ବିଭାଗୀୟ ଯନ୍ତ୍ରୀଙ୍କ ଉଦାସୀନତା ମନୋଭାବରୁ ବଢୁଛି ଜନ ଅସନ୍ତୋଷ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ରାଜ୍ୟବାସୀଙ୍କୁ ସ୍ୱଚ୍ଛ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ । ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟି କୋଟି ଟଙ୍କ। ବ୍ୟୟରେ ଯୋଜନାମାନ ପ୍ରଣୟନ କରି ଚାଲିଛନ୍ତି । ବାସ୍ତବ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀ ମାନଙ୍କ ଉଦାସୀନତା ମନୋଭାବ ଯୋଗୁଁ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ମିଳୁନଥିବା ଅଭିଯୋଗ ହୋଇଆସୁଛି । ଲୋକଙ୍କ ମୌଳିକ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ଅତି ପରିତାପର ବିଷୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ହିଞ୍ଜିଳିକାଟୁ ପୌରାଞ୍ଚଳବାସୀ ସହରାଞ୍ଚଳ ଜଳଯୋଗାଣ ବ୍ୟବସ୍ଥାରୁ ସଠିକ୍ ଢଙ୍ଗରେ ଉପକୃତ ହେଉନଥିବା ଅଭିଯୋଗ ହେଉଛି । କେତେବେଳେ ଗୋଳିଆ ପାଣି ଯୋଗାଣ ତ ଆଉ କେତେବେଳେ ଜଳ ଯୋଗାଣରେ ଅବ୍ୟବସ୍ଥା ଦେଖାଦେଇଛି । ଏଭଳି କି ଜିୱାଦ ଭଳି ପ୍ରକୃତିକ ବିପର୍ଯ୍ୟୟ ସମୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଘୋର ଅଭାବ ପରିଲକ୍ଷିତ ହୋଇଛି । ହିଞ୍ଜିଳିବାସୀଙ୍କୁ ବିଶୁଦ୍ଧ ପର୍ଯ୍ୟପ୍ତ ପାନୀୟ ଜଳ ଯୋଗାଣ ଲକ୍ଷ୍ୟରେ ସ୍ଥାନୀୟ ପୌର ପରିଷଦ ଓ ଜନସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ଲକ୍ଷ୍ୟ ଥିଲା ସହରାଞ୍ଚଳ ତ୍ୱରିତ ଜଳଯୋଗାଣ ବ୍ୟବସ୍ଥାର କାର୍ଯ୍ୟକାରିତା କିନ୍ତୁ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଜନସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟପଦ୍ଧତି ଯୋଜନାକୁ ବାଟବଣା କରିଛି । ଫଳରେ କୋଟ କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପ ଲୋକଙ୍କ ଅଭାବ ଅସୁବିଧା ମେଣ୍ଟାଇବାରେ ଅସଫଳ ହୋଇଛି । ସ୍ଥାନୀୟ ପୌରାଞ୍ଚଳର ମେଣ୍ଢାଖାଇ ପାହାଡ଼ରେ ୧୦ଲକ୍ଷ, ବରାହୀ ପାହାଡ଼ରେ ୮ଲକ୍ଷ, ଆଙ୍କୋରଡ଼ାରେ ୧.୫ଲକ୍ଷ ଓ ୭୫ ହଜାର, ସୋମପୁର ଠାରେ ୧ଲକ୍ଷ, ଷ୍ଟୋର ହାଉସ ଠାରେ ୩ଲକ୍ଷଓ ୧ଲକ୍ଷ ଓ ନୂଆଁଗଡ଼ ଠାରେ ୫୦ହଜାର ଲିଟର କ୍ଷମତା ବିଶିଷ୍ଟ ଭୂତଳ ଜଳଭଣ୍ଡାର ନିର୍ମିତ ହୋଇଛି । ଏଥଇପାଇଁ ମରାମତି ଓ ଅନ୍ୟାନ ବାବଦକୁ ବିଭାଗ ପକ୍ଷରୁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦ କରଯାଉଥିଲେ ମଧ୍ୟ ନିୟମିତ ଭାବେ ସହରବାସୀ ବିଶୁଦ୍ଧ ଓ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଏଭଳି ଅବ୍ୟବସ୍ଥା ଭିତରେ ବିଭାଗ ପକ୍ଷରୁ କାମଚଳା ନିତି ଆପଣେଇ ଯୋଗାଣ କାର୍ଯ୍ୟକ୍ରମ ଜାରି ରଖିଥିବା ଜଣାପଡ଼ିଛି । ଗତ ୪ ଦିନ ଧରି ପୌରାଞ୍ଚଳର ୧୮ଟି ୱାର୍ଡ଼କୁ ଖୁବ୍ କମ୍ ସମୟ ପାଇଁ ସ୍ଥାନୀୟ ଜନସ୍ୱାସ୍ଥ୍ୟ ଅନୁବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣ କରାଯାଉଥିବା ଦେଖିବାକୁ ମିଳିଛି । ଏ ନେଇ ବିଭିଗୀୟ ସହକାରୀ ଯନ୍ତ୍ରୀ ଶ୍ରୀଧର ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଦୈନିକ ଓଭରହେଡ଼ ଟ୍ୟାଙ୍କରୁ ୩୦ଲକ୍ଷ ଓ ଇନଟେକ ୱେଲରୁ ୧୩ଲକ୍ଷ ଲିଟର ପାନୀୟ ଜଳ ଯୋଗାଣ କରାଯାଉଛି । କିନ୍ତୁ ବହୁ ସାହିରେ ଲୋକେ ପାନୀୟ ଜଳର ଅପଚୟ କରୁଥିବାରୁ ଏଭଳି ନିଅଣ୍ଟିଆ ପରିସ୍ଥିତି ଦେଖାଦେଇଛି । ଏତଦ ବ୍ୟତିତ ୯୦ କର୍ମଚାରୀଙ୍କ ମଧ୍ୟରୁ ମାତ୍ର ୪ଜଣ ନିୟମିତ କର୍ମଚାରୀ କାର୍ଯ୍ୟ କରୁଥିବା ଯୋଗୁଁ ଜଳଯୋଗାଣ ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଛି । ଆଗାମୀ ଦିନରେ ସହରବାସୀଙ୍କୁ ବିଶୁଦ୍ଧ ଓ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ଯୋଗାଣ କରାନଗଲେ ସହରବାସୀ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବେ ବୋଲି କହିଛନ୍ତି ।