ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ସୁଧାର ଦାବିରେ ଗଣଧାରଣା ଡିସେମ୍ବରରେ ରାଜଧାନୀରେ ଆନ୍ଦୋଳନ ନିଷ୍ପତ୍ତି
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲାବାସୀଙ୍କୁ ଉନ୍ନତ ତଥା ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପ୍ରଦାନ ଦାବିରେ ବାଲେଶ୍ୱର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଗଣଧାରଣା ଓ ପ୍ରତିବାଦ କାର୍ଯ୍ୟକ୍ରମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱରରେ ମେଡିକାଲ କଲେଜ ପ୍ରତିଷ୍ଠା ପରେ ବି ଜିଲାରେ ବିପର୍ଯ୍ୟସ୍ତ ସରକାରୀ ସ୍ୱାସ୍ଥ୍ୟସେବାର ସ୍ଥାୟୀ ପ୍ରତିକାର ଦାବିକରି ଏହି ଗଣଧାରଣାରେ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଗଣସଂଗଠନର ପ୍ରତିନିଧି, ନିର୍ବାଚିତ ଜନପ୍ରତିନିଧି ଏବ ବହୁ ବୁଦ୍ଧିଜୀବି ଯୋଗ ଦେଇଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ପାଇଁ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ବିଶେଷ କରି ଫକୀରମୋହନ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ରେ ହୃଦରୋଗ, ସ୍ନାୟୁରୋଗ, ମୁତ୍ରାଶୟଜନିତ ଗୁରୁତର ରୋଗର ବିଭାଗ କାର୍ଯ୍ୟକ୍ଷମ କରି ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦେବା, ଜିଲ୍ଲାରେ ଖାଲିପଡ଼ିଥିବା ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ପଦବୀ ପୂରଣ କରିବା, ମଞ୍ଜୁରୀପ୍ରାପ୍ତ ଆୟୁଷ ହସପିଟାଲ୍, ନର୍ସିଂ ଓ ଫାର୍ମାସିଷ୍ଟ କଲେଜ୍ ପ୍ରତିଷ୍ଠା କରିବା, ଏମ୍ସର ବହିର୍ବିଭାଗକୁ ସପ୍ତାହବ୍ୟାପୀ କାର୍ଯ୍ୟକାରୀ କରି ସମସ୍ତ ପ୍ରକାର ରୋଗ ନିରୂପଣ ଯନ୍ତ୍ର ପ୍ରତିଷ୍ଠା କରିବାପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି କରାଯାଇଛି । ଦାବିପୂରଣ ନହେଲେ ଆସନ୍ତା ଡିସେମ୍ବର ମାସରେ ରାଜଧାନୀରେ ଲଗାତର ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି । ଏନେଇ ଗତ ୨୫ ତାରିଖଠାରୁ ଫକୀରମୋହନଙ୍କ ସାଧନାପୀଠ ଶାନ୍ତିକାନନରୁ ୧୫ ଜଣିଆ ପ୍ରତିନିଧି ଦଳ ଜିଲ୍ଲାର ସମସ୍ତ ବ୍ଲକ୍ ଓ ପଞ୍ଚାୟତକୁ ପରିକ୍ରମା ସହ ସ୍ୱାସ୍ଥ୍ୟସେବା ଭଳି ମୌଳିକ ଅଧିକାର ସଂପର୍କରେ ଜନ କରି ଗଣଧାରଣା ସ୍ଥଳରେ ପହଞ୍ôଚଥିଲେ । ଆଜିର ଗଣଧାରଣା କାର୍ଯ୍ୟକ୍ରମରେ କ୍ରିୟାନୁଷ୍ଠାନ କମିଟିର ସଭାନେତ୍ରୀ ମମତା ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା, ଉପସଭାପତି ପ୍ରଭାକର ସାହୁ, ନିରଞ୍ଜନ ରାଉତ ଓ ଦୀନବନ୍ଧୁ ଲେଙ୍କା ସଭା ପରିଚାଳନାରେ ସହାୟତା କରିଥିଲେ । ସାଧାରଣ ସଂପାଦକ ପ୍ରଦୀପ ଦାସଙ୍କ ସମେତ ବିଭିନ୍ନ ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କମଲ ଚକ୍ରବର୍ତ୍ତୀ, କୁମୁଦ ରଂଜନ ଗିରି, ନାରାୟଣ ପ୍ରସାଦ ସାହୁ, ବିଧାନ ଚନ୍ଦ୍ର ରାୟ, ସରସ୍ୱତୀ ପଣ୍ଡା, ଶ୍ୟାମସୁନ୍ଦର ଜେନା, ରବୀନ୍ଦ୍ର ପ୍ରହରାଜ, ଯତୀନ୍ଦ୍ର ମହାନ୍ତି, ମିନତୀ ପ୍ରଧାନ, ଲକ୍ଷ୍ମୀପ୍ରିୟା ଜେନା, ପର୍ଶୁରାମ ବେହେରା, ତରୁଣ ଦାସ, ଡା. ହିମାଂଶୁ ଶେଖର ଦାସ, ଭୁବନେଶ୍ୱର କମିଟିର ସହସଂପାଦକ ନିଆସି ଦାସ, ଅନୁସୂୟା ନାୟକ, ପୂର୍ବତନ ବିଧାୟକ ଚିତ୍ତରଂଜନ ଷଡ଼ଙ୍ଗୀ, ଶତ୍ରୁଘ୍ନ ମଲ୍ଲିକ, ନିରଂଜନ ବେହେରା, ଜଳଧର ପଣ୍ଡା, ସିଭିଲ୍ ସୋସାଇଟି ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଓକିଲ ସଂଘର ସଭାପତି ମନୋଜ ନାୟକ, ରାଧାକୃଷ୍ଣ ଜେନା, ବନ୍ଦନା ପାଲ୍, ସରପଞ୍ଚ ଦିଲ୍ଲୀପ କୁମାର କମିଳାଙ୍କ ସମେତ ଜିଲ୍ଲା କମିଟି ପକ୍ଷରୁ ଉପଦେଷ୍ଟା ସୁବ୍ରତ କର, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ଇଂ. ବନମାଳୀ ନାୟକ, ଡ. କେଶବ ଚରଣ ପଣ୍ଡା, ଡ. କ୍ଷିତିଶ୍ୱର ଦାଶ, କ୍ରିଷ୍ଣା ସାହା, ରମେଶ ଚନ୍ଦ୍ର ଜେନା, ଜତିନ୍ ପାତ୍ର, ସୀତାରାମ ପ୍ରଧାନ, ଇଂ. ହୃଷିକେଶ ସାହୁ, ତପନ୍ ସିଟ୍ ଓ ରୁବି ପରିଡ଼ା ସେମାନଙ୍କ ବକ୍ତବ୍ୟରେ ବିଭିନ୍ନ ସରକାରୀ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ରୋଗୀସେବାର କରୁଣ ଦୃଶ୍ୟ ଓ ଘଟଣାମାନ ଉପସ୍ଥାପିତ କରି ଜନସାଧାରଣଙ୍କୁ ସଠିକ୍ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ଦାବି କରିଥିଲେ । କାର୍ଯ୍ୟକ୍ରମରେ ଗୌରାଙ୍ଗ ପାଣିଗ୍ରାହୀ ସମସ୍ତଙ୍କୁ ସ୍ୱାଗତ ଜଣାଇଥିବା ବେଳେ କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ ଧନ୍ୟବାଦ ଦେଇଥିଲେ ।


