ଭିଡିଓ ଉଠାଇ ଅଡ଼ୁଆରେ ଅଭିନେତ୍ରୀ
ସମ୍ବଲପୁର : ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଭିଡିଓ ଉଠାଇ ଅଡୁଆରେ ଅଭିନେତ୍ରୀ । ଡ୍ୟାମର ନିଷିଦ୍ଧାଞ୍ଚଳରେ କୌଣସି ପ୍ରକାର ଫଟୋ ନ ଉଠାଇବା କିମ୍ବା ଭିଡିଓ ରେକର୍ଡିଂ କରିବା ଉପରେ କଟକଣା ଜାରି କରାଯାଇଛି । କିନ୍ତୁ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ନିଷିଦ୍ଧାଞ୍ଚଳରୁ ଭିଡିଓ ଉତ୍ତୋଳନ କରି ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ହୀରାକୁଦ ଡ୍ୟାମର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ସମ୍ବଲପୁରର ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା ଭିଡିଓରେ ତିନି ଜଣ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର, ଏଲିନା ସାମନ୍ତ ରାୟ ଓ ଲଭଲି ଥିବାବେଳେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ମଧ୍ୟ ଏହି ଭିଡିଓରେ ଅଛନ୍ତି । ଦୁଇ ଦିନ ତଳେ କୌଣସି ଏକ କାର୍ଯ୍ୟକ୍ରମରେ ଓଲିଉଡ ଇଣ୍ଡ୍ରଷ୍ଟିଜର ତିନି ଜଣ ଅଭିନେତ୍ରୀ ସମ୍ବଲପୁର ଆସିବା ସହ ହୀରାକୁଦ ଡ୍ୟାମ ବୁଲିବାକୁ ଯାଇଥିଲେ । ଭିଡିଓ ଭାଇରାଲ୍ ଘଟଣାରେ ମୁହଁ ଖୋଲିଛନ୍ତି ଏଲିନା ସାମନ୍ତରାୟ। ସେ କହିଛନ୍ତି, “ଭୁଲ୍ ହୋଇଛି, କିନ୍ତୁ ମୁଁ ଭୁଲ୍ କରିନି। ମୁଁ ଭିଡିଓ କ୍ୟାପ୍ଚର୍ କରିନି କି ମୋ ସୋଶାଲ୍ ସାଇଟରେ ତାହା ଅପଲୋଡ୍ ହୋଇନି। ନିଷିଦ୍ଧାଞ୍ଚଳରେ ଭିଡିଓ କରାଯିବା ଭୁଲ୍, କିନ୍ତୁ ମୁଁ ସେ ଭୁଲ୍ କରିନି। କେବଳ ମୋତେ କ୍ୟାପ୍ଚର କରାଯିବା ବେଳେ ମୁଁ ସତର୍କ ନଥିଲି। ଏଣିକି ଯେବେ କେହି ମୋ ଭିଡିଓ କ୍ୟାପ୍ଚର କରିବେ, ମୁଁ ଧ୍ୟାନ ଦେବି।” ଏହା ସହିତ ପୁଲିସର ସମସ୍ତ ତଦନ୍ତକୁ ସାମ୍ନା କରିବେ ବୋଲି ଏଲିନା କହିଛନ୍ତି।


