ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ : ରାଜ୍ୟର ଜଳ ବିବାଦର ସମାଧାନ ଖୁବ ଶୀଘ୍ର
ଭୁବନେଶ୍ୱର, ଖୁବ୍ ଶୀଘ୍ର ଓଡ଼ିଶାର ସମସ୍ତ ଜଳ ବିବାଦର ସମାଧାନ ହେବ । ଟ୍ରିବ୍ୟୁନାଲରେ ଥିବା ସମସ୍ତ ମାମଲାକୁ ଅନୁଧ୍ୟାନ କରାଯାଉଛି । ଆଶା କରାଯାଉଛି, ଖୁବ ଶୀଘ୍ର ଓଡ଼ିଶାର ସମସ୍ତ ନଦୀର ଜଳ ବିବାଦର ସମାଧାନ ହୋଇଯିବ । ଆଦିବାସୀ ବିଭାଗ ପାଇଁ ଅନେକ ବ୍ୟବସ୍ଥା ରହିଛି । କେନ୍ଦ୍ର ସରକାର ରାଜ୍ୟବାସୀଙ୍କ ପାଇଁ ଯେଉଁ ଅର୍ଥ ପଠାଉଛନ୍ତି, ତାହାକୁ କାର୍ଯ୍ୟକାରୀ କରିବା ରାଜ୍ୟ ସରକାରଙ୍କର ଦାୟିତ୍ୱ ବୋଲି ବୋଲି କେନ୍ଦ୍ର ଆଦିବାସୀ ଓ ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି । ଓଡିଶା ଗସ୍ତରେ ଆସିଥିବା ଅବସରରେ ସେ ଏହା କହିଛନ୍ତି ।ସଂପ୍ରସାରିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ନୂତନ ଭାବେ ସ୍ଥାନ ପାଇଥିବା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଛଅ ଦିନିଆ ଓଡିଶା ଗସ୍ତରେ ଆସି ସୋମବାର ଭୁବନେଶ୍ୱରରେ ପହଂଚିଛନ୍ତି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ରାଜ୍ୟ ନେତୃବୃନ୍ଦ, ଜିଲ୍ଲା ସଭାପତି ବାବୁ ସିଂ ଏବଂ ଜିଲ୍ଲା ବିଜେପି ତରଫରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ ଭବ୍ୟ ସ୍ୱାଗତ ଜ୍ଞାପନ କରାଯାଇଥିଲା । ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ରଶ୍ମୀରଂଜନ ମୁଦୁଲିଙ୍କ ନେତୃତ୍ୱରେ ବହୁ ଯୁବ କାର୍ଯ୍ୟକର୍ତା କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ । ଆଦିବାସୀ ସମ୍ପ୍ରଦାୟର ପାରଂପାରିକ ନୃତ୍ୟ ବାଦ୍ୟ ସହ ଶ୍ରୀ ଟୁଡୁଙ୍କୁ ବିମାନବନ୍ଦରଠାରେ ସ୍ୱାଗତ କରାଯାଇଥିଲା । ଏହା ପରେ ଶ୍ରୀ ଟୁଡୁ ପ୍ରଭୂ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମନ୍ଦାକିନୀ ପାତ୍ରଙ୍କ ନେତୃତ୍ୱରେ ଲିଙ୍ଗରାଜ ମନ୍ଦିରଠାରେ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତାମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ । ଏହା ପରେ ଶ୍ରୀ ଟୁଡୁ ପୁରୀ ଅଭିମୁଖେ ଗସ୍ତ କରିଥିଲେ ।
ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱରରୁ ବାହାରି ବାଲେଶ୍ୱର ଦେଇ ବାରିପଦା ଗସ୍ତ କରି ରାତ୍ରଯାପନ କରିବେ । ଆସନ୍ତା ୮, ୯, ୧୦ ଓ ୧୧ ତରିଖ ଦିନ ମୟୁରଭଂଜ ସଂସଦୀୟ କ୍ଷେତ୍ରରେ ବିଭିନ୍ନ ସ୍ଥାନ ଗସ୍ତ କରି ଦଳୀୟ ଏବଂ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବେ ।
ଏହି ଅବସରରେ ବିମାନ ବନ୍ଦରଠାରେ ଜିଲ୍ଲା ବିଜେପି ତରଫରୁ ଜିଲ୍ଲା ସାଧାରଣ ସଂପାଦକ ଅଭିଷେକ ଆଚାର୍ଯ୍ୟ ଓ ହିମାଂଶୁ ଶେଖର ଛୋଟରାୟ, ସୁନୀଲ ପ୍ରଧାନ, ସନ୍ତୋଷ ଜେନା ଏବଂ ଲିଙ୍ଗରାଜ ମନ୍ଦିରଠାରେ ସ୍ଥାନୀୟ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଶିବ ବେହେରା,ମହେଶ୍ୱର ସ୍ୱାଇଁ, ବଳରାମ ବେହେରା ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ରହି କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ ।


