୍କୁ ନଫେରିବାର ଉପାୟ ହେଉଛି ସତର୍କତା ଅବଲମ୍ବନ କରିବା: ନବୀନ
ଭୁବନେଶ୍ୱର (ୱାଇଏନ୍ଏସ୍): ନବୀନ ପଟ୍ଟନାୟକ କରୋନା ସମ୍ପର୍କରେ ସମ୍ବୋଧନ କରି କହିଛନ୍ତି, ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ । ଜନତାଙ୍କ ସହଯୋଗରେ ରାଜ୍ୟରେ ଏବେ କରୋନା ନିୟନ୍ତ୍ରଣରେ ରହିଛି । କରୋନା ମହାମାରୀରୁ ଲୋକଙ୍କୁ ରକ୍ଷା କରିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ WHO ମଧ୍ୟ ପ୍ରଶଂସା କରିଛି । ଏବେ ଆମର ଦୈନିକ ସଂକ୍ରମଣ ୧୦୦ ତଳେ ରହୁଛି । ତଥାପି ଆମେ ଆହୁରି ସଚେତନ ରହି ମହାମାରୀ ସହ ଲଢ଼େଇ କରିବା। ରୋଗ କ୍ଷେତ୍ରରେ ଆତ୍ମ ସନ୍ତୋଷ ଠିକ୍ ନୁହେଁ କାରଣ ବିପଦ ଏବେ ବି ଟଳି ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ବର୍ତ୍ତମାନ ରାଜ୍ୟରେ କରୋନା ଟୀକାକରଣ ସଫଳ ଭାବରେ ଚାଲିଛି । ଏ ଦିଗରେ ଜନତାଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ବିରୋଧୀ ଲଢ଼େଇରେ ରାଜ୍ୟ ତଥା ଦେଶ ଅନେକ ଯୋଦ୍ଧାଙ୍କୁ ହରାଇଛି। ସେମାନଙ୍କର ପରିବାର ଆଖିରୁ ଆଜି ମଧ୍ୟ ଲୁହ ଶୁଖି ନାହିଁ । ସେହି ଯୋଦ୍ଧାମାନଙ୍କର ବଳିଦାନକୁ ଆମେ କେବେ ବି ବ୍ୟର୍ଥ ଯିବାକୁ ଦେବାନାହିଁ । ସତର୍କ ରହିବା ହିଁ ସହିଦ୍ କରୋନା ଯୋଦ୍ଧାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଚଳି । କରୋନା ନିୟମାବଳୀର ଅନୁପାଳନକୁ କଡ଼ାକଡ଼ି ଭାବରେ ତଦାରଖ କରିବା ପାଇଁ ପ୍ରଶାସନ ଓ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ନିଜେ ସତର୍କ ରହିବା ହିଁ ସବୁଠାରୁ ଭଲ ।
ତେବେ ଏପରି ଅବସ୍ଥାରେ ଲକ୍ଡାଉନ୍କୁ ଫେରିବା ଆଉ ଉଚିତ ନୁହେଁ । ଲକ୍ଡାଉନ୍କୁ ନଫେରିବାର ଗୋଟିଏ ମାତ୍ର ଉପାୟ ହେଉଛି ସତର୍କତା । ସତର୍କ ରହିଲେ ଲକ୍ଡାଉନ୍ ଭଳି ସ୍ଥିତି ଉପୁଜିବ ନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି, ସମସ୍ତେ ପୂର୍ବଭଳି କୋଭିଡ଼୍ ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବରେ ପାଳନ କରିଚାଲିବା । ବାହାରକୁ ଗଲେ ମାସ୍କ୍ ନିଶ୍ଚୟ ପିନ୍ଧିବା । ବେକରେ ଝୁଲାଇକରି ନୁହେଁ, ଠିକ୍ ଭାବରେ ପାଟି ଓ ନାକକୁ ଘୋଡାଇ ରଖି ପିନ୍ଧିବା । ଘରକୁ ଫେରିଲେ ସାବୁନ୍ରେ ଭଲକରି ହାତ ଧୋଇବା । ମୁଁହ, ନାକ ଓ ଆଖିରେ ବାରମ୍ବାର ହାତ ମାରିବା ନାହିଁ । ସମାଜିକ ଦୂରତ୍ୱ ରକ୍ଷାକରି ହାଟ ବଜାର ଆଦି ସ୍ଥାନକୁ ଯିବା ଏବଂ ଅନାବଶ୍ୟକ ଭାବରେ ବାହାରେ ବୁଲାବୁଲି କରିବା ନାହିଁ ବୋଲି ପରାମର୍ଶ ଦେଇଛନ୍ତି ନବୀନ ।


