ଭାରତରତ୍ନ ବାଜପେୟୀ ଓ ମାଲବ୍ୟଙ୍କ ଜୟନ୍ତୀ ସହ ସଂଗ୍ରାମୀ ସୁବାଷ ଚନ୍ଦ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ
ଭୁବନେଶ୍ୱର,(ୱାଇଏନ୍ଏସ୍): ପୂଜାପୂଜ୍ୟ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଗଙ୍ଗନଗରସ୍ଥିତ କାର୍ଯ୍ୟାଳୟରେ ଦୁଇ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜୟନ୍ତୀ, ସଂଗ୍ରାମୀ ପୁରୁଷ, ବହୁ ବ୍ୟକ୍ତିତ୍ୱର ଅଧିକାରୀ ମଦନ ମୋହନ ମାଲବ୍ୟଙ୍କ ୧୬୦ତମ ଜୟନ୍ତୀ ସହ କବି, ସାମାଜିକ ନ୍ୟାୟ ସଂଗ୍ରାମୀ ସ୍ୱର୍ଗତ ସୁବାଷ ଚନ୍ଦ୍ର ତ୍ରିପାଠୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ବିଧାୟକ, ଭାଷାପ୍ରାଣ ପ୍ରଦୀପ ପୁରୋହିତ, ସଭାପତି ଭାବେ ଭାଷାପ୍ରାଣ, ସମାଜସେବୀ ଗୋବିନ୍ଦ ମାହୁନ୍ତ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଶାସକ, ଲେଖକ ସହଦେବ ଜୟସିଂ ଏବଂ ସ୍ତମ୍ଭକାର ଜାନକୀସ ବଡ଼ପଣ୍ଡା ଉପସ୍ଥିତ ରହି ସ୍ୱର୍ଗତ ବାଜପେୟୀ ଏବଂ ମାଲବ୍ୟ ସାରା ବିଶ୍ୱକୁ ଦିଗ୍ଦର୍ଶନ ଦେବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା ଓ ସଂଯୋଜନା କରି ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ, ଚିନ୍ତକ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରିଥିଲେ ଯେ, ପୂଜ୍ୟପୂଜା ହେଉଛି ଆମର ପାତାଳଭେଦୀ ସଂସ୍କୃତି ଏବଂ ସମସ୍ତେ ମା, ମାଟି ଓ ମାତୃଭାଷା ପାଇଁ ଆଗେଇ ଆସିବା ସହିତ ପୂଜ୍ୟମାନଙ୍କୁ ଯଥାସମ୍ମାନ ପ୍ରଦର୍ଶନ କରିବା ଉଚିତ । ପୂଜ୍ୟପୂଜାର ପ୍ରଭାବ ସାଧାରଣ ଜନତା ଓ ସରକାରଙ୍କ ଉପରେ ପଡ଼ିବା ସହ ଆହୁରି ବ୍ୟାପକ ଭାବେ ଏହି ଅଭିଯାନକୁ ଆଗେଇ ନେବା ପାଇଁ ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ । ସ୍ୱର୍ଗତ ତ୍ରିପାଠୀ ଜଣେ ସାରସ୍ୱତ ପ୍ରତିଭା ସହିତ ସମାଜସେବୀ ଭାବେ ତାଙ୍କର ଅବଦାନକୁ ମନେ ପକାଇଥିଲେ । ଏହି ଅବସରରେ ପ୍ରଦୀପ ପୁରୋହିତଙ୍କୁ ଅଟଳ ବିହାରୀ ବାଜପେୟୀ ସ୍ମୃତି ସମ୍ମାନ, ଭାଷାପ୍ରାଣ ଓ ଓଡ଼ିଶା ନାଗରିକ ମହାମଞ୍ଚର ଉପସଭାପତି ପ୍ରଦୀପ ବିଶ୍ୱାଳଙ୍କୁ ମଦନ ମୋହନ ମାଲବ୍ୟ ସ୍ମୃତି ସମ୍ମାନ ଏବଂ ଶିକ୍ଷାବିତ, ସମାଜସେବୀ ଡ଼ମ୍ବରୁଧର ହରଣସିଂଙ୍କୁ ସ୍ୱର୍ଗତ ସୁବାଷ ଚନ୍ଦ୍ର ତ୍ରିପାଠୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ଯୁଗ୍ମ ସଂଯୋଜକ ନାରାୟଣ ଚନ୍ଦ୍ର ଓଝା ଧନ୍ୟବାଦ ଦେଇଥିଲେ । ବରିଷ୍ଠ ସଦସ୍ୟ ବ୍ରଜବନ୍ଧୁ ପରିଡ଼ା, ଅସିତ ଦାସ, ବି ମୁରଲୀଧର, ମନଜିତ କୌର, ଲଗ୍ନଦୀପା ମିଶ୍ର, ସମିତା ମହାରଣା, ଲକ୍ଷ୍ମଣ ଦାସ, ସୁନିଲ ମିଶ୍ର, ଆଦର୍ଶ ଦାସ, ନାରାୟଣ ଖୁଣ୍ଟିଆ, ମନୋରଞ୍ଜନ, ସୀତାଂଶୁ ମହାରଣା, ଦେବାଶିଷ ସାହୁ ପ୍ରମୁଖ ଯୋଗ ଦେଇଥିଲେ ବୋଳି ଅଭିଯାନର ମୁଖପାତ୍ର ଅରବିନ୍ଦ୍ର ତ୍ରିପାଠୀ ଜଣାଇଛନ୍ତି ।