ଭାରତର ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ସ୍ବର୍ଣ୍ଣିମ ମସାଲକୁ ଭବ୍ୟ ସମ୍ବର୍ଦ୍ଧନା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲା ପକ୍ଷରୁ ବିଜୟର ସ୍ବର୍ଣ୍ଣିମ ମୁକ୍ତି ମଶାଲକୁ ଭବ୍ୟ ସମ୍ବର୍ଦ୍ଧନା ଅର୍ପଣ କରାଯାଇଅଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ମୁକ୍ତି ମଶାଲ କୁ ଭବ୍ୟ ସମ୍ବର୍ଦ୍ଧନା ଅର୍ପଣ କରିବା ସହିତ ନିଜ ବକ୍ତବ୍ୟରେ ୧୯୭୧ ଯୁଦ୍ଧରେ ଶହୀଦ ବୀର ମାନଙ୍କ ସ୍ମୃତି ଚାରଣ କରିଥିଲେ । କିଭଳି ଭାରତ ଶାନ୍ତି ପ୍ରିୟ ରାଷ୍ଟ୍ର ହୋଇ ମଧ୍ୟ ପାକିସ୍ଥାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାଧ୍ୟ ହୋଇଥିଲାଏବଂ ବଙ୍ଗଳା ଦେଶକୁ ମୁକ୍ତ କରିଥିଲା । ଏହି ଯୁଦ୍ଧରେ ଭାରତର ତିନି ବାହିନୀର ସାମରିକ ଗଣ ବିଜୟ ହାସଲ କରିଥିଲେ ତାହା ଅବଗତ କରାଇ ଶହୀଦ୍ ବୀର ମାନଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଗୋପାଳପୁର ଆର୍ମି ଷ୍ଟେସନ୍ ପକ୍ଷରୁ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ସୁରେନ୍ଦ୍ର କୁମାର (ସିଓ ଆଣ୍ଡ ସିଆରଓ) ପ୍ରଶାସନିକ ଅଧିକାରୀ କ୍ୟାପଟେନ୍ ପାଲେନ୍ଦ୍ର, ମେଜର୍ ଏଚ୍.ଏସ୍. ଗୁରାଙ୍ଗ, କର୍ଣ୍ଣେଲ ଆଦିତ୍ୟ ଶର୍ମା ପ୍ରମୁଖ ଉପସ୍ଥିତ ରହି ବିଜୟ ସ୍ବର୍ଣ୍ଣିମ ମସାଲ କୁ ସମ୍ବର୍ଦ୍ଧନା ଦେଇଥିଲେ । ଏହି ଅବସରରେ ୨୬ଜଣ ବୀର ସୈନିକ ଯେଉଁମାନେ ଉକ୍ତ ଯୁଦ୍ଧରେ ଅଂଶ ଗ୍ରହଣ କରିଥିଲେ ଏବଂ ୬ ଜଣ ବୀରନାରୀ ଯେଉଁ ମାନଙ୍କର ସ୍ବାମୀ ଉକ୍ତ ଯୁଦ୍ଧରେ ଶହୀଦ ହୋଇଥିଲେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଠାରେ ପ୍ରକାଶ ଥାଉକି ଭାରତ ବର୍ଷର ବିଜୟ ଏବଂ ସଶସ୍ତ୍ର ବାହିନୀର ବଳିଦାନ ସନ୍ଦେଶକୁ ସମଗ୍ର ଦେଶବାସୀଙ୍କ ନିକଟରେ ପହଂଚାଇବା ପାଇଁ ଦେଶର ଚାରିଗୋଟି ଦିଗକୁ ଏହି ବିଜୟ ଜ୍ୟୋତି ପ୍ରେରଣ କରାଯାଇଛି । ଏହି ବିଜୟ ଜ୍ୟୋତି ଭାରତ ବର୍ଷର ସମସ୍ତ ରାଜ୍ୟ ଅତିକ୍ରମ କରି ବିଜୟ ବାର୍ତ୍ତା, ବୀର ସୈନିକ ମାନଙ୍କ ବିଜୟଗାଥା ପ୍ରଚାର ପ୍ରସାର କରି ଦେଶକୁ ସଶକ୍ତ ଓ ସମୃଦ୍ଧ କରିବ । ଏହି ଚାରି ଗୋଟି ବିଜୟ ଜ୍ୟୋତି ମଧ୍ୟରୁ ଦକ୍ଷିଣ କାର୍ଡିନାଲ୍ ଜ୍ୟୋତି ଚଳିତ ମାସ ଅକ୍ଟୋବର ୨୦ ଠାରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଦକ୍ଷିଣାଂଚଳ ଜ୍ୟୋତି ଯାତ୍ରା ପରିକ୍ରମା କରିବାର କର୍ଯ୍ୟକ୍ରମ ରହିଛି ।୨୦୨୦ ମସିହା ଡିସେମ୍ବର ୧୬ ତାରିଖରୁ ନୂଆଦିଲ୍ଲୀର ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ଠାରୁ “ଅମର ଯବାନ ଜ୍ୟୋତି’ ର ଚାରିଗୋଟି ସ୍ୱର୍ଣ୍ଣିମ ବିଜୟ ମଶାଲ ଯାତ୍ରା କରି ଓଡିଶାର ଗଞ୍ଜାମ ଜିଲ୍ଲାରେ ଚଳିତ ମାସ ୨୦ ତାରିଖରେ ପହଞ୍ଚି ଜିଲ୍ଲାର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା । ଆଜି ଜିଲ୍ଲା ସ୍ତରୀୟ ଉତ୍ସବରେ ଉକ୍ତ ସ୍ବର୍ଣ୍ଣିମ ମସାଲକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆସନ୍ତା କାଲି ଏହି ସ୍ବର୍ଣ୍ଣିମ ମୁକ୍ତି ମଶାଲ ଅନ୍ୟ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଗୋଟିଏ ଦେଶର କଷ୍ଟଭରା ଆକୁଳ ଶବ୍ଦ ଶୁଣି ଭାରତ ସାହାଯ୍ୟର ହାତ ବଢାଇଥିଲା ଏବଂ ଗୋଟିଏ ଦେଶକୁ ମୁକ୍ତି କରିବା ପାଇଁ କିଛି ପରାକ୍ରମି ମହାବୀର ଗଣ ନିଜ ଜୀବନକୁ ବାଜି ଲଗାଇ ଯୁଦ୍ଧରେ ବିଜୟୀ ହୋଇଥିଲେ । ୨୦୨୧ ବର୍ଷକୁ “ସ୍ୱର୍ଣ୍ଣିମ ବିଜୟ ବର୍ଷ’ ରୂପେ ପାଳନ କରାଯାଉଛି । ୧୯୭୧ ମସିହାର ଏହି ଯୁଦ୍ଧରେ ପାକିସ୍ଥାନ ଉପରେ ଭାରତ ବିଜୟର ପଚାଷ ତମ ବାର୍ଷିକୀ କୁ ସ୍ମରଣ କରିବା ଉଦ୍ଦେଶ୍ୟ ନେଇ ୨୦୨୧ ବର୍ଷକୁ ସ୍ବର୍ଣ୍ଣିମ ବିଜୟ ଭାରତ ଭାବରେ ପାଳନ କରାଯାଉଅଛି । ଆଜି ଭାରତ ସେହି ବିଜୟୀ ବରଙ୍କ କାହାଣୀକୁ ପୁନର୍ଜୀବୀତ କରିବା ଉଦ୍ଦେଶ୍ୟରେ ପାଳନ କରୁଛି ସ୍ବର୍ଣ୍ଣିମ ବିଜୟ ବର୍ଷ । ୧୯୭୧ ମସିହା ଡିସେମ୍ବର ମାସରେ ଭାରତୀୟ ସଶସ୍ତ୍ର ସେନା ବାହିନୀ ପାକିସ୍ଥାନକୁ ପରାହତ କରିବା ସହିତ ୯୩୦୦୦ ପାକିସ୍ଥାନୀ ବନ୍ଦୀଙ୍କୁ ନିଜ ଅଧିନକୁ ଆଣିଥିଲେ । ଏହି ଯୁଦ୍ଧର ଫଳାଫଳ ବାଲାଂଦେଶର ୭୫ ଲକ୍ଷ ଜନସାଧାରଣଙ୍କୁ ସ୍ୱାଧୀନତା ପ୍ରାପ୍ତ ହୋଇଥିଲା । ଯାହା ଫଳରେ ପାକିସ୍ଥାନର ଅଧାଦେଶ ଏବଂ ତଥାକଥିତ ପୂର୍ବ ପାକିସ୍ଥାନରେ ଥିବା ତାହାର ସମସ୍ତ ସୈନ୍ୟଙ୍କୁ ହରାଇବା ସହିତ ଭାରତ ନିକଟରେ ଆତ୍ମସମର୍ପଣ କରିଥିଲା, ଯାହାକି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସର୍ବାଧିକ ବଡ଼ ସେନା ଆତ୍ମସମର୍ପଣ ଥିଲାବୋଲି ବିବେଚନା କରାଯାଉଛି । ଭାରତର ୧୧ ଟି ଏୟାର୍‌ବେସ୍ ଉପରେ ପାକିସ୍ଥାନର ପ୍ରଥମ ଆକ୍ରମଣ ହେବାପରେ ଯୁଦ୍ଧ ଆରମ୍ଭ ହୋଇଥିଲା । ପଶ୍ଚିମ ପଟରେ ପାକିସ୍ଥାନ ସେନାର ଗତିବିଧି ଉପରେ ଭାରତ ତୁରନ୍ତ ଜବାବ ଦେଇଥିଲା ଏବଂ ଏଥିରେ ପାକିସ୍ଥାନର ପ୍ରାୟ ୧୫,୦୧୦ ବର୍ଗ କି.ମି. ଅଂଚଳକୁ ଭାରତ ନିଜ ଅକ୍ତିଆରକୁ ଆଣିଥିଲା । ପାକିସ୍ଥାନ ସେନାର ପ୍ରମୁଖ ସେନାମୂଖ୍ୟ ଜେନେରାଲ୍ ଅମିର୍ ଅବ୍‌ଦୁଲ୍ଲା ଖାନ୍ ନିୟାଜୀ ତାଙ୍କର ୯୩,୦୦୦ ସୈନିକଙ୍କ ସହିତ ଭାରତର ସୈନ୍ୟ ବାହିନୀ ଏବଂ ବାଂଲାଦେଶ ମୁକ୍ତି ବାହିନୀ ନିକଟରେ ଆତ୍ମସମର୍ପଣ କରିବା ପରେ ଏହି ଯୁଦ୍ଧର ପରିସମାପ୍ତି ଘଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ