ଲୁଣ ମରୁଭୂମି

ଭାରତବର୍ଷରେ ଏମିତି କିଛି ସ୍ଥାନ ରହିଛି, ଯାହାର ନାଁ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ଆମେ ଥର୍‌ ମରୁଭୂମି ସମ୍ପର୍କରେ ଶୁଣିଛେ। କେତେକ ହୁଏତ ସେହି ସ୍ଥାନକୁ ବୁଲିବା ଲାଗି ଯାଇଥିବେ। ସାଧାରଣତଃ ମରୁଭୂମି କହିଲେ ବିସ୍ତୀର୍ଣ୍ଣ ବାଲି, ବିଭିନ୍ନ ପ୍ରକାର କଣ୍ଟାଗଛ ଏବଂ ଓଟ ବାସ କରୁଥିବା ସ୍ଥାନକୁ ବୁଝାଇଥାଏ। ମାତ୍ର ଭାରତରେ ଏମିତି ଏକ ମରୁଭୂମି ଅଛି, ଯାହାକୁ ଲୁଣ ମରୁଭୂମି କୁହାଯାଇଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ମରୁଭୂମି ରହିଛି ଗୁଜରାଟରେ। ଆରବସାଗରଠାରୁ ୧୦୦ କିଲୋମିଟର ଦୂର ବଞ୍ଜର ମରୁଭୂମିରେ ବରଫ ପରି ଲୁଣ ବିସ୍ତୃତ ଭାବରେ ପଡ଼ିଥିବାର ଦେଖିବାକୁ ମିଳେ। ସ୍ଥାନେ ସ୍ଥାନେ ଏହାକୁ ଏକାଠି ଗଦାକରି ରଖାଯାଇଥାଏ। କଇଁଛପରି ଏହି ସ୍ଥାନକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ବଡ଼ଭାଗଟି ୧୮ ହଜାର କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିବାବେଳେ ଛୋଟ ଅଂଶଟି ୫ ହଜାର କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏଠାରୁ ଭାରତର ୭୫ ପ୍ରତିଶତ ଲୁଣ ମିଳିଥାଏ। ପ୍ରତିବର୍ଷ ବର୍ଷାଦିନରେ ଏଠାରେ ବନ୍ୟା ଆସିଥାଏ। ଫଳରେ ଲୁଣ ସବୁ ଉଭାନ ହୋଇଯାଏ। କିନ୍ତୁ ଗତ ୨୦୦ ବର୍ଷ ଧରି ଏଠାରେ ଲୁଣର ଏକ ଉଦ୍ୟୋଗ ପ୍ରତିଷ୍ଠା ହୋଇଛି। ଅକ୍ଟୋବରରେ ପଡ଼ୋଶୀ ସୁରେନ୍ଦ୍ରନଗର ଜିଲ୍ଲାରୁ କୋହଲି ଏବଂ ଅଗରିଆ ଜନଜାତିର ଲୋକେ ଏଠାକୁ ଆସି ବସବାସ କରି ରହୁଛନ୍ତି। ଲୁଣ କ୍ଷେତ୍ରର ଦେଖାଶୁଣା କରୁଛନ୍ତି। ଏହି କ୍ଷେତ ଜୁନ୍‌ ପର୍ଯ୍ୟନ୍ତ ଚାଲିଥାଏ। ବହୁତ କଷ୍ଟରେ ଏଠାରେ ଶ୍ରମିକମାନେ କାମ କରିଥାନ୍ତି। ଅକ୍ଟୋବରରୁ-ନଭେମ୍ବର ବର୍ଷା ବନ୍ଦ ହୋଇଯିବା ପରେ ଲୁଣ ମାରିବା ପ୍ରକ୍ରିୟା ଆରମ୍ଭ ହୁଏ। ପାଣିକୁ ବନ୍ଧ ଦେଇ ରଖିବାକୁ ପଡ଼େ। ସୂର୍ଯ୍ୟକିରଣରେ ଏହା ବାଷ୍ପୀଭୂତ ହେବା ପରେ ଯାହା ବଳକା ରହେ ତାହା ଲୁଣ ଆକାରରେ ବାହାରିଥାଏ। ଶ୍ରମିକମାନେ ଏପରି ଭାବରେ ୧୮ଟି ଜମିରୁ ଲୁଣ ପ୍ରସ୍ତୁତ କରିଥାନ୍ତି। ପାଞ୍ଚ ପିଢ଼ି ଧରି ସେମାନେ ଲୁଣଚାଷ କରିଆସୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ