ଭୁଲରେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ଛାଡି ଦେଇଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ବୋମିକା ପଞ୍ଚାୟତ ଅନ୍ତର୍ଗତ ବଡଦେଉଳା ଗ୍ରାମ ଠାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ଅଭାବନିୟ ଘଟଣା ଘଟିଯାଇଛି । ବିଦ୍ୟାଳୟର କାର୍ଯ୍ୟକାଳ ବନ୍ଦ ହେବାପରେ ଅର୍ଥାତ ଅପରାହ୍ନ ୪ଘଣ୍ଟା ପରେ ଜଣେ ଛାତ୍ରୀଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଭୁଲବଶତଃ ଛାଡିଦେଇଥିବାର ଜଣାପଡିଛି । ଅବଶ୍ୟ ଏହି ଭୁଲକୁ କର୍ତ୍ତୃପକ୍ଷ ସ୍ୱୀକାର କରିବା ସହ ଆଉ ଭବିଷ୍ୟତରେ ଏପରି ଘଟଣାର ପୁନରାବୃତି ହେବ ନାହିଁ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ସୋମବାର ଦିନ ବିଦ୍ୟାଳୟର ପାଠପଢା ସାରଣୀ ସରିଯିବା ପରେ ଏହି ଗ୍ରାମର ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀ ଜଣକ ଭୁଲବଶତଃ ଅନ୍ୟ ଏକ ଶ୍ରେଣୀ କକ୍ଷକୁ ଚାଲିଯାଇ ଟେବୁଲ ବେଞ୍ଚର ଶେଷ ଭାଗରେ ଶୋଇପଡିଥିଲେ ବୋଲି ଗ୍ରାମବାସୀ ଓ ଛାତ୍ରୀ ଜଣକଙ୍କ ପରିବାର ବର୍ଗ କହିଛନ୍ତି । ସୋମବାର ଅପରାହ୍ନ ୪ଘଣ୍ଟା ପରେ ବିଦ୍ୟାଳୟର ଶ୍ରେଣୀ କକ୍ଷ ଗୁଡିକର ଝରକା କବାଟ ବନ୍ଦ କରାଯାଉଥିଲା । ଏହି ଦାୟିତ୍ୱ ନିଯୁକ୍ତ ହୋଇଥିବା ମନିଟର ତୁଲାଉଥିଲେ । ହେଲେ ମନିଟର ଜଣକଙ୍କ ଅଜାଣତରେ ବଡଦେଉଳା ଗ୍ରାମର ପ୍ରଥମ ଶ୍ରେଣୀ ଛାତ୍ରୀ ଜଣକ ଅନ୍ୟ ଏକ ଖାଲିଥିବା କକ୍ଷକୁ ଯାଇ ପଡିଥିବା ଟେବୁଲ ବେଞ୍ଚ୍‌ର ଶେଷ ଭାଗରେ ଶୋଇପଡିଥିଲେ । ଇତି ମଧ୍ୟରେ ମନିଟ ଏବଂ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସମସ୍ତ ଝରକା କବାଟ ବନ୍ଦ କରି ତାଲା ପକାଇ ବିଦ୍ୟାଳୟର ଏସ୍‌ଏମ୍‌ସି ସଭାପତିଙ୍କୁ ଚାବି ଗୁଡାକ ହସ୍ତାନ୍ତର କରି ଚାଲିଯାଇଥିଲେ । ଇତି ମଧ୍ୟରେ ପ୍ରବଳ ବର୍ଷିଥିଲା । ଛାତ୍ରୀଙ୍କ ପରିବାର ବର୍ଗ ବର୍ଷା ଛାଡିବା ପରେ ଖୋଜାଖୋଜି ଆରମ୍ଭ କରିଥିଲେ । ଭାବିଥିଲେ ଯେ, ବର୍ଷା ଯୋଗୁଁ ପିଲାଟି ଗ୍ରାମର କାହାଘରେ ରହିଯାଇଥିବ । ହେଲେ କୌଣସି ସନ୍ଧାନ ନ ମିଳିବାରୁ ଉଭୟ ପରିବାରବର୍ଗ ଓ ଗ୍ରାମବାସୀ ମିଳିତ ଭାବେ ବହୁ ଖୋଜାଖୋଜି କରିଥିଲେ । ଶେଷରେ ପାଖାପାଖି ବିଳମ୍ବିତ ସନ୍ଧ୍ୟା ୮ଘଣ୍ଟା ପରେ ସନ୍ଦେହ କରି ବିଦ୍ୟାଳୟର ଏସ୍‌ଏମ୍‌ସି ସଭାପତିଙ୍କ ଠାରୁ ଚାବି ଆଣି ବିଦ୍ୟାଳୟ ଖୋଲିଥିଲେ । ଶେଷରେ ଖୋଜାଖୋଜି ପରେ ଛାତ୍ରୀ ଜଣକ ଶୋଇବା ଅବସ୍ଥାରେ ଉଦ୍ଧାର କରିଥିଲେ । ପ୍ରକାଶ ଯେ, ଛାତ୍ରୀ ଜଣକ ମୁକ ଅଟନ୍ତି । ସେ କଥା କହିପାରୁ ନଥିବାର ଜଣାପଡିଛି । ମଙ୍ଗଳବାର ଖବର ପ୍ରଚାରିତ ହେବାପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ଚିକିତ୍ସାଳୟରେ ଛାତ୍ରୀ ଜଣକ ସ୍ୱାସ୍ଥ୍ୟ ପରୀକ୍ଷଣ କରାଯାଇଥିଲା । ଛାତ୍ରୀ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ଡାକ୍ତର କହିବା ପରେ ନିଜ ଘରକୁ ଫେରାଇ ନେଇଥିଲେ ମଧ୍ୟ ଆଜି ପୁଣି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଧିକା ଚିକିତ୍ସା ନିମନ୍ତେ ନିଆଯାଉଥିବାର ଛାତ୍ରୀଙ୍କ ପରିବାର ବର୍ଗଙ୍କ ସୂତ୍ରରୁ ପ୍ରକାଶ । ଏହି ଘଟଣା ଆଜି ପ୍ରଚାରିତ ହେବାପରେ ନାନାଦି ଆଲୋଚନା ହେଉଛି । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡି.କାମେୟା ଙ୍କୁ ପଚରା ଯିବାରେ କହିଛନ୍ତି ଯେ, ଭୁଲବଶତଃ ଛାତ୍ରୀ ଜଣକ ଶ୍ରେଣୀ କକ୍ଷରେ ରହିଯାଇଥିଲେ । ବିଦ୍ୟାଳୟରେ ତାଲାପକାଇବା ପୂର୍ବରୁ ସମସ୍ତ ଯାଞ୍ଚ କରିବାର ଥିଲା ହେଲେ ବର୍ଷା କାରଣରୁ ଟିକେ ତରବର ହୋଇଗଲୁ । ଯାହାକି ସମ୍ପୂର୍ଣ୍ଣ ଭାବେ ଭୁଲ ହୋଇଛି । ଏପରି ଆଉ ଭବିଷ୍ୟତରେ ଭୁଲ ହେବ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି । ସେହିପରି ଗ୍ରାମବାସୀ ଓ ଛାତ୍ରୀଙ୍କ ପରିବାରବର୍ଗ ମାନେ କହିଛନ୍ତି ଯେ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉତ୍ତମ ଶିକ୍ଷାଦାନ କରନ୍ତି କିନ୍ତୁ ଦୁର୍ଭଗ୍ୟବଶତଃ ସୋମବାର ଦିନ ଏପରି ଘଟଣା ଘଟିଥିବାର ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ