ଭାରତୀୟ ସଂସ୍କୃତିରେ ଗୁରୁ ପୂର୍ଣ୍ଣିମା


ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ

ଭାରତୀୟ ସଂସ୍କୃତି ଓ ତାର ଦର୍ଶନ ଏବଂ ସାହିତ୍ୟ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଲାଭ କରିଛି। ଏହି ସଂସ୍କୃତି ବୈଦିକ ଗୁରୁକୂଳ ଆଶ୍ରମ ଠାରୁ ଆରମ୍ଭ କରି ପ୍ରତିଟି କ୍ଷେତ୍ରରେ ପୂଜ୍ୟପୂଜା ଏହାର ମୂଳ ଉଦ୍ଦେଶ୍ୟ । ଏଣୁ ଏହାକୁ ଦେବ ସଂସ୍କୃତି ବୋଲି ମଧ୍ଯ କୁହାଯାଏ। ଦେବ ଶବ୍ଦର ତାତ୍ତ୍ୱିକ ଅର୍ଥ ହେଉଛି ଦେବା ବା ପ୍ରଦାନ କରିବା। ଏହି ତଥ୍ୟକୁ ଆଧାର କରି, ଏ ସଂସ୍କୃତି ସମଗ୍ର ବିଶ୍ଵ ବ୍ରହ୍ମାଣ୍ଡକୁ ଜ୍ଞାନ ପ୍ରଦାନ କରି ଚାଲିଛି। ଜ୍ଞାନର ମୂଳପିଣ୍ଡ ହେଉଛି ବେଦ ଓ ତା’ର ଆଧ୍ୟାତ୍ମିକ ତତ୍ତ୍ଵ। ତେଣୁ ଶାସ୍ତ୍ରରେ ବର୍ଣ୍ଣିତ ରହିଛି ‘ସା ବିଦ୍ୟା ଯା ବିମୁକ୍ତୟେ’ ଏବଂ ‘ଜ୍ଞାନେନ ମୁକ୍ତିଃ’। ଏହି ଶ୍ରେଷ୍ଠ ଜ୍ଞାନର ଜ୍ଞାତାମାନେ ଥିଲେ ଆମ ପ୍ରାତଃ ସ୍ମରଣୀୟ ଗୁରୁବୃନ୍ଦ। ସେହି ଗୁରୁମାନଙ୍କ ଜ୍ଞାନକୁ ପାଥେୟ କରି ଦିନେ ଭାରତ ବିଶ୍ୱଗୁରୁ ହେବାର ଗୌରବ ଅର୍ଜନ କରିଥିଲା। ଏଣୁ ସେହି ଦିବ୍ୟ ପୁଣ୍ୟାତ୍ମାମାନଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଷାଢ଼ ମାସ ପୂର୍ଣ୍ଣିମା ତିଥିରେ ଗୁରୁ ପୂଜନ ଉତ୍ସବ ପାଳନ କରାଯାଏ।

ପବିତ୍ର ଗୁରୁ ପୂର୍ଣ୍ଣିମା ଉତ୍ସବର ବିଶେଷତ୍ୱ ହେଉଛି ଯେ, ଏହି ଦିନ ମହର୍ଷି କୃଷ୍ଣ ଦ୍ଵାପାୟନ ବ୍ୟାସ ଜନ୍ମ ଗ୍ରହଣ କରିଥିଲେ। ସେ ହେଉଛନ୍ତି ଶ୍ରୀବିଷ୍ଣୁଙ୍କ ଜ୍ଞାନାବତାର ବୋଲି ଶାସ୍ତ୍ରରେ କୁହାଯାଇଛି:
ବ୍ୟାସାୟ ବିଷ୍ଣୁ ରୂପାୟ ବ୍ୟାସ ରୂପାୟ ବିଷ୍ଣବେ
ନମୋ ବୈବ୍ରହ୍ମ ନିଧୟେ ବଶିଷ୍ଠାୟ ନମୋନମଃ।
ଅଚ୍ୟୁତର୍ବଦ ବ୍ରହ୍ମା ଦ୍ୱିର୍ବାହାରୁ ପରେ ହରିଃ
ଆଭାଲ ଲୋଚଚନଃ ଶମ୍ଭୁ ଭଗବାନ ବାଦରାୟାଣଃ ।।
ଏହି ଜ୍ଞାନାବତାରଙ୍କ ପାବନ ଦିବସକୁ ଶିଷ୍ୟମାନେ କିପରି ପାଳନ କରିବେ ବୋଲି ବ୍ୟାସଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତର ଦେବାକୁ ଯାଇ ବ୍ୟାସ କହିଥିଲେ ଯେ, ଉକ୍ତ ଦିବସକୁ ଭବିଷ୍ୟତରେ ଗୁରୁ ପୂଜନ ଉତ୍ସବ ରୂପେ ଏପରି ପାଳନ କରିବ:
‘ମମ ଜନ୍ମଦିନେ ସମ୍ୟକ୍ ପୂଜନୀୟଃ ପ୍ରୟତ୍ନତଃ ।
ଆଷାଢ଼ ଶୁକ୍ଳ ପକ୍ଷେତ୍ର ପୂର୍ଣିମା ଗୁରୌ ତଥା ।
ପୂଜନୀୟୋ ବିଶେଷଣ ବସ୍ତ୍ରାଭରଣବେନୂରଃ,
କୃତେ ତ୍‌ୟା ବିପ୍ରେ ମମ ସ୍ୱରୂପସ୍ୟ ଦର୍ଶନମ୍ ।
ଅର୍ଥାତ୍ – ଆଷାଢ଼ ଶୁକ୍ଳ ପୂର୍ଣିମା ହେଊଛି ମୋର ଜନ୍ମ ଦିବସ । ଏହି ଦିନ ଉତ୍ତମ ଭାବରେ ପୂଜନୀୟ ଗୁରୁମାନଙ୍କୁ ପ୍ରୟତ୍ନର ସହିତ ସୁନ୍ଦର ବସ୍ତ୍ର, ଆଭୂଷଣ, ଫଳ , ପୁଷ୍ପ, ରତ୍ନ ଓ ସ୍ୱର୍ଣ୍ଣ ମୁଦ୍ରା ଆଦି ସମର୍ପିତ କରି ପୂଜା ଅର୍ଚ୍ଚନା କରିବ। ଏପରି କରିବା ଦ୍ୱାରା ଗୁରୁଦେବଙ୍କ ମଧ୍ୟରେ ମୋର ହିଁ ସ୍ଵରୂପକୁ ଦର୍ଶନ କରି ପାରିବ।

ମହର୍ଷି ବ୍ୟାସଦେବ ଋଷି ପରାଶରଙ୍କ ଔରସ ଏବଂ ମତ୍ସ୍ୟଗନ୍ଧା (ସତ୍ୟବତୀ)ଙ୍କ ଗର୍ଭରୁ ଆଷାଢ଼ ମାସ ପୂର୍ଣ୍ଣିମା ଦିନ ଗଙ୍ଗାନଦୀ ଗର୍ଭସ୍ଥ କୃଷ୍ଣଦ୍ୱୀପରେ ଜନ୍ମଗ୍ରହଣ କରିଥିଲେ। ସେ କୃଷ୍ଣଦ୍ୱୀପରେ ଜନ୍ମଗ୍ରହଣ କରିଥିବା କାରଣରୁ ମହର୍ଷିଙ୍କୁ କୃଷ୍ଣଦ୍ୱୈପାୟନ କୁହାଯାଏ। ସେ’ପରି ବ୍ୟାସଦେବଙ୍କ ଅନେକ ନାମ ରହିଛି ଯଥା:- ବେଦମାନଙ୍କ ସଂଗ୍ରହ ଓ ବିଭାଗ କରିଥିବାରୁ ବେଦବ୍ୟାସ , ଅବିବାହିତା ସତ୍ୟବତୀଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିବାରୁ କାନୀନ, ମହାଭାରତର ପ୍ରଣେତା ହେତୁ ସତ୍ୟଭାରତ ଏଵଂ ପରାଶରଙ୍କ ପୁତ୍ର ଯୋଗୁଁ ପାରାଶର୍ଯ୍ୟ । ସେ ବେଦାନ୍ତ, ଉପନିଷଦ, ବ୍ରହ୍ମସୂତ୍ର, ଗୀତା, ଶ୍ରୀମଦ୍ଭାଗବତ ମହାପୁରାଣ ଓ ଅଷ୍ଟାଦଶ ପୁରାଣାଦିର ରଚୟିତା ଏଵଂ ବେଦର ବିଭାଜନକାରୀ ଥିଲେ। ଏଣୁ ମହର୍ଷିଙ୍କୁ ହିନ୍ଦୁ ସମ୍ପ୍ରଦାୟରେ ଶ୍ରେଷ୍ଠ ଗୁରୁଙ୍କ ସ୍ଥାନ ପ୍ରଦାନ କରାଯାଇ’ଛି ଏବଂ ହିନ୍ଦୁ ପୁରାଣର ବର୍ଣ୍ଣନା ଅନୁଯାୟୀ, ସନାତନ ଧର୍ମର ଆଦିଗୁରୁ ହେଉଛନ୍ତି ସ୍ୱୟଂ ଶିବ। ସେ ପ୍ରଥମେ ‘ଦକ୍ଷିଣମୂର୍ତ୍ତି’ ହୋଇ ସପ୍ତର୍ଷିମାନଙ୍କୁ ବ୍ରହ୍ମଜ୍ଞାନ ଓ ଯୋଗଜ୍ଞାନ ପ୍ରଦାନ କରିଥିଲେ। ଆଷାଢ଼ ମାସ ପୂର୍ଣ୍ଣିମା ତିଥି ହେଉଛି ଆଦିଗୁରୁଙ୍କ ପୂର୍ଣ୍ଣଜ୍ଞାନ ପ୍ରଦାନର ଦିବସ।

ସନାତନ ଶାସ୍ତ୍ର ମତରେ ଗୁରୁ କୌଣସି ଶରୀର ନୁହଁନ୍ତି, ଗୁରୁ ହେଉଛନ୍ତି ଏକ ସତ୍ତା ଓ ଅନୁଭବ । ଏହାକୁ ବ୍ୟକ୍ତ କରିବାକୁ ଯାଇ , କବି ହେମନ୍ତ କୁମାର ଗନ୍ତାୟତ ଲେଖିଛନ୍ତି :-
ଅରୂପ ଅବ୍ୟକ୍ତ ନାହିଁ ଆଦି ଅନ୍ତ ସତ୍ୟ ଶିବ ସନାତନ
ଚିନ୍ମୟ ସ୍ଵରୂପ ଦିବ୍ୟ ଜ୍ୟୋତିରୂପ ଅନୁଭବେ ବିଦ୍ୟମାନ ।।
ସେ’ପରି ଗୁରୁ ଗୀତାରେ କୁହାଯାଇଛି ଯେ, ଯିଏ ଗୁଣରୁ ମୁକ୍ତ ସେ ହେଉଛନ୍ତି ଗୁରୁ ଏବଂ ଗୁ ଓ ରୁ ର ମଧ୍ୟ ବ୍ୟାଖ୍ୟା କରାଯାଇଛି:-
ଗୁକାର ଶ୍ଚାନ୍ଧକରସ୍ତୁ ରୁକାରସ୍ତନ୍ନିରୋଧାକୃତ୍ ।
ଅନ୍ଧକାର ବିନାଶିତ୍ୱାତ୍ ଗୁରୁରିତ୍ୟଭିଧୀୟତେ।।
ଗୁକାର ଅନ୍ଧକାର ଏବଂ ତାହାକୁ ଦୂରକରେ ରୁ କାର। ଯେ ଏହି ଅଜ୍ଞାନ ରୂପୀ ଅନ୍ଧକାରକୁ ବିନଷ୍ଟ କରିପାରନ୍ତି ତାହାଙ୍କୁ ଗୁରୁ ବୋଲି କୁହାଯାଏ। ଗୁରୁ କଦାପି ଜଣେ ସାଧାରଣ ବ୍ୟକ୍ତି ନୁହଁନ୍ତି। ଗୁରୁ ଅର୍ଥରେ ସେ ମହାମହିମ। ଏଣୁ ଯଥାର୍ଥରେ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ସହିତ ତୁଳନା କରାଯାଇଛି। ଉକ୍ତ ଉକ୍ତିକୁ ପ୍ରତିପାଦିତ କରିବାକୁ ଯାଇ ପୁଣି କବି କହିଛନ୍ତି :-
ଅଜ୍ଞାନ ତିମିର କରନ୍ତି ଯେ ଦୂର ସଂସାର ସାଗରେ ରହି
ନୁହନ୍ତି ସେ ନର ସାକ୍ଷାତ ଠାକୁର ବ୍ରହ୍ମା ବିଷ୍ଣୁ ରୁଦ୍ର ସେହି।
ଗୁରୁ ବିରାଟ ଏବଂ ମହାନ ବ୍ୟକ୍ତିତ୍ୱକୁ ମଧ୍ୟ ବୁଝାଇଥାଏ । ମନୁଷ୍ୟ ନିଜର ଆପ୍ରାଣ ଚେଷ୍ଟା ମାଧ୍ୟମରେ ଯାହା ସମ୍ଭବ କରିପାରେନା , ତାହା ଗୁରୁକୃପା ଦ୍ୱାରାରେ ହିଁ ଅଚିରେ ଉପଲବ୍ଧ ହେଇଥାଏ।

ପ୍ରାଚୀନ କାଳରେ ମୁନି ଓ ଋଷିମାନେ ଆଷାଢ଼ ମାସ ପୂର୍ଣ୍ଣିମା ତିଥିଠାରୁ ଚତୁର୍ମାସ୍ୟା ବ୍ରତ ପାଳନ କରିବା ସହ ଆତ୍ମ ସାକ୍ଷାତକାର କରିବା ନିମିତ୍ତ ନିଜ ନିଜ ଗୁରୁଙ୍କର ସେବାରେ ନିମଗ୍ନ ରହୁଥିଲେ। ଆତ୍ମ ସାକ୍ଷାତକାର କରିବା ପାଇଁ ଗୁରୁଙ୍କର ସହାୟତା ଅତ୍ୟନ୍ତ ଆବଶ୍ୟକ। ତେଣୁ ଭବସିନ୍ଧୁରୁ ପାର ହେବା ଲାଗି ଆତ୍ମଦର୍ଶି ସଦଗୁରୁଙ୍କ କୃପାଭିକ୍ଷା ନିତ୍ୟାନ୍ତ ପ୍ରୟୋଜନ। ସେ ହିଁ ଏ ଭବସିନ୍ଧୁର ନାବିକ। ଅତଃ ତା’ଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିବା ବିଦେହ। ଏହାକୁ ଦୃଷ୍ଟିରେ ରଖି ସନାତନ ଧର୍ମର ସମସ୍ତ ସମ୍ପ୍ରଦାୟ ଶିଷ୍ୟମାନେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳନ କରନ୍ତି । ସୂର୍ଯ୍ୟଙ୍କର ଦକ୍ଷିଣାୟନ ଯାତ୍ରାର ପ୍ରଥମ ପୂର୍ଣ୍ଣିମା ତିଥିକୁ ଭାରତ, ନେପାଳ ଓ ଭୁଟାନ ଆଦି ଦେଶର ଲୋକେ ‘ଗୁରୁପୂର୍ଣ୍ଣିମା’ ବା ‘ବ୍ୟାସପୂର୍ଣ୍ଣିମା’ ଭାବରେ ପାଳନ କରିଥାନ୍ତି।ଗୁରୁମାନେ ହିଁ ଆମ ଜୀବନର ମାର୍ଗଦର୍ଶକ ଓ ସୁନିୟନ୍ତ୍ରକ। ସେମାନଙ୍କ ଠାରୁ ପ୍ରାପ୍ତ କରିଥିବା ଶିକ୍ଷା, ଦୀକ୍ଷା ତଥା ତାଙ୍କ ଆଦର୍ଶ ସବୁକିଛି ଶିଷ୍ୟମାନଙ୍କ ଜୀବନରେ ପ୍ରତିଫଳିତ ହୋଇଥାଏ। ବ୍ୟାସଦେବ ତାଙ୍କ ସୃଷ୍ଟି ମାଧ୍ୟମରେ ଯୁଗଯୁଗ ପାଇଁ ଏ’ ମାନବ ଜାତିକୁ ମହାନ ଶିକ୍ଷା ଦେଇ ଯାଇଛନ୍ତି। ଆମ ଜୀବନର ପ୍ରତିଟି କ୍ଷେତ୍ରରେ ଏହା ବର୍ତ୍ତମାନ ମହାନ ବିଭବ ରୂପେ ସମୃଦ୍ଧି କରୁଛି।

ପ୍ରାଚୀନ କାଳରେ ଗୁରୁ କୂଳରେ ଶିଷ୍ୟମାନଙ୍କୁ ପରୀକ୍ଷା ନିରୀକ୍ଷା କରି ଉପଯୁକ୍ତ ଶିକ୍ଷା ଦେବାର ବ୍ୟବସ୍ଥା ଥିଲା ଏବଂ ଶିକ୍ଷାର ଉପଯୁକ୍ତ ଦକ୍ଷତା ହାସଲ ପରେ ଗୁରୁଦକ୍ଷିଣା ଦାନ ପୂର୍ବକ ଶିଷ୍ୟ ମାନେ ବିଦାୟ ନେଉଥିଲେ। ଏହି ଦକ୍ଷିଣା ଥିଲା ଶିଷ୍ୟମାନଙ୍କର ଏକ ସମର୍ପଣର ଭାବ। କିନ୍ତୁ ଆଜି ଆଉ ଅରଣ୍ୟ ମାନଙ୍କରେ ଗଢି ଉଠିଥିଵା ସେହି ଗୁରୁକୂଳମାନ ଦେଖିବାକୁ ମିଳେନାହିଁ। ଆଧୁନିକ ଯୁଗରେ ବର୍ତ୍ତମାନ ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଦ୍ୟାଳୟ ମାନଙ୍କରେ କେବଳ ଭୌତିକ ଶିକ୍ଷା ପ୍ରଦାନ କରାଯାଏ। ଏହି ଶିକ୍ଷାକୁ ଯେଉଁମାନେ ପ୍ରଦାନ କରନ୍ତି ସେହିମାନଙ୍କୁ ଶିକ୍ଷକ କୁହାଗଲା। ଆଧ୍ୟାତ୍ମିକ ଶିକ୍ଷାର ଅଭାବ ଯୋଗୁଁ ଆଜି ନୈତିକ ମୂଲ୍ୟବୋଧର ଘୋର ଅଭାବ ଦେଖିବାକୁ ମିଳୁଛି। ଯାହା ଫଳରେ ଅଧୁନା ଆଉ ଗୁରୁ ଓ ଶିଷ୍ୟର ପରମ୍ପରା କର୍ପୂର କନା ଭଳି ପଡ଼ି ରହିଛି।

ବରିଷ୍ଠ ଦର୍ଶନ ଅଧ୍ୟାପକ
ଆସିକା, ଗଞ୍ଜାମ।
୯୮୬୧୩୩୪୮୬୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ