ପ୍ରଶାସନର ପ୍ରତିଶୃତି ପରେ ଅନଶନ ପ୍ରତ୍ୟାହାର କଲେ ଦୁଷ୍ମନ୍ତ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ମହୁ ବଜାରଦାଣ୍ଡି ଅଙ୍ଗନବାଡି କେନ୍ଦ୍ରରେ ହୋଇଥିବା ଦୁର୍ନୀତିରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବିକରି ଆଳି ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଚଳାଇଥିବା ଅଭିଯୋଗକାରୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ପ୍ରଶାସନ ନିକଟରୁ ପ୍ରତିଶୃତି ପାଇବା ପରେ ରବିବାର ତାଙ୍କ ଅନଶନକୁ ପ୍ରତ୍ୟାହାର କରିନେଇଛନ୍ତି। ଆଳି ତହସିଲଦାର ଅନଶନସ୍ଥଳରେ ପହଞ୍ଚି ଏକ ଲିଖିତ ପ୍ରତିଶୃତି ଦେବା ପରେ ଦୁଷ୍ମନ୍ତ ଅନଶନକୁ ପ୍ରତ୍ୟାହାର କରିନେଇଥିଲେ। ପ୍ରଶାସନ ଦୁର୍ନୀତିକୁ ଚପାଇ ରଖି ଦୁର୍ନୀତି କରିଥିବା କର୍ମୀଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ପ୍ରତିବାଦରେ ଅପ୍ରେଲମାସ ୨୦ତାରିଖ ଠାରୁ ଅଭିଯୋଗକାରୀ ଶ୍ରୀ ଆଚାର୍ଯ୍ୟ କରିଥିବା ଅଭିଯୋଗ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ପ୍ରଥମେ ଧାରଣା ଦେଇଥିବା ଦୁଷ୍ମନ୍ତ ଅପ୍ରେଲମାସ ୨୭ତାରିଖ ଠାରୁ ଆଳି ସିଡିପିଓଙ୍କ ଅଫିସ ସମ୍ମୁଖରେ ଆମରଣ ଅନଶନରେ ବସିରହିଥିଲେ। ତାଙ୍କ ଦାବି ପୁରଣ କରାନଗଲେ ଅନଶନ ସ୍ଥଳରେ ମଇମାସ ୬ ତାରିଖ ବୁଧବାର ଦିନ ସକାଳ ୧୦ ଘଟିକା ସମୟରେ ଆଳି ସିଡ଼ିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମଦାହ କରିବାକୁ ବାଧ୍ୟ ହେବେ ବୋଲି ପ୍ରଶାସନକୁ ଦୁଷ୍ମନ୍ତ ଚେତାବନୀ ଦେଇଥିଲେ। ଏହାଜାଣିବା ପରେ ଜିଲ୍ଲାପାଳ ଏକ ଉଚ୍ଚସ୍ତରୀୟ ବୈଠକରେ ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଏସମ୍ପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ। ସେହି ଅନୁଯାୟି ଆଳି ତହସିଲଦାର ଅନଶନସ୍ଥଳରେ ପହଞ୍ଚି ଦୁଷ୍ମନ୍ତଙ୍କୁ ଏକ ଲିଖିତ ପ୍ରତିଶୃତି ଦେଇ ଉପଜିଲ୍ଲାପାଳଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟରେ ଭେଟିବାକୁ କହିଥିଲେ। ତେଣୁ ଦୁଷ୍ମନ୍ତ ତାଙ୍କ ଅନଶନକୁ ପ୍ରତ୍ୟାହାର କରିନେଇଥିଲେ। ଆଜି ଦୁଷ୍ମନ୍ତ ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ସମସ୍ତ ତଥ୍ୟପ୍ରମାଣ ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ନାୟକ କହିଲେ ଡେପୁଟୀ କଲେକ୍ଟରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ସେହି କମିଟି ଏହି ଅଭିଯୋଗର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପରେ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଭିଯୋଗକାରୀ ଦୁଷ୍ମନ୍ତ କହିଛନ୍ତି ଯେ ଏକମାସ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସେ ପୁନର୍ବାର ଅନଶନରେ କରିବେ।


