ବିଭିନ୍ନ ଆଳ ଦେଖାଇ ମଣ୍ଡି ନେଉନି ଧାନ, ଚାଷୀଙ୍କ ବିକ୍ଷୋଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲାରେ ଧାନମଣ୍ଡି ଗୁଡିକରେ ବିଭିନ୍ନ ଅବ୍ୟବସ୍ଥା ଯୋଗୁଁ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଥିବା ଅଭିଯୋଗ ହୋଇଛି. ବିଭିନ୍ନ ଆଳ ଦେଖାଇ ଚାଷୀଙ୍କ ଧାନକୁ ଫେରାଇ ଦିଆଯାଉଛି। ସମୟ ନଷ୍ଟ ସାଙ୍ଗକୁ ପରିଶ୍ରମ ଓ ଗାଡ଼ି ଭଡ଼ା ଖର୍ଚ୍ଚ ଚିନ୍ତାର କାରଣ ପାଲଟିଛି। ଧାନ ଫେରାଇ ଦେଉଥିବାରୁ ଗୋଷାଣୀ ବ୍ଲକର ବିଭିନ୍ନ ମଣ୍ଡିରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଚାଷୀମାନେ ଏନେଇ ବିକ୍ଷୋଭ ପ୍ରଦର୍ଶନ କରିଥୁବା ବେଳେ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ପହଞ୍ଚିବା ସହ ଘଟଣାର ସମାଧାନ କରିବା ନେଇ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।ବିଳମ୍ବରେ ଧାନ ମଣ୍ଡି ଖୋଲିବା ପରେ ଧାନ କ୍ରୟରେ କେନ୍ଦ୍ରରେ ଚରମ ଅବ୍ୟବସ୍ଥା ନଜରକୁ ଆସୁଛି। ଟୋକନ ଧରି ଚାଷୀ ଧାନ ନେଇ ମଣ୍ଡିରେ ପହଞ୍ଚୁଛି। ଧାନକୁ ନିମ୍ନ ମାନ, କନି ଛଟନ୍ ଆଦିକୁ ନେଇ ଚାଷୀଙ୍କୁ କୁହାଯାଉଛି। ଏନେଇ ଫେରାଇ ନେବାକୁ କୁହାଯାଉଛି। ଚାଷୀମାନେ ଆରଏମସି ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥି ସହ ଗୋଷାଣିର ଚାଷୀଙ୍କୁ କାଶୀନଗର ମିଲ୍କୁ ଧାନ ଦେବାକୁ କୁହାଯାଉଛି। ଯାହାକି ୫୦ କିଲୋମିଟର ପରିବହନ ଖର୍ଚ୍ଚ ବହନ କରିବାକୁ ପଡୁଛି ଚାଷୀକୁ। ଏହାକୁ ନେଇ ମଧ୍ୟ ଚାଷୀଙ୍କ ଠାରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ପହଞ୍ଚି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଫୁଲ ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ନିୟନ୍ତ୍ରିତ ବଜାର କମିଟି ସଂପାଦକ ପ୍ରମୁଖଙ୍କ ସହ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ.