ବେଆଇନ ବାଲି ଉତ୍ତୋଳନ ବିରୋଧରେ ଜିଲାପାଳଙ୍କୁ ଗ୍ରାମବାସୀଙ୍କ ଫେରାଦ
ବାଲେଶ୍ୱର, (ସରୋଜ ପଣ୍ଡା) :-ସଦର ତହସିଲ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର କସବା-ଦହପଡ଼ା ଅଞ୍ଚଳରୁ ବେଆଇନ ବାଲି ଉତ୍ତୋଳନକୁ ବିରୋଧ ସହ ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା । ଏନେଇ ସଦର ବ୍ଲକର ନଗ୍ରମ ଓ ରେମୁଣା ବ୍ଲକର ଦହପଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଲୋକେ ମିଳିତ ଭାବେ ଶୁକ୍ରବାର ଜିଲାପାଳଙ୍କୁ ସାକ୍ଷାତ ସହ ବେଆଇନ ବାଲି ଉତ୍ତୋଳନରୁ ସମ୍ଭାବ୍ୟ ବିପଦ ସମ୍ପର୍କରେ ଅଭଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ କଣ୍ଟାବଣିଆ ଗ୍ରାମର ଜନୈକ ବ୍ୟକ୍ତି ୨୦୧୭ରୁ ୨୦୨୩ ମସିହା ପର୍ଯ୍ୟନ୍ତ ୫ ବର୍ଷ ପାଇଁ ସମ୍ପୃକ୍ତ ବାଲି ସୈରାତକୁ ନିଲାମ ନେଇଥିଲେ । ତେବେ ବାଲି ଉତ୍ତୋଳନରେ କୌଣସି ଯନ୍ତ୍ରପାତି ବ୍ୟବହାର ନ କରିବାକୁ ନିୟମ ନଥିବା ବେଳେ ପ୍ରତିଦିନ ପୋକଲିନ ସାହାଯ୍ୟରେ ନଦୀଗର୍ଭରୁ ମନଇଚ୍ଛା ବାଲି ଉତୋଳନ ସହ ଚାଲାଣ କରାଯାଉଛି । ଅନ୍ୟପକ୍ଷରେ ନଦୀ ପଠାରୁ ୪୦ ମିଟର ଛାଡ଼ି ଏବଂ ମାତ୍ର ୩ ମିଟର ଗଭୀର ପର୍ଯ୍ୟନ୍ତ ବାଲି ଉଠାଇବାର ଥିବା ନିୟମକୁ ଲିଜଧାରୀ ଖୋଲା ଉଲଂଘନ କରୁଛନ୍ତି ବୋଲି ସେମାନେ କହିଛନ୍ତି । ଏହା ଦ୍ୱାରା ପ୍ରଶାସନ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଥିବା ବେଳେ ନଦୀରେ ଗଣ୍ଡ ସୃଷ୍ଟି ହୋଇ ସାଧାରଣ ଜୀବନ ପ୍ରତି ବିପଦ ଦେଖାଦେଇଛି ବୋଲି ଗ୍ରାମବାସୀମାନେ ଆରୋପ ଉଠାଇଛନ୍ତି । ଭବିଷ୍ୟତ ରେ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆସିଲେ ନଦୀର ଗତିପଥ ପରିବର୍ତନ ହୋଇ ନିକଟସ୍ଥ ଗ୍ରାମ ମଧ୍ୟକୁ ବନ୍ୟାଜଳ ପଶିବାର ଆଶଙ୍କା ସୃଷ୍ଟି ହୋଇଛି । ଏହି ବାଲି ସୈରାତ ନିଲାମକୁ ତୁରନ୍ତ ବାଜ୍ୟାପ୍ତ ପାଇଁ ଗ୍ରାମମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଥିଲେ । ଏନେଇ ସେମାନେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ସୃଷ୍ଟିଧର ଦାସ, ଆକବର ଖାଁ, ଶେଖ ହାପିଜୁଦ୍ଦିନ, ଶେଖ ୟୁନୁସ, ରମେଶ ଦାସ, ଜ୍ୟୋତିରଞ୍ଜନ ଦାସ, ଉପେନ୍ଦ୍ର ଦାସ, ଶେଖ ରସିଦ, ହେମନ୍ତ ଦାସ, ଜିତୁ ଦାସ, ଶିବୁ ଦାସ, ଆଶିଷ ଦାସ, ଶଙ୍କର୍ଷଣ ଦାସ, ଲୁଲୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


