ଭୁବନେଶ୍ୱର ଠାରେ ଦକ୍ଷତା ବିକାଶ ଅନୁଷ୍ଠାନର ସ୍ଥାୟୀ କ୍ୟାମ୍ପସ ଲୋକାର୍ପଣ : ଛାତ୍ରଛାତ୍ରୀମାନେ କୁଶଳୀ ମାଧ୍ୟମରେ ସ୍ୱାବଲମ୍ବୀ ସହ ଆତ୍ମନିର୍ଭର ହୋଇପାରିବେ -ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଦେଶରେ ଶିକ୍ଷାର ଗୁଣାତ୍ମକ ମାନ କିଭଳି ରହିବ ଏବଂ ଓଡ଼ିଶାର ପିଲାମାନେ କିଭଳି ସାମଗ୍ରିକ ଭାବେ ଏହାର ଲାଭ ପାଇପାରିବେ ସେ ନେଇ ବ୍ୟାପକ ଯୋଜନା ପ୍ରସ୍ତୁତ ହେଉଥିବା ବେଳେ ଛାତ୍ରଛାତ୍ରୀମାନେ କୁଶଳୀ ମାଧ୍ୟମରେ ହିଁ ସ୍ୱାବଲମ୍ବୀ ସହ ଆତ୍ମନିର୍ଭର ହୋଇପାରିବେ ବୋଲି ଶୁକ୍ରବାର ଭୁବନେଶ୍ୱର ଦକ୍ଷତା ବିକାଶ ପ୍ରତିଷ୍ଠାନ(ଏସଡ଼ିଆଇ)ର ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ଏବଂ ଆଇସିଟି- ଆଇଓସି କ୍ୟାମ୍ପସର ଭୂମିପୂଜନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଉଲ୍ଲେଖନୀୟ ଯେ, ଓଡିଶାରେ ତୈଳ ପିଏସୟୁଙ୍କ ସହଯୋଗରେ ଦକ୍ଷତା ବିକାଶ ଅନୁଷ୍ଠାନ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଥମେ କଳ୍ପନା କରିଥିଲେ । ଏହା ପରେ ପ୍ରଥମ ମଡେଲ ସ୍କିଲ ଡ଼େଭଲପମେଂଟ ଇନଷ୍ଟିଚ୍ୟୁଟ୍ ଭୁବନେଶ୍ୱର ମଚେଶ୍ୱରରେ ଏକ ଅସ୍ଥାୟୀ କ୍ୟାମ୍ପସରେ ୨୦୧୬ ମଇ ୯ ତାରିଖରେ ପବିତ୍ର ଅକ୍ଷୟ ତୃତୀୟାରେ ଶୁଭାରମ୍ଭ ହୋଇଥିଲା । ଯେତେବେଳେ ଏହି ଅନୁଷ୍ଠାନର ପାଇଲଟ କ୍ୟାମ୍ପସରେ ଶୁଭାରମ୍ଭ ହୋଇଥିଲା, ସେତେବେଳେ ଏହି ବୃହତ ଅନୁଷ୍ଠାନକୁ ପରିବର୍ତନ କରି ଦେଶରେ ଏକ ଉଦାହରଣ ସୃଷ୍ଟି କଲା ଭଳି ଅନୁଷ୍ଠାନରେ ପରିଣତ କରିବାକୁ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ । ଆଜି ଭୁବନେଶ୍ୱର ଦକ୍ଷତା ବିକାଶ କେନ୍ଦ୍ର ପୂର୍ଣ୍ଣାଙ୍ଗ ହୋଇଛି । ଏହି କ୍ୟାମ୍ପସ ଅତ୍ୟାଧୁନିକ ଜ୍ଞାନ କୌଶଳ ଆଧାରରେ ପ୍ରସ୍ତୁତି ହୋଇଛି । ଡ଼ିଜିଟାଲ ମୋବିଲିଟି, ଡ଼ିଜିଟାଲ ଏଜୁକେସନ ମ୍ୟାନେଜମେଂଟ୍ ବ୍ୟବସ୍ଥା ରହିଛି । ପର୍ଯ୍ୟାବରଣ ସହାୟକ ସୌର ଶକ୍ତି ଓ ବାୟୋଗ୍ୟାସ ପ୍ଲାଂଟ୍ ଆଧାରରେ ଏହି ଅନୁଷ୍ଠାନ ପରିଚାଳିତ ହେବ ।
? ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶବାସୀଙ୍କୁ ସମର୍ପିତ ଭୁବନେଶ୍ୱର ଦକ୍ଷତା ବିକାଶ କେନ୍ଦ୍ର ରାଷ୍ଟ୍ରୀୟ ଏବଂ ବିଶ୍ୱ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦ୍ୱାରା ଉଦ୍ୟମିତା ବିକାଶ ଜରିଆରେ ସ୍ୱରୋଜଗାରର ମାଧ୍ୟମ ଦେଇପାରିବ । ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇ ଦେବା ସହ ସେମାନଙ୍କ ଭବିଷ୍ୟତ ଗଢ଼ିବାରେ ସହାୟକ ହେବ । ଦକ୍ଷତା ବିକାଶ ପ୍ରତିଷ୍ଠାନର ଲୋକାର୍ପଣ ହେବା ଦ୍ୱାରା ଓଡ଼ିଶାର ଛାତ୍ରଛାତ୍ରୀମାନେ ଉପକୃତ ହେବେ ।ଲୋକାର୍ପିତ ଦକ୍ଷତା ବିକାଶ ପ୍ରତିଷ୍ଠାନ ପରିସରରେ ଅତ୍ୟାଧୁନିକ ସ୍ପୋର୍ଟ୍ସ କମ୍ପଲେକ୍ସ ନିର୍ମାଣ ପାଇଁ ଯୋଜନା କରାଯାଉଛି । ଆନୁଷଙ୍ଗିକ ଭିତିଭୂମି ସହ ଏହି ଅନୁଷ୍ଠାନ ଆଗାମୀ ବର୍ଷ ମାନଙ୍କରେ ଦକ୍ଷତା ବିକାଶ କ୍ଷେତ୍ରରେ ନୂଆ କୀର୍ତିମାନ ସ୍ଥାପନ କରିବ । ପ୍ରଧାନମନ୍ତ୍ରୀ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି । ‘ସବକା ସାଥ୍‌, ସବକା ବିକାଶ: ସବକା ବିଶ୍ୱାସ, ସବକା ପ୍ରୟାସ’ ବାସ୍ତବରେ ଦକ୍ଷତା ବିକାଶ ପାଇଁ ପ୍ରତିଷ୍ଠିତ ଏହି ଅନୁଷ୍ଠାନକୁ ଶିଖରରେ ପହଁଚାଇବ ବୋଲି ଶ୍ରୀ ପ୍ରଧାନ ଦୃଢ ଆଶାପ୍ରକଟ କରିଛନ୍ତି ।
ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଥିବା ତଥା ନାସାର ‘ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ଚ୍ୟାଲେଞ୍ଜ’ ବିଜ୍ଞାନ ଫୋରମରେ ତୃତୀୟ ସ୍ଥାନ ହାସଲ କରିଥିବା ଅନିଲ ପ୍ରଧାନଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ନିଜ ପ୍ରଚେଷ୍ଟାରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଉତ୍କୃଷ୍ଟ ଉଦାହରଣ ହେଉଛନ୍ତି ଓଡ଼ିଆ ଯୁବ ଇଞ୍ଜିନିୟର ଅନିଲ ପ୍ରଧାନ । ଯେ ଚାକିରି ନ କରି ନିଜ ଅଂଚଳର ଛାତ୍ରଛାତ୍ରୀମାନଙ୍କୁ କୁଶଳୀ କରିବା ପାଇଁ ନିଜେ ଅନୁଷ୍ଠାନ ଗଢ଼ିଲେ । ଅନିଲଙ୍କ ଠାରୁ ପ୍ରଶିକ୍ଷଣ ପାଇ ସାଇକେଲ ମେକାନିକ ଛାତ୍ର ଓ ଅନିଲଙ୍କ ଟିମ୍ ବିଦେଶରେ ସଫଳତା ହାସଲ କରିବା ନିଶ୍ଚିତ ଭାବରେ ଆଜିର ଶିକ୍ଷାନୁଷ୍ଠାନ ଓ ଯୁବପିଢ଼ିଙ୍କ ପାଇଁ ପ୍ରେରଣାଦାୟୀ ।ଉଲ୍ଲେଖନୀୟ ଯେ, ଇଣ୍ଡିଆନ ଅଏଲ ଏସଡିଆଇ ଭୁବନେଶ୍ୱରକୁ ଏକ ଗ୍ରୀନଫିଲ୍ଡ ମେଗା ମଡେଲ ମଲ୍ଟି ସ୍କିଲିଂ ଅନୁଷ୍ଠାନ ଭାବେ ଗଢ଼ି ତୋଳିବା ପାଇଁ କାର୍ଯ୍ୟ ତ୍ୱରାନ୍ୱିତ କରିଛି ଏବଂ ଏଥିପାଇଁ ୨୫୫ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଛି । ଏଥିସହ ଅତିରିକ୍ତ ୮୦ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେବାକୁ ଇଣ୍ଡିଆନ ଅଏଲର ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ଅନୁଷ୍ଠାନର ଭିତିଭୂମି ଅତ୍ୟାଧୁନିକ ଏବଂ ୧ ହଜାର ଛାତ୍ରଛାତ୍ରୀ ଓ ଏହାସହ ୨୦୦ ଶିକ୍ଷକ ଶିକ୍ଷୟିତ୍ରୀ ରହିବାର ବ୍ୟବସ୍ଥା ରହିଛି । ସ୍ମାର୍ଟ କ୍ଲାସରୁମ ଏବଂ ୱାର୍କସପର ଅତ୍ୟାଧୁନିକ ବ୍ୟବସ୍ଥା ଏହି ଠାରେ ରହିଛି ।ଏହାର ଭିତିପ୍ରସ୍ତର ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ଦ୍ୱାରା ୨୦୧୮ ମାର୍ଚ୍ଚ ୧୮ ତାରିଖରେ ସ୍ଥାପନ କରାଯାଇଥିଲା । ଆଗାମୀ ୧୦ ବର୍ଷ ମଧ୍ୟରେ ଏସଡିଆଇବି ଏହାର ନୂଆ କ୍ୟାମ୍ପସ ମାଧ୍ୟମରେ ଭାରତ ସରକାରଙ୍କ ‘ସ୍କିଲ ଇଣ୍ଡିଆ’ ଏବଂ ‘ପୂର୍ବୋଦୟ ମିସନ’କୁ ସଶକ୍ତ କରିବାକୁ ବିବିଧ ପାଠ୍ୟକ୍ରମରେ ୫୦,୦୦୦ରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀଙ୍କୁ ତାଲିମ ପ୍ରଦାନର ଲକ୍ଷ୍ୟ ରଖିଛି । ଏହାବ୍ୟତିତ ଆଇସିଟି-ଆଇଓସି ଭୁବନେଶ୍ୱର କ୍ୟାମ୍ପସ ପାଇଁ ଇଣ୍ଡିଆନ ଅଏଲ ପ୍ରଥମ ଚରଣରେ ୯୫ କୋଟି ଟଙ୍କା ଯୋଗାଇ ଦେଇଛି । ସୂଚନାଯୋଗ୍ୟ, ଦକ୍ଷତା ବିକାଶ ଅନୁଷ୍ଠାନ (ଏସଡିଆଇ) ଭୁବନେଶ୍ୱରର ସ୍ଥାୟୀ କ୍ୟାମ୍ପସ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ସହରାଂଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲି, ଭୁବନେଶ୍ୱର ସାଂସଦ ଶ୍ରମତୀ ଅପରାଜିତା ଷଡ଼ଙ୍ଗୀ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ଇଣ୍ଡିଆନ ଅଏଲର ଚେୟାରମ୍ୟାନଙ୍କ ଉପସ୍ଥିତିରେ ଏହି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ