ବ୍ରହ୍ମାଦ୍ରି ଶିଳାବ୍ରହ୍ମ ଶ୍ରୀଅଲାରନାଥ

ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ
ଶାସ୍ତ୍ରୀୟ ମାନ୍ୟତା ଅନୁଯାୟୀ, ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ସୁପରିଚିତ ବ୍ରହ୍ମଗିରିର ଅଲାରନାଥ ମନ୍ଦିର। ଅଣସର ସମୟରେ ହିଁ ସର୍ବାଧିକ ଗୁରୁତ୍ୱ ବହନ କରେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସାଧାରଣ ଅଣସର ଏବଂ ନବକଳେବର ସମୟରେ, ଯେତେବେଳେ ଭକ୍ତମାନେ ଶ୍ରୀମନ୍ଦିରର ରତ୍ନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରନ୍ତି ନାହିଁ, ସେତେବେଳେ ସେମାନେ ଏଠାକୁ ଆସି ଶ୍ରୀଅଲାରନାଥଙ୍କ ଆଶୀର୍ବାଦ ଲାଭ କରନ୍ତି। ଏହି ଦେବଭୂମି ପୁରୀ ଜିଲ୍ଲାର ବ୍ରହ୍ମଗିରି, ବ୍ରହ୍ମାଦ୍ରୀ, ତଥା ବ୍ରହ୍ମାଚଳରେ ଶିଳାବ୍ରହ୍ମ ରୂପେ ଶ୍ରୀଅଲାରନାଥ ବିଦ୍ଯମାନ ଅଛନ୍ତି। ଯେ’କି ସ୍ଵୟଂ ନାରାୟଣ ସ୍ୱରୂପ। ସମୟ ସହିତ କିଛି ବଦଳି ଯାଇଛି କିନ୍ତୁ ଆଜିବି ସେହି ବ୍ରହ୍ମଗିରି ତା’ର ଅତୀତ ପୃଷ୍ଠଭୂମିକୁ ଜୀବନ୍ତ କରି ରଖିଛି।
ପାବନ ବ୍ରହ୍ମଗିରି ଏବଂ ଶ୍ରୀଅଲାରନାଥଙ୍କ ବିଗ୍ରହମୂର୍ତ୍ତି ଉପରେ ଅନେକ ପୌରାଣିକ ଓ ଐତିହାସିକ କଥା ଶୁଣିବାକୁ ମିଳେ। ସେହି ପୌରାଣିକ ବିଷୟକୁ ନେଇ କୁହାଯାଇଛି ଯେ,ରାଜା ଇନ୍ଦ୍ରଦ୍ୟୁମ୍ନ ରାଜତ୍ୱ କାଳରେ ସୃଷ୍ଟିକର୍ତ୍ତା ବ୍ରହ୍ମା ଶ୍ରୀମନ୍ଦିର ପ୍ରତିଷ୍ଠା ପାଇଁ ମର୍ତ୍ତ୍ୟଭୂମିକୁ ଆସିଥିଲେ । ପ୍ରଥମେ ସେ ଯେଉଁ ମର୍ତ୍ତ୍ୟ ଭୂଖଣ୍ଡରେ ପଦାର୍ପଣ କରିଥିଲେ ସେହି ସ୍ଥାନକୁ ପରବର୍ତ୍ତୀ ସମୟରେ ବ୍ରହ୍ମଗିରି ନାମରେ ନାମିତ କରାଯାଇଛି । ଅନ୍ୟ ଏକ ପୌରାଣିକ କଥା ଅନୁଯାୟୀ ଦିନେ ସୃଷ୍ଟିକର୍ତ୍ତା ବ୍ରହ୍ମା ବିଷ୍ଣୁଙ୍କ ଦର୍ଶନ ଲାଭ କରିବା ପାଇଁ ଅନେକ ବର୍ଷ ଧରି ତପସ୍ୟା କରିଥିଲେ। ବେଦପତିଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ୍ ବିଷ୍ଣୁ ଚତୁର୍ଭୁଜ ରୂପ ଧାରଣ କରି ତାହାଙ୍କ ସମ୍ମୁଖରେ ପ୍ରକଟ ହୋଇଥିଲେ। ବ୍ରହ୍ମା ଯେଉଁ ପର୍ବତ ଉପରେ ତପସ୍ୟା କରିଥିଲେ ସେହି ସ୍ଥାନଟିକୁ ପରବର୍ତ୍ତୀ କାଳରେ ବ୍ରହ୍ମଗିରି ବୋଲି କୁହାଗଲା । ସେହି ସ୍ଥାନରେ ଗୋଲକବିହାରୀ ସୃଷ୍ଟିକର୍ତ୍ତାକୁ କହିଲେ ହେ ବ୍ରହ୍ମା! ତୁମେ ମୋର ଏକ ଚତୁର୍ଭୁଜ ମୂର୍ତ୍ତି ନିର୍ମାଣ କରି ଏଠାରେ ପୂଜାର୍ଚ୍ଚନା କର।ଭଗବାନଙ୍କ ଆଜ୍ଞା ପାଳନ କରି ବ୍ରହ୍ମା କଳା ମୁଗୁନି ପଥରରେ ବିଷ୍ଣୁଙ୍କ ଚଳନ୍ତି ପ୍ରତିମା ନିର୍ମାଣ କରିବା ସହ ସେଠାରେ ପୂଜାର୍ଚ୍ଚନା କଲେ । ସେହି ପ୍ରତିମୂର୍ତ୍ତିଟି ସମ୍ପ୍ରତ୍ତି ଅଲାରନାଥ ନାମରେ ସର୍ବତ୍ର ବିଖ୍ୟାତ ।
ମହାପ୍ରଭୁ ଶ୍ରୀଅଲାରନାଥଙ୍କ ବିଗ୍ରହଟି କଳାମୁଗୁନି ପଥରରେ ନିର୍ମିତ । ଏହି ମୂର୍ତ୍ତିର ଚାରିପଟେ ତୋରଣ ରହିଅଛି । ତୋରଣ ତଳେ ପାର୍ଶ୍ୱଦେବୀ ରୂପେ ଶ୍ରୀଦେବୀ ଓ ଭୂଦେବୀ ବିଦ୍ୟମାନ । ପଦଯୁଗଳ ତଳେ ଗରୁଡ଼ ପ୍ରାର୍ଥନା ମୁଦ୍ରାରେ ଅବସ୍ଥିତ। ଶ୍ରୀଜୀଉଙ୍କ ଊର୍ଦ୍ଧ୍ୱ ବାମ ହସ୍ତରେ ଶଙ୍ଖ ଓ ଡାହଣ ହସ୍ତରେ ଚକ୍ରଚିହ୍ନ ରହିଛି । ନିମ୍ନ ବାମ ହସ୍ତରେ ଗଦା ଓ ଡାହାଣ ହସ୍ତରେ ପଦ୍ମ ଚିହ୍ନ ବିଦ୍ୟମାନ । ଅତଃ ଶ୍ରୀଅଲାରନାଥଙ୍କୁ ଚତୁର୍ଦ୍ଧାମୂର୍ତ୍ତି ନାରାୟଣ କୁହାଯାଏ । ଏହି ପ୍ରଭୁ ଖିରୀ ଖାଇବା ପାଇଁ ଅତିଭଲ ପାଆନ୍ତି। ଏହାକୁ ନେଇ ଏକ ସୁନ୍ଦର କଥା ରହିଛି। ପ୍ରତିଦିନ ସେବକ ଶ୍ରୀଅଲାରନାଥଙ୍କୁ ଭୋଗ କରିଥାଏ। ପରନ୍ତୁ ଦିନେ କୌଣସି କାର୍ଯ୍ୟ ହେତୁ ସେ ବାହାରକୁ ଚାଲି ଯାଇଥିଲେ। ଯିବା ପୂର୍ବରୁ ନିଜ ଛୋଟ ପୁଅକୁ କହିଥିଲେ ଯେ ,ତୁମେ ଠାକୁରଙ୍କୁ ଭୋଗ କରିବ। ଯେପରି ବାପା କହିଥିଲେ ସେ’ପରି ବାଳୁତ ପୁତ୍ରଟି ଶ୍ରୀଅଲାରନାଥଙ୍କ ସମ୍ମୁଖରେ ଗରମ ପୂର୍ଣ୍ଣ ଖିରୀ ପତ୍ରଟି ରଖିଦେଇ ଥିଲା, ତତ୍ପରେ ଶିଶୁଟି ମହାପ୍ରଭୁଙ୍କୁ ଖାଇବା ପାଇଁ ଭକ୍ତି ସହକାରେ ପ୍ରାର୍ଥନା ମଧ୍ୟ କରିଥିଲା। ସେହି ଅବୋଧ ଶିଶୁର ଭକ୍ତିରେ ପ୍ରୀତ ହୋଇ ପ୍ରଭୁ ସାକାର ରୂପ ଧାରଣ କରିଲେ ଏବଂ ତାତଲା ଖିରୀକୁ ଗ୍ରହଣ କରିବା ବେଳେ ଠାକୁରଙ୍କ ଶ୍ରୀଅଙ୍ଗରେ ଫୋଟକା ହୋଇଗଲା। ସେହି ଚିହ୍ନ ଆଜିବି ଶ୍ରୀଅଲାରନାଥଙ୍କ ମୂର୍ତ୍ତିରେ ଦେଖିବାକୁ ମିଳେ। ଏହି ସ୍ମୃତିରେ ଭକ୍ତମାନେ ଦାରୁବ୍ରହ୍ମଙ୍କ ପନ୍ଦର ଦିନ ଅନବସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କରିବା ସହ ଖିରୀ ଭୋଗ ଗ୍ରହଣ କରନ୍ତି।
ଇତିହାସ ପୃଷ୍ଠାକୁ ଅବଲୋକନ କଲେ ଜ୍ଞାତ ହୁଏ ଯେ, ତାମିଲନାଡୁରୁ ଆସିଥିବା ଆଲବର ସମ୍ପ୍ରଦାୟର ବ୍ୟକ୍ତି ବିଶେଷମାନେ ଏହି ସ୍ଥାନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ଥାପନ କରିଥିଲେ । ଏହି ସମ୍ପ୍ରଦାୟର ବ୍ରାହ୍ମଣମାନେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ମଧ୍ୟ କରୁଥିଲେ। ପୁରୁଷୋତ୍ତମ ଚନ୍ଦ୍ରିକାରୁ ଜଣାଯାଏ ଯେ, ଅଲବନ୍ଦ ଆଚାର୍ଯ୍ୟ ନାମକ ଏକ ତାନ୍ତ୍ରିକ ବ୍ରାହ୍ମଣ ଥିଲେ। ସେ ଅନବସର ସମୟରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସ୍ୱର୍ଗଦ୍ୱାର ନିକଟସ୍ଥ ସୋଲାଖିଆ ବଟବୃକ୍ଷରେ ନିଜର ତନ୍ତ୍ର ସାଧନା ବଳରେ ମହୁମାଛିର ଧାରଣ କରିଥିଲେ ଏବଂ ଶ୍ରୀମନ୍ଦିରର ଅଣସର ଗୃହକୁ ପ୍ରବେଶ କରିଥିଲେ । ଉକ୍ତ ସମୟରେ ଦେଖିବାକୁ ପାଇଲେ ସେ ଏକ ଅଷ୍ଟଦଳର ପଦ୍ମ । ତାହା ଦେଖି ଅଲବନ୍ଦ ପଦ୍ମ ଉପରେ ବସିବାକୁ ଉଦ୍ୟମ କରିବା ବେଳେ ପଦ୍ମ ଫୁଲର ପାଖୁଡ଼ାଗୁଡ଼ିକ ଜଣେ ଜଣେ ସୁନ୍ଦରୀ ନାରୀର ରୂପ ଧାରଣ କଲେ, ତା’ସହ ଅଲବନ୍ଦଙ୍କୁ ଉପହାସ କରିବାକୁ ଲାଗିଲେ । ଯାହା ଫଳରେ ସେ ଅପମାନ ପୂର୍ବକ ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ ଏବଂ ସମୁଦ୍ରରେ ପ୍ରାଣ ବିସର୍ଜନ ନିମନ୍ତେ ଉଦ୍ୟମ ମଧ୍ୟ କରିଥିଲେ। ଏ ସମୟରେ ହଠାତ୍ ଏକ ବିରାଟକାୟ ବାନର ତାଙ୍କ ସମ୍ମୁଖରେ ଲମ୍ଫ ପ୍ରଦାନ କରି ଦକ୍ଷିଣ ଦିଗକୁ ଗତି କରିଥିଲା । ଏହା ଭଗବାନଙ୍କ ନିର୍ଦ୍ଦେଶ ଭାବି ସେ ଦକ୍ଷିଣ ଅଭିମୁଖକୁ ଯାତ୍ରା କରି , ବ୍ରହ୍ମଗିରିସ୍ଥ ଅଲାରନାଥ ପୀଠରେ ପହଞ୍ଚି ଯାଇଥିଲେ। ସେଠାରେ ଶିଳାରୂପୀ ବିଷ୍ଣୁ ବିଗ୍ରହଙ୍କୁ ଦର୍ଶନ କରିବା ଦ୍ୱାରା ଭାବ ବିହ୍ୱଳିତ ହୋଇଯାଇଥିଲେ । ସେବେଠାରୁ ଅଲ୍ ବିନ୍ଦାଙ୍କ ପ୍ରଭୁ ବା ନାଥ ଅଲ୍ ବିନ୍ଦାନାଥ ହୋଇଥିଲା। ପରେ ଅପଭ୍ରଂଶ ହୋଇ ଶ୍ରୀଅଲାରନାଥ ନାମରେ ନାମିତ ହୋଇଛି। ଗବେଷକମାନଙ୍କ ମତାନୁଯାୟୀ ‘ଅଲାରନାଥ’ ନାମଟି ଏକ ଦ୍ରାବିଡ଼ ଶବ୍ଦରୁ ଆସିଛି । ଦ୍ରାବିଡ଼ ଶବ୍ଦ ‘ଆଲୋୟାର’ର ଅର୍ଥ ଭକ୍ତ । ଅତଃ ଆଲୋୟାରନାଥ ପ୍ରକୃତରେ ଭକ୍ତଙ୍କର ନାଥ । କାଳକ୍ରମେ ଆଲୋୟାରନାଥ ଶବ୍ଦର ଅପଭ୍ରଂଶ ଘଟି ଆଲବନ୍ଦାନାଥ, ଅଲବରନାଥ, ଆଲାରାନାଥ ଏବଂ ପରିଶେଷରେ ସ୍ଥାନୀୟ ଲୋକମୁଖରେ ଏହା ‘ଅଲାରନାଥ’ ନାମରେ ପ୍ରସିଦ୍ଧି ଲାଭ କରିଛି ।
ମହାନ ବୈଷ୍ଣବ ସନ୍ଥ ଶ୍ରୀଚୈତନ୍ୟଙ୍କ ଶ୍ରୀକ୍ଷେତ୍ରକୁ ଆଗମନ ସମୟରେ ଅଲାରନାଥଙ୍କ ମହିମା ପୁନର୍ବାର ଲୋକମୁଖରେ ପ୍ରଚାରିତ ହୋଇଥିଲା । ସତ୍ୟଯୁଗରେ ମହାପ୍ରଭୁଙ୍କ ଲୀଳା ବ୍ରହ୍ମଗିରିରେ ପ୍ରକଟ ହୋଇଥିଲେ ହେଁ ଅନେକ କାଳ ଧରି ଏହି ଲୀଳା ଗୁପ୍ତ ହୋଇ ରହି ଯାଇଥିଲା। ଯେତେବେଳେ ଶ୍ରୀଚୈତନ୍ୟ ଅଣସର ସମୟରେ ସେ ଜଗନ୍ନାଥଙ୍କୁ ଦର୍ଶନ ନ ପାଇ ବିରହ ଜ୍ୱାଳାରେ ମ୍ରିୟମାଣ ହୋଇପଡ଼ିଥିଲେ । ସେତେବେଳେ ସେ ମହାପ୍ରଭୁଙ୍କ ନିର୍ଦ୍ଦେଶରେ ବ୍ରହ୍ମଗିରିସ୍ଥ ଅଲାରନାଥଙ୍କ ପୀଠରେ ପହଞ୍ଚି ନାରାୟଣ ମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ। ସେହି ସମୟରେ ଭାବ ବିହ୍ୱଳିତ ହୋଇ ଯାଇଥିଲେ ।ସେଠାରେ ପଡ଼ିଥିବା ଏକ ପ୍ରସ୍ତର ଖଣ୍ଡ ଉପରେ ଦଣ୍ଡବତ ପ୍ରଣିପାତ କରିବା ସମୟରେ ତାଙ୍କ ଶରୀର ଏତେ ଉତ୍ତପ୍ତ ହୋଇଯାଇଥିଲା ଯେ , ଉକ୍ତ ପ୍ରସ୍ତର ଖଣ୍ଡକଟି ଶ୍ରୀଚୈତନ୍ୟ ଶରୀରର ଭିନ୍ନ ଭିନ୍ନ ଅଙ୍ଗର ଆକାର ଅନୁଯାୟୀ ତରଳି ଯାଇଥିଲା । ଏବେ ବି ସେହି ପ୍ରସ୍ତର ଖଣ୍ଡିକ ସର୍ବାଙ୍ଗ ଶିଳା ଭାବେ ମନ୍ଦିର ପରିସରରେ ପୂଜିତ ହେଉଛି । ଶ୍ରୀଚୈତନ୍ୟ ପନ୍ଥୀ ଗୌଡ଼ୀୟ ବୈଷ୍ଣବମାନେ ଏହି ପୀଠକୁ ଆଗମନ କରି ପ୍ରଭୁ ଶ୍ରୀଅଲରନାଥଙ୍କୁ ଦର୍ଶନ କରିବା ସହିତ ସେହି ସର୍ବାଙ୍ଗ ଶିଳାକୁ ପ୍ରଣିପାତ କରିଥାନ୍ତି । ସନାତନ ଧର୍ମାବଲମ୍ବୀମାନଙ୍କର ଏକ ପବିତ୍ର ଆଧ୍ୟାତ୍ମିକ ସ୍ଥଳୀ ଭାବେ ଏହା ଅତ୍ୟନ୍ତ ସୁପରିଚିତ ।
ଏହି ଅଲାରନାଥଙ୍କ ପ୍ରାଚୀନ ମନ୍ଦିରଟି ଏକ ସୂକ୍ଷ୍ମ କାରୁକାର୍ଯ୍ୟରେ ବିମଣ୍ଡିତ । ଅନବସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କରିବା ଓଡ଼ିଆ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି। ଏହା କେବଳ ଏକ ମନ୍ଦିର ନୁହେଁ, ବରଂ ଓଡ଼ିଶାର ଜଗନ୍ନାଥ ସଂସ୍କୃତି ଏବଂ ଭକ୍ତି ପରମ୍ପରାର ଏକ ଜ୍ୱଳନ୍ତ ନିଦର୍ଶନ। ଅନବସର ସମୟରେ ପ୍ରଭୁ ଶ୍ରୀଅଲାରନାଥଙ୍କ ଆଶୀର୍ବାଦ ଓ ଦର୍ଶନ ଭକ୍ତଙ୍କୁ ଏକ ନୂତନ ଆଧ୍ୟାତ୍ମିକ ଅନୁଭୂତି ପ୍ରଦାନ କରିଥାଏ। ଜୟ ଶିଳା ବ୍ରହ୍ମ ଶ୍ରୀଅଲାରନାଥ ।
ଡଃ. ଘନଶ୍ୟାମ ମିଶ୍ର ସଂସ୍କୃତ ମହାବିଦ୍ୟାଳୟ ,
କବିସୂର୍ଯ୍ୟ ନଗର ।
୯୮୬୧୩୩୪୮୬୮


