ବେଦାନ୍ତ ସିଦ୍ଧାନ୍ତ ମୁକ୍ତିର ମାର୍ଗ


ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ

ଭାରତୀୟ ଆସ୍ତିକ ଦର୍ଶନ ମଧ୍ୟରେ ଅଦ୍ୱୈତ ବେଦାନ୍ତ ଦର୍ଶନକୁ ସମସ୍ତ ଦର୍ଶନର ଶିରୋମଣି ବୋଲି କୁହାଯାଏ। କାରଣ ଏହି ଦର୍ଶନର ମୂଳଲକ୍ଷ୍ୟ ହେଉଛି ଜୀବର ଆତ୍ୟନ୍ତିକ ଦୁଃଖ ଦୂରକରି ପରମାନନ୍ଦ ପ୍ରଦାନ କରିବା। ଯାହାର ସରଳ ଅର୍ଥ ହେଉଛି ମୁକ୍ତି ବା ମୋକ୍ଷ। ଏହି ମୁକ୍ତି ଅବସ୍ଥା ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ, ଯଥା ଜୀବନମୁକ୍ତି ଓ ବିଦେହ ମୁକ୍ତି। ଉଭୟ ଅବସ୍ଥା ମଧ୍ୟରେ ଥିବା ମୂଳ ପାର୍ଥକ୍ୟ ହେଉଛି ଯେ, ଜୀବ ସାଧାରଣତଃ ଜୀବିତ ଅବସ୍ଥାରେ ଯେଉଁ ମୁକ୍ତି ପାଇଥାଏ ତାହାକୁ ଜୀବନ ମୁକ୍ତି ଏବଂ ଶରୀର ପାତ ବା ମୃତ୍ୟୁ ପରେ ଯାହା ପ୍ରାପ୍ତ ହୁଏ ତାହାକୁ ବିଦେହ ମୁକ୍ତି କୁହାଯାଏ।

ଶରୀରଧାରୀ ମଣିଷ ଜୀବିତ ଅବସ୍ଥାରେ ହିଁ ପରମ ଜ୍ଞାନ ବା ବ୍ରହ୍ମଜ୍ଞାନ ପ୍ରାପ୍ତ ହେବାକୁ ‘ଜୀବନମୁକ୍ତି’ କୁହାଯାଏ। ଏହି ଅବସ୍ଥା କେବଳ ସେହି ବ୍ୟକ୍ତି ବିଶେଷଙ୍କୁ ପ୍ରାପ୍ତ ହୋଇଥାଏ; ଯେଉଁମାନେ କି ଅଦ୍ୱୈତ ବେଦାନ୍ତ ବିହିତ ତତ୍ତ୍ଵକୁ ହୃଦୟାଙ୍ଗ କରିଥାନ୍ତି। ଏହାର ମୁଖ୍ୟ ବୈଶିଷ୍ଟ୍ୟହେଲା ଏପରି ବ୍ୟକ୍ତିମାନେ ସଂସାରରେ ରହନ୍ତି, କିନ୍ତୁ ସଂସାରର ମାୟା-ମୋହ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ। ଏହିମାନଙ୍କୁ ସୁଖ-ଦୁଃଖ, ଲାଭ-କ୍ଷତି କିମ୍ବା ନିନ୍ଦା-ପ୍ରଶଂସାରେ କୌଣସି ପ୍ରଭାବ ପଡ଼େ ନାହିଁ। ଯାହାର ଦୃଷ୍ଟାନ୍ତ ଶ୍ରୀମଦ୍ ଭଗବଦ୍ ଗୀତାରେ ଦେଖା ଯାଏ:-
ସମଃ ଶତ୍ରୌ ଚ ମିତ୍ରେ ଚ ତଥା ମାନାପମାନୟୋଃ ।
ଶୀତୋଷ୍ଣସୁଖଦୁଃଖେଷୁ ସମଃ ସଙ୍ଗବିବର୍ଜିତଃ ।।
ତୁଲ୍ୟନିନ୍ଦାସ୍ତୁତିର୍ମୌନୀ ସନ୍ତୁଷ୍ଟୋ ଯେନ କେନଚିତ୍ ।
ଅନିକେତଃ ସ୍ଥିରମତିର୍ଭକ୍ତିମାନ୍‌ମେ ପ୍ରିୟୋ ନରଃ ।।
ଅର୍ଥାତ୍ ଯେଉଁମାନେ ମିତ୍ର – ଶତ୍ରୁଙ୍କ ପ୍ରତି ସମଭାବ ପ୍ରଦର୍ଶନ କରନ୍ତି ଏବଂ ମାନ – ଅପମାନ, ଶୀତ – ଉଷ୍ଣ, ସୁଖ ଓ ଦୁଃଖାଦିରେ ସମଭାବାପନ୍ନ ରହିବା ସହ କୁସଙ୍ଗରୁ ଦୂରେଇ ରୁହନ୍ତି। ତତ୍ସହିତ ମାଉନରେ ରହି ସାଧନାରତ ଥାନ୍ତି। ଏହି ସାଧନାରୁ ଯାହା କିଛି ଏମାନଙ୍କୁ ଉପଲବ୍ଧ ହୁଏ, ସେଥିରେ ହିଁ ସେ ସନ୍ତୁଷ୍ଟ ରହନ୍ତି ଏଵଂ ବାସସ୍ଥାନ ପ୍ରତି ଆସକ୍ତ ହୁଅନ୍ତି ନାହିଁ । ଏମାନଙ୍କ ବୁଦ୍ଧି ଦୃଢ଼ ଭାବରେ ମୋ ( ବ୍ରହ୍ମ ) ଠାରେ ସ୍ଥିର ଥାଏ ଏବଂ ମୋ’ ପ୍ରତି ପ୍ରଗାଢ଼ ଭକ୍ତି ମଧ୍ୟ ରହିଥାଏ। ତେଣୁ ଏପରି ବ୍ୟକ୍ତି ବିଶେଷ ମୋର ଅତ୍ୟନ୍ତ ପ୍ରିୟ ଅଟନ୍ତି ।

ଜୀବନମୁକ୍ତ ଜ୍ଞାନୀ ପୁରୁଷ ସଦା ସର୍ବଦା ଆତ୍ମାନନ୍ଦରେ ଲୀନ ରହୁଥିବା କାରଣରୁ, ଏହିମାନଙ୍କ ସମସ୍ତ ‘ସଞ୍ଚିତ’ ଓ ‘ଆଗାମୀ’ କର୍ମ ବିନଷ୍ଟ ହୋଇଯାଏ। ଯାହାର ଦୃଷ୍ଟାନ୍ତ ଉପନିଷଦରେ ଦେଖିବାକୁ ମିଳେ:
ଭିଦ୍ୟତେ ହୃଦୟଗ୍ରନ୍ଥିଶ୍ଛିଦ୍ୟନ୍ତେ ସର୍ବସଂଶୟାଃ ।
କ୍ଷୀୟନ୍ତେ ଚାସ୍ୟ କର୍ମାଣି ତସ୍ମିନ୍ ଦୃଷ୍ଟେ ପରାବରେ ॥
ଏହାର ଅର୍ଥ, ଯେତେବେଳେ ସେହି ପରମ ବ୍ରହ୍ମ (ପରାବର) ବା ସର୍ବୋଚ୍ଚ ସତ୍ୟର ସାକ୍ଷାତ୍କାର ହୁଏ, ସେତେବେଳେ ହୃଦୟରେ ଥିବା ସମସ୍ତ ଅଜ୍ଞାନରୂପକ ଗ୍ରନ୍ଥି (ଗଣ୍ଠି ) ବା ବନ୍ଧନ ଛିନ୍ନ ହୋଇଯାଏ। ଯାହାଫଳରେ ଆତ୍ମା ଓ ପରମାତ୍ମାଙ୍କୁ ନେଇ ଥିବା ସମସ୍ତ ସନ୍ଦେହ ବା ସଂଶୟ ଦୂରଯାଏ। ଏହା ଦ୍ବାରା ମନୁଷ୍ୟର ସମସ୍ତ ସଞ୍ଚିତ କର୍ମ ଓ ଏହାର ଫଳ ନଷ୍ଟ ହୋଇଥାଏ, ଅର୍ଥାତ୍ ସେ ଜନ୍ମ-ମୃତ୍ୟୁ ଚକ୍ରରୁ ମୁକ୍ତ ହୋଇଯାଏ ଏବଂ ଯିଏ ସର୍ବଶ୍ରେଷ୍ଠ ବା କାର୍ଯ୍ୟ ଓ କାରଣର ଉଭୟରୁ ଉର୍ଦ୍ଧ୍ଵରେ ସେହି ପରମ ବ୍ରହ୍ମ ବା ସର୍ବୋଚ୍ଚ ସତ୍ୟର ସାକ୍ଷାତ୍କାର ହେବା ମାତ୍ରେ ହିଁ ଉପରୋକ୍ତ ତିନୋଟି ଯାକ ସ୍ଥିତି ( ଗଣ୍ଠି ଖୋଲିବା, ସଂଶୟ ଦୂର ହେବା ଓ କର୍ମ ନଷ୍ଟ ହେବା) ସ୍ଵତଃ ସିଦ୍ଧ ହୋଇଯାଏ। କିନ୍ତୁ ଶରୀର ଧାରଣ ପାଇଁ ପ୍ରାରବ୍ଧ କର୍ମ ବାକି ରହିଥାଏ।

ଏହି ମୁକ୍ତି ସହ ତିନି ପ୍ରକାରର କର୍ମ ଜଡ଼ିତ, ଯଥା:- ପ୍ରାରବ୍ଧ କର୍ମ, କ୍ରିୟମାଣ କର୍ମ ଓ ସଞ୍ଚିତ କର୍ମ। ଯାହା ବେଦାନ୍ତ ଅନୁସାରେ ମଣିଷର ମୁକ୍ତି ସହିତ ସିଧାସଳଖ ସମ୍ପର୍କ ରହିଛି। ସେଥି ମଧ୍ୟରୁ ସଞ୍ଚିତ କର୍ମ, ଯାହା ମଣିଷର ଅତୀତ ଏବଂ ତା’ର ଅନେକ ଜନ୍ମର ଏକତ୍ରିତ ହୋଇ ରହିଥିବା କର୍ମର ଭଣ୍ଡାର। ଏହି କର୍ମ ବ୍ରହ୍ମଜ୍ଞାନ ପ୍ରାପ୍ତ ହେବା ଦ୍ୱାରା ଜ୍ଞାନର ଅଗ୍ନିରେ ଭସ୍ମ ହୋଇଯାଏ ବୋଲି ଭଗବଦ୍ ଗୀତାରେ କୁହାଯାଇଛି:
ଯଥୈଧାଂସି ସମିଦ୍ଧୋଽଗ୍ନିର୍ଭସ୍ମସାତ୍‌କୁରୁତେଽର୍ଜୁନ ।
ଜ୍ଞାନାଗ୍ନିଃ ସର୍ବକର୍ମାଣି ଭସ୍ମସାତ୍‌କୁରୁତେ ତଥା ।।
ଅର୍ଥାତ୍:- ହେ ଅର୍ଜୁନ! ଗୋଟିଏ ଛୋଟ ସ୍ଫୁଲିଙ୍ଗର ମଧ୍ୟ ଏକ ବିରାଟ ଅଗ୍ନିକାଣ୍ଡ ଘଟାଇବାର ସହାୟକ ହୋଇଥାଏ ଏବଂ ଦହନଶୀଳ ପଦାର୍ଥ ବିଶାଳ ସ୍ତୂପକୁ ମଧ୍ୟ ଜାଳି ପାଉଁଶରେ ପରିଣତ କରିଦିଏ। ସେହିପରି ଜ୍ଞାନ ରୂପକ ଅଗ୍ନି ମଧ୍ୟ ସାଂସାରିକ କର୍ମର ଫଳକୁ ଜାଳି ଭସ୍ମ କରି ଦେଇଥାଏ।

ବ୍ରହ୍ମଜ୍ଞାନ ପ୍ରାପ୍ତ ହେବାପରେ ଜୀବନମୁକ୍ତ ପୁରୁଷ ଜୀବାଦଶା ସମୟରେ ଯେଉଁ ସବୁ କର୍ମ କରେ, ତାହାକୁ ଆଗାମୀ କର୍ମ କୁହାଯାଏ। ଯାହା ସେ, ଅହଂକାର ରହିତ ହୋଇ କରୁଥାଏ। ତେଣୁ ତାଙ୍କୁ କୌଣସି ନୂତନ କର୍ମର ପାପ ବା ପୁଣ୍ୟ ଫଳ ମିଳେ ନାହିଁ। ତେଣୁ ଏଥିରେ ସଞ୍ଚିତ କର୍ମ ସୃଷ୍ଟି ହୁଏ ନାହିଁ। ଜ୍ଞାନ ପ୍ରାପ୍ତି ପରେ ମଧ୍ୟ ପ୍ରାରବ୍ଧ କର୍ମର ଭୋଗ ଶେଷ ନହେବା ପର୍ଯ୍ୟନ୍ତ ଶରୀର ରହିଥାଏ। ଏହି ପ୍ରାରବ୍ଧ କର୍ମ ଶେଷ ହେଲେ ହିଁ ତାହାଙ୍କୁ ବିଦେହ ମୁକ୍ତି ପ୍ରାପ୍ତି ହୋଇଥାଏ। ଏହା ପୂର୍ବରୁ ସେମାନେ ସ୍ଥିତପ୍ରଜ୍ଞ ଅବସ୍ଥାରେ ହିଁ ରହିଥାନ୍ତି। ଏପରି ବ୍ୟକ୍ତି ସଂସାରରେ ରହି ସବୁ କର୍ମ କରନ୍ତି, କିନ୍ତୁ ପଦ୍ମପତ୍ରର ପାଣି ପରି ସେ ସଂସାରରେ ଅନାସକ୍ତ ରହନ୍ତି। ଏହାର ଉଦାହରଣ ଗୀତାରେ ଦେଖାଯାଏ:-
ପ୍ରଜହାତି ଯଦା କାମାନ୍‌ ସର୍ବାନ୍‌ପାର୍ଥ ମନୋଗତାନ୍ ।
ଆତ୍ମନ୍ୟେବାତ୍ମନା ତୁଷ୍ଟଃ ସ୍ଥିତପ୍ରଜ୍ଞସ୍ତଦୋଚ୍ୟତେ ।।
ଅର୍ଜ୍ଜୁନଙ୍କ ସ୍ଥିତପ୍ରଜ୍ଞ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପରମ ପୁରୁଷ ଶ୍ରୀଭଗବାନ କୃଷ୍ଣ କହିଛନ୍ତି, ହେ ପାର୍ଥ! ଯେତେବେଳେ ବ୍ୟକ୍ତି ସମସ୍ତ ସ୍ୱାର୍ଥଯୁକ୍ତ କାମନା ଏବଂ ମନକୁ ଅଶାନ୍ତ କରୁଥିବା ଇନ୍ଦ୍ରିୟ ଲାଳସା ତ୍ୟାଗ କରି ଆତ୍ମାର ଅନୁଭୂତିରେ ସନ୍ତୁଷ୍ଟ ରହେ, ସେପରି ବ୍ୟକ୍ତିଙ୍କୁ ସ୍ଥିତପ୍ରଜ୍ଞ ବା ଜୀବନମୁକ୍ତ ପୁରୁଷ କୁହାଯାଏ ।

ସଂକ୍ଷେପରେ କହିବାକୁ ଗଲେ, ଜୀବନମୁକ୍ତ ପୁରୁଷ ସର୍ଵଦା ସତ୍ (ଅସ୍ତିତ୍ୱ), ଚିତ୍ (ଚୈତନ୍ୟ) ଏବଂ ଆନନ୍ଦର ଏକ ଅଖଣ୍ଡ ସ୍ୱରୂପକୁ ଅନୁଭବ କରୁଥାଏ। ଏହା ହିଁ ଅଦ୍ଵୈତ ବେଦାନ୍ତର ମୁକ୍ତି ସିଦ୍ଧାନ୍ତ । ଯାହା ମଣିଷକୁ ନିରାଶାବାଦରୁ ମୁକ୍ତ କରି ଏକ ମହାନ ଆତ୍ମବିଶ୍ୱାସ ଆଡକୁ ଅଗ୍ରସର କରେ। ଆମ ମାନଙ୍କୁ ଏ ସତ୍ ଶାସ୍ତ୍ର ଶିକ୍ଷା ଦିଏ ଯେ ବ୍ରହ୍ମ କୌଣସି ଦୂର ଆକାଶରେ ନାହାନ୍ତି, ବରଂ ସେ ଆମ ଭିତରେ ହିଁ ‘ଆତ୍ମା’ ରୂପରେ ବିରାଜମାନ କରିଛନ୍ତି। ମଣିଷ ନିଜର ସୀମିତ ଅହଂକୁ ଭୁଲି ଅଖଣ୍ଡ ବ୍ରହ୍ମଭାବରେ ସ୍ଥିତ ହେବା ହିଁ ଚରମ ଉତ୍କର୍ଷର ନିଦର୍ଶନ।

ଦର୍ଶନ ଅଧ୍ୟାପକ
ସଂସ୍କୃତ ମହାବିଦ୍ୟାଳୟ
କବିସୂର୍ଯ୍ୟ ନଗର, ଗଞ୍ଜାମ।
୯୮୬୧୩୩୪୮୬୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ