ବୋଝ ନୁହନ୍ତି ବାପାମା’

ଯେମିତି ଜଣେ ମାଳି ସାରା ଜୀବନ ପରିଶ୍ରମ କରି ଏକ ଗଛର ଲାଳନପାଳନ କରିଥାଏ ଓ ଦିନ ରାତି ଏହାର ଯତ୍ନ ନେଇଥାଏ, ଠିକ୍‌ ସେହିପରି ମା’ ବାପାମାନେ ପିଲାଙ୍କ ଲାଳନାପାଳନ କରି ସେମାନଙ୍କୁ ବଡ଼ କରିଥାନ୍ତି। ମାଳିକୁ କେବଳ ଏକ ଦୃଷ୍ଟାନ୍ତ ଭାବେ ନିଆଯାଇପାରେ। ଅସଲରେ ବାପା ମା’ ତା’ଠାରୁ ବହୁ ଊର୍ଦ୍ଧ୍ବରେ। ବର୍ଷ ବର୍ଷ ଧରି ଦେଖାଶୁଣା କରିବା ପରେ ଯେତେବେଳେ ପିଲା ନିଜ ଗୋଡ଼ରେ ଠିଆ ହେବା ଶିଖି ଯାଆନ୍ତି, ଅନେକ ସେମାନେ ନିଜ ବାପା ମା’ଙ୍କ ବଳିଦାନକୁ ଭୁଲି ଯାଆନ୍ତି।
କେବଳ ସ୍ନେହ ଟିକିଏ ଚାହାନ୍ତି
ବୟସ୍କ ହୋଇଯାଇଥିବା ବାପା ମା’ମାନେ ଆମଠାରୁ ପ୍ରେମ ଛଡ଼ା ଆଉ କିଛି ଚାହାନ୍ତି ନାହିଁ। ବାସ୍‌ ଦିନରେ ଥରେ ଦୁଇଥର ସ୍ନେହର ସହ ତାଙ୍କ ଭଲ ମନ୍ଦ ପଚାରିଦେଲେ ସେତିକି ସେମାନଙ୍କ ପାଇଁ ବହୁତ କିଛି। କିନ୍ତୁ ନିଜର ବ୍ୟସ୍ତ ବହୁଳ ଜୀବନରେ ପିଲାମାନେ ବାପା ମା’ଙ୍କ ପାଇଁ ସମୟ ବାହାର କରିପାରୁ ନାହାନ୍ତି। ଆମ ପାଖରେ ଘଣ୍ଟା ଘଣ୍ଟା ସିନେମା ହଲ୍‌ କିମ୍ବା ଶପିଂ ମଲ୍‌ରେ ବିତାଇବାକୁ ସମୟ ତ ଅଛି, କିନ୍ତୁ ବାପା ମା’ଙ୍କ ପାଖରେ କିଛି ମୁହୂର୍ତ୍ତ ବସିବା ପାଇଁ ସମୟ ନାହିଁ।
ମା’ ବାପାଙ୍କ ସହିତ କାହିଁକି ଏମିତି ହେଉଛି
ଯେତେବେଳେ ପିଲା ଛୋଟ ଥାଆନ୍ତି ଖାଇବା ପିଇବା ସମୟରେ ଜିନିଷ ପକାଇ ଦିଅନ୍ତି। କେତେବେଳେ କପଡ଼ାରେ ତ ଆଉ କେତେବେଳେ ଭୂମିରେ। କିନ୍ତୁ ମା’ ବାପାମାନେ ବହୁତ ସ୍ନେହର ସହ କପଡ଼ା ସଫା କରନ୍ତି। ସେମାନଙ୍କୁ ଚୁମ୍ବନ ଦେଇ ପ୍ରେମର ସହ ସଫା କରନ୍ତି। ଏଥିସହିତ ପିଲା ବଡ଼ ହେବା ସହିତ ଖାଇବାର ଉପଯୁକ୍ତ ପଦ୍ଧତି ଶିଖାନ୍ତି। କିନ୍ତୁ ଯଦି ଜଣେ ବୁଢ଼ା ମା’ ବାପା ଖାଇବା ସମୟରେ ନିଜ ଉପରେ କିଛି ପକାଇ ଦିଅନ୍ତି, ତେବେ ସେହି ପିଲା ସେମାନଙ୍କ ଉପରେ ରାଗି ଯାଆନ୍ତି। ଏମିତି କାହିଁକି?
ଈଶ୍ବରଙ୍କ ଉପରେ ମା’ ବାପା
ଭଗବାନ କର୍ମ ମୁତାବକ ଦଣ୍ଡ ଦେଇଥାନ୍ତି। କିନ୍ତୁ ମା’ ବାପାମାନେ ଆମର ହଜାର ଭୁଲ୍‌ ପରେ ମଧ୍ୟ ଆମକୁ କେବେ ବି ଦୁଃଖୀ ଦେଖିପାରି ନ ଥାନ୍ତି। ତେଣୁ ଭଗବାନଙ୍କ ଉପରେ ମା’ ବାପା ରହିଥାନ୍ତି ବୋଲି କୁହାଯାଏ। ମା’ ବାପା ଯେଉଁ ସଂସ୍କାର ଦେଇଥାନ୍ତି, ତାହା ବଳରେ ଆମେ ଜୀବନରେ ବହୁତ କିଛି କରିପାରି ଥାଉ। ଏହା ବଦଳରେ ଆମେ ସେମାନଙ୍କୁ ସମ୍ମାନ ଓ ଭଲ ପାଇବା ଦେବା ଉଚିତ। ଏଥିରେ ଖରାପ ମଧ୍ୟ କିଛି ନାହିଁ। କାରଣ ମା’ ବାପାମାନେ ଥରେ ଚାଲିଗଲେ କେବେ ଆଉ ଫେରି ନ ଥାନ୍ତି। ସେମାନଙ୍କ ଅଭାବ ସାରା ଜୀବନ ଘାରି ଥାଏ। ମା’ ବାପାଙ୍କ ଉପସ୍ଥିତିର ଗୁରୁତ୍ବ କେତେ, ତାହା ଉକ୍ତ ପିଲାଙ୍କୁ ପଚାରନ୍ତୁ ଯେଉଁମାନେ ଅନାଥାଶ୍ରମରେ ଲାଳନପାଳନ ହେଉଛନ୍ତି। ଯଦିଓ ସେମାନଙ୍କର ଅନ୍ୟ କୌଣସି ଜିନିଷରେ ଅଭାବ ହେଉ ନାହିଁ, କିନ୍ତୁ ମା’ ବାପାଙ୍କ ସ୍ଥାନ ଦୁନିଆରେ କେହି ବି ନେଇ ପାରିବେ ନାହିଁ।
ପ୍ରଥମ ଦାୟିତ୍ବ
ମା’ ବାପାଙ୍କ ପ୍ରତି ଆମର କର୍ତ୍ତବ୍ୟ ସର୍ବପ୍ରଥମ ରହିବା ଉଚିତ। ଯେଉଁ ଭଳି ଭାବେ ସେମାନେ ଆମକୁ ପ୍ରେମ ଓ ବିନା ସ୍ବାର୍ଥରେ ପାଳନ୍ତି, ସେହିଭଳି ଭାବେ ବୟସ୍କ ମା’ ବାପାଙ୍କୁ କେବେ ବି ବୋଝ ଭାବିବା ଉଚିତ ନୁହେଁ। ନିଜ ପିଲାଙ୍କ ସହିତ ସେମାନଙ୍କର ମଧ୍ୟ ଯତ୍ନ ନେବା ଉଚିତ। ଦେଖିବେ, ଭଗବାନଙ୍କଠାରୁ କେବେ ବି କିଛି ମାଗିବାର ଆବଶ୍ୟକତା ପଡ଼ିବ ନାହିଁ। ମା’ ବାପାଙ୍କ ଆଶୀର୍ବାଦ ଭଗବାନଙ୍କୁ ଘରକୁ ଆଣିବାକୁ ବାଧ୍ୟ କରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ