ଜିଲ୍ଲା ସ୍ତରୀୟ ବନ ମହୋତ୍ସବ-୨୦୨୬
ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲା ବନ ବିଭାଗ ଆନୁକୂଲ୍ୟରେ ଆଜି ସଦର ବ୍ଲକ୍ ଅନ୍ତର୍ଗତ ଗୁଡୁ ଗ୍ରାମ ପଞ୍ଚାୟତର ଶେଖପାଟଣାଠାରେ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ – ୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି। ପରିବେଶ ସୁରକ୍ଷା ଓ ଜିଲ୍ଲାର ସବୁଜିମା ବୃଦ୍ଧି ଲାଗି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜନପ୍ରତିନିଧି ଏବଂ ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀମାନେ ସାମିଲ ହୋଇଥିଲେ। ଏହି ସମାରୋହରେ ବାଲେଶ୍ବର ଜିଲ୍ଳାପାଳ ଶ୍ରୀଯୁକ୍ତ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ମୁଖ୍ୟ ଅତିଥି ଭାବେ ଏବଂ ମାନ୍ୟବର ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ତାଙ୍କ ସହିତ ଏହି କାର୍ଯ୍ୟ କ୍ରମରେ ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବାକର, ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ପ୍ରତୀକ ପ୍ରକାଶ ଇନ୍ଦଲକର, ବାଲେଶ୍ବର ଉପ-ଜିଲ୍ଲାପାଳ ଶ୍ରୀ ଶିବ ମାଲବ୍ୟ, ପୂର୍ବତନ ମୁଖ୍ୟ ବନ ସଂରକ୍ଷକ ଶ୍ରୀଯୁକ୍ତ ଦେବବ୍ରତ ସ୍ୱାଇଁ, ସହକାରୀ ବନ ସଂରକ୍ଷକ ସୁଶ୍ରୀ କଟିନି ସେଠି, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ କମଳିନୀ ପାତ୍ର, ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ମାନୁୱାର ଖାଁ ପ୍ରମୁଖ ଉପସ୍ଥିତ ରହି ପରିବେଶ ସନ୍ତୁଳନ ରକ୍ଷା କରିବାରେ ବୃକ୍ଷରୋପଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ଆଗାମୀ ପିଢ଼ିକୁ ପ୍ରଦୂଷଣମୁକ୍ତ ପରିବେଶ ଦେବା ପାଇଁ ବୃକ୍ଷରୋପଣ ହିଁ ଏକମାତ୍ର ବିକଳ୍ପ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଲେଖାଏଁ ଗଛ ଲଗାଇବା ସହ ତାର ସୁରକ୍ଷା ଦାୟିତ୍ୱ ନେବା ଉଚିତ। ଏହି ଉତ୍ସବ ଅବସରରେ ଆଜି ଶେଖପାଟଣା ପରିସରରେ ଅତିଥି, ବନ ବିଭାଗ ଅଧିକାରୀ, ଛାତ୍ର ଛାତ୍ରୀ ଓ ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ପ୍ରାୟ ୨୦୦ଟି ମୂଲ୍ୟବାନ ବୃକ୍ଷ ଚାରା ରୋପଣ କରାଯାଇଛି। ଏହା ସହିତ ଆଗାମୀ ଏକ ସପ୍ତାହ ମଧ୍ୟରେ ଏହି ନିର୍ଦ୍ଦିଷ୍ଟ ସ୍ଥାନରେ ସମୁଦାୟ ୫୦୦୦ ବୃକ୍ଷ ଚାରା ରୋପଣ କରିବା ପାଇଁ ବନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଓ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଜିଲ୍ଲା ବନ ବିଭାଗ, ବାଲେଶ୍ୱର ଦ୍ୱାରା ସଫଳତାର ସହ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନ ବିଭାଗର ସମସ୍ତ କର୍ମଚାରୀ ଏବଂ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ରହି ସବୁଜ ସୁନ୍ଦର ପରିବେଶ ଗଠନ ପାଇଁ ଶପଥ ଗ୍ରହଣ କରିଥିଲେ।


