ଭାରତୀୟ ତଟରକ୍ଷୀ ବାହିନୀ ଓ ଗୋପାଳପୁର ବନ୍ଦରର ମିଳିତ ଅଭିଯାନରେ ଅନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ ପାଳନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବିଶ୍ବର ସର୍ବବୃହତ ଉପକୂଳ ସ୍ୱଚ୍ଛତା ଅଭିଯାନ କାର୍ଯକ୍ରମ ‘ଅନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ’ କୁ ମିଳିତ ଭାବେ ଭାରତୀୟ ତଟରକ୍ଷୀ ବାହିନୀ ଓ ଗୋପାଳପୁର ବନ୍ଦର ପାଳନ କରିଛନ୍ତି। ଆଜି ଏକ ସ୍ବତନ୍ତ୍ର କାର୍ଯକ୍ରମରେ ପ୍ରାୟ ଦୁଇ କିମି ବ୍ୟାପୀ ବଟେଶ୍ୱର ବେଳାଭୂମିରେ ଆୟୋଜନ କରାଯାଇଥିବା ସ୍ୱଚ୍ଛତା ଅଭିଯାନରେ ବନ୍ଦରର ବହୁ ଅଧିକାରୀ, ଉପକୂଳ ତଟରକ୍ଷୀ ସେନା, ବିଭିନ୍ନ ସ୍କୂଲ ଓ କଲେଜର ଏନସିସି ଛାତ୍ରଛାତ୍ରୀ,ସାଧାରଣ ନାଗରିକ ଓ ସ୍ୱେଚ୍ଛାସେବୀଙ୍କ ସମେତ ୪୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଛନ୍ତି । ଗୋପାଳପୁର ବନ୍ଦରର ବିଭିନ୍ନ ବିଭାଗର ଏକ ୪୦ ଜଣିଆ ପ୍ରତିନିଧି ଦଳ ଆଜି ପ୍ରାତଃ ୭ ଘଟିକା ସମୟରେ ବଟେଶ୍ଵର ବେଳାଭୂମିରେ ପହଞ୍ଚି ଉପକୂଳ ସ୍ଵଚ୍ଛତା ଅଭିଯାନରେ ସାମିଲ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ସ୍ୱଚ୍ଛତା ଅଭିଯାନର ଲକ୍ଷ୍ୟ ହେଉଛି ବେଳାଭୂମିକୁ ସ୍ୱଚ୍ଛ ରଖିବା ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ପରିବେଶକୁ ସୁରକ୍ଷା ପ୍ରଦାନ କରିବା ଏବଂ ବେଳାଭୂମିକୁ ସମ୍ମାନ ଜଣାଇବାର ଅଭ୍ୟାସ ଜାଗ୍ରତ କରିବା ଯାହା ସାମୁଦ୍ରିକ ଜୈବ ବିବିଧତାକୁ ସମୃଦ୍ଧ କରିବ ।ଗୋପାଳପୁର ବନ୍ଦରସିନିୟର ଭିପି (ଏଚଆର/ଆଇଆର)ଅଜୟ କୁମାର ମିଶ୍ର କହିଛନ୍ତି ଯେ, ଆମ ସମୁଦ୍ରର ସୁରକ୍ଷା ଓ ବେଳାଭୂମିକୁ ସ୍ୱଚ୍ଛ ରଖିବାର ସରଳ ମନ୍ତ୍ର ହେଉଛି ବର୍ଜ୍ୟ ବିଶେଷ କରି ପ୍ଲାଷ୍ଟିକ୍ ବର୍ଜ୍ୟକୁ କମ୍ ବ୍ୟବହାର କରିବା ଓ ପୁନଃ ବ୍ୟବହାର ଉପଯୋଗୀ କରିବା । ଆମର ଉପକୂଳ ଓ ବେଳାଭୂମିର ସୁରକ୍ଷା ପାଇଁ ଗୋପାଳପୁର ବନ୍ଦର ଅନେକ ପଦକ୍ଷେପ ଗ୍ରହଣ କରିଆସୁଛି । ଗଂଜାମ ଜିଲ୍ଲାର ଉପକୂଳର ସୁରକ୍ଷା ପାଇଁ ଆମର ପ୍ରତିବଦ୍ଧତାକୁ ଆମେ ଆଗାମୀ ଦିନରେ ଆହୁରି ତ୍ୱରାନ୍ୱିତ କରିବୁ । ଏହି ସ୍ୱଚ୍ଛତା ଅଭିଯାନରେ ପ୍ରାୟ ୧୦୦ କେଜି ପ୍ଲାଷ୍ଟିକ ସଂଗ୍ରହ କରାଯାଇଥିଲା ।ବର୍ଜ୍ୟର ଉତ୍ସକୁ ଚିହ୍ନଟ କରିବା ସହ ପ୍ରଦୂଷଣର କାରଣ ପ୍ରତି ବ୍ୟବହାରରେ ପରିବର୍ତନ ଆଣିବା ଏବଂ ସାମୁଦ୍ରିକ ବର୍ଜ୍ୟ ସମସ୍ୟାକୁ ନେଇ ସଚେତନତା ସୃଷ୍ଟି କରିବା ଲାଗି ବେଳାଭୂମି, ଜଳପଥ ଓ ଅନ୍ୟାନ୍ୟ ଜଳ ଭଣ୍ଡାରରୁ ବର୍ଜ୍ୟ ଓ ଆବର୍ଜନା ହଟାଇବା ଲାଗି ପ୍ରତିବର୍ଷ ସେପ୍ଟେମ୍ବର ମାସର ତୃତୀୟ ଶନିବାର ଅନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ ପାଳନ କରାଯାଏ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ