ଛାତ୍ରଛାତ୍ରୀମାନେ ବୁଲି ଦେଖିଲେ ଗାରବନ୍ଧ ଥାନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗାରବନ୍ଧ ଠାରେ ଥିବା ଶ୍ରୀ ଭେଙ୍କଟେଶ୍ବର ଉଚ୍ଚ ବିଦ୍ୟାଳୟରେ ଛାତ୍ର ପୋଲିସ କ୍ୟାଡେଟ୍ ଗଠନ ହୋଇଛି । ଗତକାଲି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ସଚେତନତା ମୂଳକ ବାର୍ତ୍ତାମାନ ଦେବା ଉଦ୍ଦେଶ୍ୟରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମନୋନୀତ ହୋଇଥିବା ପ୍ରାୟ ପଚିଶି ଜଣିଆ କ୍ୟାଡେଟ୍ ତଥା ଛାତ୍ରଛାତ୍ରୀ ମାନେ ଆଜି ଗାରବନ୍ଧ ଥାନା ପରିଦର୍ଶନ କରିଥିଲେ । ଏଥିରେ ଥାନା ଅଧିକାରୀ ଗୋବିନ୍ଦ ଗୌଡ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥାନାର କାର୍ଯ୍ୟକାରିତା, ଦକ୍ଷତା, ଲୋକଙ୍କୁ ଉପଯୁକ୍ତ ବ୍ୟବହାର କରିବା, ନିଜେ ନିଜେ ସୁରକ୍ଷିତ ରହି ସମାଜକୁ ସୁରକ୍ଷା ଦେବା, ଯେ କୌଣସି ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ଦେବା, ଭଲପାଠ ପଢି ଭବିଷ୍ୟତ ଗଠନ କରିବା, ଦେଶର ସୁରକ୍ଷା ନିମନ୍ତେ ଚିନ୍ତନ କରିବା ଆଦି ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପ୍ରଞ୍ଜାଳ ଭାବେ ବୁଝାଇଥିଲେ । ଏହାପରେ ଏହି କ୍ୟାଡେଟ୍ ମାନଙ୍କୁ ଥାନାର କାର୍ଯ୍ୟକାରିତା ସମ୍ପର୍କରେ ବୁଝାଇବାକୁ ଯାଇ ଥାନାର ପ୍ରତ୍ୟେକ କକ୍ଷ ଗୁଡିକୁ ଯାଇ ପ୍ରତ୍ୟେକ କାର୍ଯ୍ୟ ସମ୍ପର୍କରେ ଟିକିନିଖି ଭାବେ ବୁଝାଇଥିଲେ । ଏହି ଛାତ୍ରଛାତ୍ରୀମାନେ ଥାନା ପରିଦର୍ଶନ କରି ସମସ୍ତ ବିଷୟ ବସ୍ତୁ ଯାଣିବା ପରେ ବେସ୍ ଖୁସି ପ୍ରକଟ କରିଥିବାର ଲକ୍ଷ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗାରବନ୍ଧ ଥାନା ଏସ୍ଆଇ ଚନ୍ଦ୍ରକାନ୍ତ ପ୍ରଧାନ ପ୍ରମୁଖଙ୍କ ସମେତ ସମସ୍ତ ପୋଲିସକର୍ମଚାରୀ ଉପସ୍ଥିତ ରହିଥିଲେ । ସେହିପରି ବିଦ୍ୟାଳୟ ତରଫରୁ ଅଭିନ୍ନ ବାସୁଦେବ ମିଶ୍ର, ସମୀର ପଟ୍ଟନାୟକ ପ୍ରମୁଖଙ୍କ ସହ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତଥିଲେ । ଏହି କାର୍ଯ୍ୟକ୍ରମ ଗାରବନ୍ଧ ଥାନା ଏବଂ ଶ୍ରୀ ଭେଙ୍କଟେଶ୍ବର ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବାର ଜଣାପଡିଛି ।


