ଗୋଟିଏ କୋଠରୀରେ ୬ଟି ଶ୍ରେଣୀ, ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କୁଆଡ଼ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାର ଦୟନୀୟ ଚିତ୍ର ସମସ୍ତଙ୍କୁ ଚକିତ କରିଦେବ l ୧୯୭୯ ମସିହାରେ ଏହି ବିଦ୍ୟାଳୟ ସ୍ଥାପିତ ହୋଇଥିବା ବେଳେ ଏବେ ଗୋଟିଏ ଗୃହରେ ଅଫିସ କାର୍ଯ୍ୟ ସହ ଶିଶୁ ବାଟିକାରୁ ୫ ଶ୍ରେଣୀ ପର୍ଯ୍ୟନ୍ତ ୨୬ ଜଣ ଛାତ୍ରୀଛାତ୍ର ପଢୁଛନ୍ତି l ଏପରିକି ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ଚାଉଳ, ଜାଳ କାଠ, ଅନ୍ୟାନ୍ୟ ଜିନିଷ ପତ୍ର ମଧ୍ୟ ସେହି ଶେଣୀଗୃହ ଭିତରେ ରଖା ଯାଇଛି। ଦୀର୍ଘ ବର୍ଷ ହେବ ବିଦ୍ୟାଳୟକୁ ସରକାରୀ ଅନୁଦାନ ମିଳୁନଥିବାରୁ ବିଦ୍ୟାଳୟର ସ୍ଥିତି ବଦଳି ପାରୁନି l ସରକାର ସମଗ୍ର ଓଡ଼ିଶାରେ ବିଦ୍ୟାଳୟ ମାନଙ୍କରେ ଉନ୍ନତ ଭିତ୍ତିଭୂମି ନେଇ ବଡ ବଡ ଘୋଷଣା କରୁଛନ୍ତି। କିନ୍ତୁ ଏଠି ତାହା କାର୍ଯ୍ୟକାରୀ ହୋଇ ପାରିନି l ୨୬ ଜଣ କୁନି କୁନି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପାଇଁ   ଜଣେ ଶିକ୍ଷୟିତ୍ରୀ ଏବଂ ଜଣେ ଶିକ୍ଷକ ମୋଟ ୨ ଜଣ ଅଛନ୍ତି l ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ବିଦ୍ୟାଳୟ ପାଇଁ ଅଲଗା ଅଲଗା କ୍ଲାସ ରୁମ୍ ନାହିଁ। ଗୋଟିଏ ମାତ୍ର ଗୃହ ଭିତରେ ହିଁ ଅଫିସ ସହ ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ  ପିଲା ଏକାଠି ବସି ପାଠ ପଢୁଛନ୍ତି। ଏକ ସଙ୍ଗେ ଦୁଇ ଜଣ ଗୋଟିଏ ଗୃହରେ ଶିକ୍ଷାଦାନ କରୁଥିବା  ବେଳେ ତାହା ବଡ଼ ଅଡୁଆ ଏବଂ କୋଳାହଳ ପରିବେଶ ସୃଷ୍ଟି କରୁଛି l ପାଠପଢା କ୍ଷେତ୍ରରେ ରେ ବ୍ୟାଘାତ ଘଟୁଛି l ପିଲାମାନେ ଠିକ ଭାବେ ପାଠ ପଢିପାରୁ ନାହାଁନ୍ତି l ବିଦ୍ୟାଳୟର ଚାରିପଟେ ପାଚେରୀ ନାହିଁ। ଫଳରେ ଗୋରୁ, କୁକୁର,ଛେଳି ମଧ୍ୟ ଅଧିକାଂଶ ସମୟରେ ପଶି ଆସୁଛନ୍ତି। ବିଦ୍ୟାଳୟର ନାମ ଲେଖା ଥିବା ପ୍ରବେଶ ଫାଟକ ନାହିଁ  ମୋଟ ଦୁଇ ଜଣ ଶିକ୍ଷକ,ଶିକ୍ଷୟିତ୍ରୀ ବର୍ଷା ଦିନେ କାଦୁଅ ରାସ୍ତାରେ ଚାଲି ଚାଲି ବିଦ୍ୟାଳୟକୁ ଆସୁଛନ୍ତି। ଏପରି ଘଟଣା ପ୍ରଶାସନର ଉଦାସୀନତାକୁ ପଦାରେ ପଡିବା ସ୍ପଷ୍ଟ ଦେଖାଯାଉଛି। ବିଦ୍ୟାଳୟ କମିଟି ତରଫରୁ ବାରମ୍ବାର ବ୍ଲକ ଶିକ୍ଷା ଅଧିକାରୀ ଏବଂ ଜିଲା ଶିକ୍ଷା ଅଧିକାରୀ, ଜିଲାପାଳଙ୍କୁ ଜଣାଇଛନ୍ତି, ହେଲେ ଅଦ୍ୟାବଧି କୌଣସି ସୁଫଳ ମିଳିନି । ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ପରିଡା କହିଛନ୍ତି ଯେ ବିଦ୍ୟାଳୟର ମାତ୍ର ଗୋଟିଏ ଗୃହରେ ଅଫିସ ଏବଂ ଶିଶୁ ବାଟିକାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢୁଛନ୍ତି l କିନ୍ତୁ ସରପଞ୍ଚଙ୍କ ଲିଖିତ ପ୍ରତିଶୃତି ଅନୁସାରେ ନୂତନ ଶୌଚାଳୟ ନିର୍ମାଣ ହୋଇ ପାରିନି l ଏପରିକି ବର୍ଷା ଦିନେ ପ୍ରାୟ ୨କିମି କାଦୁଅ ରାସ୍ତାରେ ଚାଲିଚାଲି ବିଦ୍ୟାଳୟକୁ ଯାଇଥାଉ l ଅଭିଭାବକ ରଞ୍ଜନ ଜେନା, ସଞ୍ଜୟ ଜେନା, ପ୍ରଫୁଲ୍ଲ ଜେନା, ରଶ୍ମିତା ଜେନା, ଶ୍ରୀକାନ୍ତ ଜେନା ପ୍ରମୁଖ  କହିଛନ୍ତି ଯେ ସରକାରୀ ବିଦ୍ୟାଳୟର ଏଭଳି ଅବସ୍ଥା ହେଲେ ଆମ ପିଲା କେମିତି ପାଠ ପଢିବେ? ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜୟଦେବ ଜେନା କହିଛନ୍ତି ଯେ ବିଦ୍ୟାଳୟର ପାଚେରୀ ନଥିବା ବେଳେ ଶ୍ରେଣୀ ଗୃହର ଅଭାବ ରହିଛି l  ବିଦ୍ୟାଳୟ ସମସ୍ୟା ନେଇ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଦୀର୍ଘ ବର୍ଷ ହେବ ଦୃଷ୍ଟି ଆକର୍ଷଣ କରି ଆସୁଛୁ l କିନ୍ତୁ ବିଦ୍ୟାଳୟର ଦୁଃଖ ଟିକିଏ ବି ଦୂର ହେଲାନି l ବିଦ୍ୟାଳୟର ନାମ ଲେଖା ଥିବା ପ୍ରବେଶ ଫାଟକ ନଥିବାରୁ ହଠାତ ଏହା ଏକ ବିଦ୍ୟାଳୟ ବୋଲି କେହି ଜାଣିପାରିବେନି l ସମଣା ସରପଞ୍ଚ ଜଗବନ୍ଧୁ କାଣ୍ଡି କହିଛନ୍ତି ଯେ  ଶୌଚାଳୟ ନିର୍ମାଣ ପାଇଁ ଦେଇଥିବା ଲିଖିତ ପ୍ରତିଶୃତି ଅନୁସାରେ ଅନୁଦାନ ଅନୁମୋଦନ ହୋଇ ବ୍ୟୟ ବରାଦ ସରିଛି l ସମସ୍ୟା ଥିବାରୁ ଶୌଚାଳୟ ନିର୍ମାଣ ହୋଇ ପାରିନି l  l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ