ଭାସମାନ ଡାକଘର
ଭୂଃସ୍ୱର୍ଗ ଭାବେ ଜଣାଯାଉଥିବା ଶ୍ରୀନଗରରେ ପର୍ଯ୍ୟଟକଙ୍କ ସଂଖ୍ୟା ସେଭଳି ବୃଦ୍ଧି ନ ପାଇବାର ମୁଖ୍ୟ କାରଣ ହେଲା ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ଭୟ । ଏକ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁସାରେ ଆମେରିକା ଓ ଇଉରୋପରୁ ଆସୁଥିବା ପର୍ଯ୍ୟଟକମାନେ ଶ୍ରୀନଗର ଯିବାରେ ଆଗ୍ରହ ପ୍ରକାଶ କରନ୍ତି, କିନ୍ତୁ ସେଠାକାର ପାରିପାର୍ଶିକ ପରିସ୍ଥିତି ଠିକ୍ ରହୁନଥିବାରୁ ପର୍ଯ୍ୟଟକ ଆଗେଇ ପାରନ୍ତି ନାହିଁ । କେତେଜଣ ପର୍ଯ୍ୟଟକ ଅବଶ୍ୟ ଚ୍ୟାଲେଞ୍ଜ ଭାବେ ଜୀବନକୁ ଗ୍ରହଣ କରି ସେଠାକୁ ଯାତ୍ରା କରନ୍ତି । ଶ୍ରୀନଗର ଯାଇଥିବା ପର୍ଯ୍ୟଟକଙ୍କ ମତରେ ସ୍ଥାନୀୟ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଆଖିରେ ନ ଦେଖିଲେ ଅନ୍ୟ ଠାରୁ ଶୁଣିବା ନିରର୍ଥକ ଅଟେ । ଏଠାକାର ପ୍ରମୁଖ ଆକର୍ଷଣ ମଧ୍ୟରୁ ଅନ୍ୟତମ ହେଉଛି ‘ଭାସମାନ ଡାକଘର’ । ଡାଲ ହ୍ରଦର ଏଇ ଭାସମାନ ଡାକଘର ୨୦୧୧ ରେ ତତ୍କାଳୀନ ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶୁଭାରମ୍ଭ କରିଥିଲେ । ସ୍ଥାନୀୟ ଲୋକଙ୍କୁ ଡାକ ସୁବିଧା ଯୋଗାଉଥିବା ଭାସମାନ ଡାକଘରରେ ନିୟମିତ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳେ । ଏହା ସହ ଡାକଘରରେ ମିଳୁଥିବା ଅନ୍ୟ ସୁବିଧାମାନ ହେଲା ଇଣ୍ଟରନେଟ୍ ସୁବିଧା ଓ ଅନ୍ତର୍ଜାତୀୟ ଫୋନ୍ କଲ । ଭାସମାନ ଡାକଘରର ରକ୍ଷଣାବେକ୍ଷଣରେ ସ୍ଥାନୀୟ ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ନେଉଥିବାର ପ୍ରକାଶ ।


