ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଥମ ବୈଠକ : ସ୍ଵାସ୍ଥ୍ୟ ସମସ୍ୟାକୁ ନେଇ ଉଦ୍‌ବେଗ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଆଜି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଥମ ବୈଠକ ଏନ୍ଏସି କାର୍ଯ୍ୟାଳୟର ବୈଠକ ଗୃହ ଠାରେ କାର୍ଯ୍ୟ ନିର୍ବାହି ଅଧିକାରୀ ରାକେଶ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଆଜିର ଏହି ବୈଠକରେ ବେଲଗୁଣ୍ଠାରେ ଭୁଷୁଡି ପଡ଼ିଥିବା ସ୍ୱାସ୍ଥ୍ୟ ସେବାକୁ ନେଇ ସମସ୍ତ କାଉନସିଲର୍ ଅଭିଯୋଗ କରିଥିଲେ I କିଛିଦିନ ତଳେ ଚଢିଆପଲ୍ଲୀ ଗ୍ରାମର ଏକ ଶିଶୁ ପୋଖରୀରେ ବୁଡ଼ି ମୃତ୍ୟୁ ବରଣ କରିଥିଲା I ତାକୁ ବେଲଗୁଣ୍ଠା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ଡ଼ାକ୍ତର ତାକୁ ପ୍ରଥମେ ମୃତ ଘୋଷଣା କରିବା ପରେ ପରବର୍ତ୍ତୀ ସମୟରେ ତାକୁ ଖାମଖିଆଲି ଭାବେ ବ୍ରହ୍ମପୁର ନେବାକୁ ରେଫର୍ କରିଥିଲେ I ଯାହା ଏକ ଉଦ୍‌ବେଗର ବିଷୟ ପାଲଟିଥିଲା I ତେଣୁ ଏହାର ତଦନ୍ତ ହେବା ଆବଶ୍ୟକ ବୋଲି କାଉନସିଲର୍ ଦିବ୍ୟରଞ୍ଜନ ଦାଶ ଅଭିଯୋଗ କରିଥିଲେ I ସେହିପରି ତା ପର ଦିନ ବେଲଗୁଣ୍ଠା ଗୋଲାସାହିର ଏକ ଶିଶୁ ଗାଧୋଉଥିବା ସମୟରେ ଅସାବଧାନତା ବଶତଃ ପାଣିରେ ବୁଡ଼ି ଯିବା ପରେ ସ୍ଥାନୀୟ ଲୋକେ ତାକୁ ମୁମୂର୍ଷୁ ଅବସ୍ଥାରେ ବେଲଗୁଣ୍ଠା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ I କିନ୍ତୁ ସେଠାରେ କୌଣସି ଡ଼ାକ୍ତର ନଥିବାରୁ ଚିକିତ୍ସା ଅବହେଳା ଯୋଗୁଁ ଦୁଇଘଣ୍ଟା ପରେ ଶିଶୁଟି ମୃତ୍ୟୁ ବରଣ କରିଥିବା ନେଇ ମେଡ଼ିକାଲ୍ ରେ ଉତ୍ତେଜନା ପ୍ରକାଶ ପାଇଥିଲା I ତେଣୁ ସେହି ସମୟରେ କେଉଁ ଡାକ୍ତର କାର୍ଯ୍ୟରେ ଅବହେଳା କରିଥିଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁ୍ଷ୍ଠାନ ଦାବି କରିଥିଲେ କାଉନସିଲର୍ ଏସ୍ ଭାସ୍କର ପାତ୍ର I ସେହିପରି ଅନ୍ୟ ଏକ ଘଟଣାକ୍ରମେ ବେଲଗୁଣ୍ଠା ଏନ୍ଏସିର କନିଷ୍ଠ ଯନ୍ତ୍ରୀ ବିଶ୍ୱରଂଜନ ଜେନାଙ୍କୁ ତରଳ ଝାଡ଼ା ହେବାରୁ ସେ ବେଲଗୁଣ୍ଠା ମେଡିକାଲ୍ କୁ ଆସିଥିଲେ I ସେଠାରେ ଡ଼ାକ୍ତର ଶୁଭମ୍ ପାତ୍ର ତାଙ୍କୁ ଭୂଲ୍ ଇଞ୍ଜେକ୍ସନ ଦେବାରୁ ପାର୍ଶ୍ଵପ୍ରତିକ୍ରିୟା ଘଟି ସେ ଗୁରୁତର ହୋଇପଡ଼ିଥିଲେ I ପରବର୍ତ୍ତୀ ସମୟରେ ସେ ଭଞ୍ଜନଗର, ବ୍ରହ୍ମପୁର ଏବଂ ଭୁବନେଶ୍ୱର ଯାଇ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣା ପଡିଛି I ଜଣେ ଡାକ୍ତର ସାମାନ୍ୟ ଅବହେଳାରୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ଜେନା ନିଜ ଚିକିତ୍ସାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସାରିଥିଲେ ମଧ୍ୟ ଆଜି ସୁଦ୍ଧା ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବା ସୂଚନା ମିଳିଛି I ତେଣୁ ଏହି ମାମଲାରେ ଡ଼ାକ୍ତର ଶୁଭମ୍ ପାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁ୍ଷ୍ଠାନ ଗ୍ରହଣ କରିବା ସହିତ ମେଡ଼ିକାଲ୍ ରେ ଖାଲି ପଡ଼ିଥିବା ଆବଶ୍ୟକ ଡ଼ାକ୍ତର ପଦବୀ ପୂରଣ ପାଇଁ ଜିଲ୍ଳାପାଳଙ୍କୁ ଚିଠି ଲେଖିବା ପାଇଁ ବହୁ କାଉନସିଲର୍ ଦାବି କରିଥିଲେ I ଏନେଇ ସୋରଡା ବିଧାୟକଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଥିଲା I ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ବେଲଗୁଣ୍ଠାର ଆବଶ୍ୟକ ଉନ୍ନତି ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ପ୍ରକାଶ କରିଥିଲେ I ଏଥିରେ ଅନ୍ୟତମ ଅତିଥି ରୂପେ ସାଂସଦ ପ୍ରତିନିଧି ତଥା ପୂର୍ବତନ ନଗରପାଳ ରବୀନ୍ଦ୍ର ନାଥ ମହାପାତ୍ର ଯୋଗ ଦେଇ ବେଲଗୁଣ୍ଠାରେ ଥିବା ସାଗରରେ ଏକ ପାର୍କ ନିର୍ମାଣ ସହ ଏଠାରେ ମନୋରମ ପରିବେଶ ସୃ୍ଷ୍ଟି କରିବା ପାଇଁ ପ୍ରତିଶୃ୍ତି ଦେଇଥିଲେ I କୌଣସି କାରଣ ନଥାଇ ରାତ୍ରିକାଳୀନ ବିଦ୍ୟୁତ୍ କାଟ୍ ହେଉଥିବା ବେଳେ ଦିନ ଦଶଟା ପର୍ଯ୍ୟନ୍ତ ସହରରେ ଷ୍ଟ୍ରିଟ ଲାଇଟ ଜଳୁଥିବା ନେଇ କାଉନସିଲର୍ ଦିଲ୍ଲୀପ ଆଚାରୀ ଦୃଷ୍ଟି ଆକର୍ଷଣ କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର, ତହସିଲଦାର ଧରଣୀଧର ବେହେରା, ନଗରପାଳ ଫିରୋଜ କୁମାର ସେଠୀ, ଉପନଗରପାଳ ଟି.ବବିତା କୁମାରୀ ପ୍ରମୁଖ ଯୋଗ ଦେଇଥିବା ବେଳେ ବିଦ୍ୟୁତ୍ ବିଭାଗରୁ ଏସଡିଓ ଆଦିତ୍ୟ ପ୍ରସାଦ ଦାସ, ପିଏଚଡି ଏସଡିଓ ବିନୟ କୁମାର ସାହୁ ,ସହକାରୀ ଯନ୍ତ୍ରୀ ମୃତ୍ୟୁଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ I ଚଢିଆପଲ୍ଲୀ ତିନି ନମ୍ବର୍ ୱାର୍ଡ୍ ରେ ଶୀଘ୍ର ବିଦ୍ୟୁତ୍ କରଣ ପାଇଁ ପଦକ୍ଷେପ ନେବାକୁ ବିଦ୍ୟୁତ୍ ବିଭାଗକୁ ପରାମର୍ଶ ଦିଆଯାଇଥିଲା I ପାନୀୟ ଜଳ ଯୋଗାଣ ପାଇଁ 2250000 ଲିଟର୍ ବିଶିଷ୍ଟ ଓଭର୍ ହେଡ୍ ଟାଙ୍କିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ପିଏଚଡି ବିଭାଗକୁ ଜଣାଇବା ପରେ ଏହା ବୋଡ଼ାନଦୀ ପୋଲ କାମ ସମ୍ପୂର୍ଣ୍ଣ ହେବା ପରେ ଦୁଇମାସ ଭିତରେ କାର୍ଯ୍ୟକ୍ଷମ ହେବ ବୋଲି ବିଭାଗୀୟ ଏସଡିଓ ଶ୍ରୀ ସାହୁ ପ୍ରକାଶ କରିଥିଲେ I ବେଲଗୁଣ୍ଠାର ପ୍ରଥମ ନଗରପାଳ ଘନଶ୍ୟାମ ସାହୁଙ୍କ ଏକ ପ୍ରତିମୂର୍ତ୍ତୀରେ ଏନ୍ଏସି କାର୍ଯ୍ୟାଳୟ ଆଗରେ ସ୍ଥାପନ କରିବା ପାଇଁ ବିଧାୟକ ଶ୍ରୀ ସ୍ୱାଇଁ ପ୍ରତିଶୃ୍ତି ଦେଇଥିଲେ I ବେଲଗୁଣ୍ଠାରେ 100 ରୁ ଉର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀ ରାସନ୍ କାର୍ଡ୍ ପାଇବାରୁ ବଞ୍ଚିତ ହୋଇଥିବାରୁ ଜିଲ୍ଳାପାଳଙ୍କ ସହ ଆଲୋଚନା କରି ସେମାନଙ୍କ ତୁରନ୍ତ ରାସନ୍ କାର୍ଡ ଯୋଗାଇଦେବାକୁ କାଉନସିଲର୍ ମାନେ ବିଧାୟକଙ୍କୁ ଅନୁରୋଧ କରିଥିଲେ I ଏହି ଅବସରରେ ପ୍ରତି ୱାର୍ଡ୍ ର ଲୋକଙ୍କ ସମସ୍ୟା କାଉନସିଲର୍ ମାନଙ୍କ ଦ୍ୱାରା ସମାଧାନ କରିବାକୁ କାଉନସିଲର୍ ମାନେ ଦାବି କରିଥିଲେ I ସମସ୍ତ ୱାର୍ଡ଼୍ ରେ ଥିବା ମରାମତି କରିବା ପାଇଁ ନିର୍ବାହି ଅଧିକାରୀ ଏସ୍ ରାକେଶ କୁମାର ପାତ୍ର ପ୍ରତିଶୃ୍ତି ଦେଇଥିଲେ I ଆଜିର ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ କାଉନସିଲର୍ ପ୍ରିୟମ୍ବଦା ସାମଲ, ପ୍ରଗତି ପାତ୍ର, ପ୍ରତିମା ସ୍ୱାଇଁ, ଦିବ୍ୟ ରଞ୍ଜନ ଦାଶ, ଏସ୍ ଭାସ୍କର ପାତ୍ର, ପ୍ରଦୀପ ସ୍ଵାଇଁ, ଦିଲ୍ଲୀପ୍ ଆଚାରୀ, କାହ୍ନୁ ଚରଣ ସାହୁ, ବିଶ୍ଵନାଥ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ କାଉନସିଲର୍ ମାନଙ୍କ ସହ ଏନ୍ଏସି କର୍ମଚାରୀ ମାନଙ୍କ ପରିଚୟ ପ୍ରଦାନ କରାଯାଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ