ଭୋଟର ପରିଚୟପତ୍ର ଓ ଆଧାର ସଂଯୋଗୀକରଣ କାର୍ଯ୍ୟକ୍ରମ

ବାଲେଶ୍ୱର, (ସରୋଜ ପଣ୍ଡା):ଭୋଟର ପରିଚୟପତ୍ର ସହ ଆଧାର ନମ୍ବର ସଂଯୋଗୀକରଣ ଏବଂ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଲାଗୁ ହୋଇଥିବା ନୂତନ ବ୍ୟବସ୍ଥା ସମ୍ପର୍କିତ ଏକ ବୈଠକ ଆଜି ପୂର୍ବାହ୍ନରେ ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଦତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରାଳୟ ଦ୍ୱାରା ଜନପ୍ରତିନିଧି ଅଧିନିୟମ-୧୯୫୦/୫୧ରେ କେତେକ ସଂଶୋଧନ ସମ୍ବନ୍ଧରେ ସୂଚନା ଦିଆଯାଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ କିଶୋର ଚନ୍ଦ୍ର ସ୍ୱାଇଁ, ସହକାରୀ ନିର୍ବାଚନ ଅଧିକାରୀ ଶ୍ରୀମତୀ ସ୍ୱାଗତିକା ଦାସ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ଉଦ୍ଦିଷ୍ଟ ପଞ୍ଜୀକରଣ ଫର୍ମରେ କରାଯାଇଥିବା ସଂଶୋଧନ ସମ୍ପର୍କରେ ଏହି ବୈଠକରେ ଅବଗତ କରାଯାଇଥିଲା । ଏହି ଅବସରରେ ନୂତନ ରୂପାନ୍ତରିତ ପଞ୍ଜୀକରଣ ଫର୍ମର ଉନ୍ମୋଚନ କରାଯିବା ସହିତ ୨୦୨୨ ମସିହା ଅଗଷ୍ଟ ୧ତାରିଖରୁ ଏହା କାର୍ଯ୍ୟକାରୀ ହୋଇଥିବା ନେଇ ସୂଚନା ଦିଆଯାଇଥିଲା । ପରିବର୍ତିତ ବ୍ୟବସ୍ଥାରେ ଫର୍ମ ନଂ-୬ରେ କେବଳ ନୂତନ ଭୋଟରଙ୍କ ପଞ୍ଜୀକରଣ କରାଯିବାକୁ ଥିବା ବେଳେ ଭୋଟର ତାଲିକାରୁ ନାମ ବାଦ ଦେବା କିମ୍ବା ନାମ ଅନ୍ତର୍ଭୁକ୍ତ ଥିଲେ ଆପତି-ଅଭିଯୋଗ କରିବା ପାଇଁ ଫର୍ମ ନଂ-୭ରେ ଆବେଦନ କରିହେବ । ବର୍ତମାନ ଫର୍ମ-୭ ସହ ମୃତ୍ୟୁ ପ୍ରମାଣପତ୍ର ସଂଲଗ୍ନ କରାଯିବ । ସେହିପରି ନିର୍ବାଚନ ମଣ୍ଡଳୀ ମଧ୍ୟରେ କିମ୍ବା ବାହାରକୁ ବାସସ୍ଥାନ ସ୍ଥାନାନ୍ତରଣ ନିମନ୍ତେ, ଭୋଟର ତାଲିକାରେ ଥିବା ବିବରଣୀର ସଂଶୋଧନ ନିମନ୍ତେ ଏବଂ ଭୋଟର ପରିଚୟ ପତ୍ର ବଦଳ କରିବା ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ଚିହ୍ନଟ ନିମନ୍ତେ ଫର୍ମ ନଂ-୮କୁ ବ୍ୟବହାର କରିହେବ । ଜନପ୍ରତିନିଧି ଅଧିନିୟମ-୧୯୫୦ର ଧାରା ୨୩ରେ ସଂଶୋଧନ କରାଯାଇ ପ୍ରଚଳିତ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଭୋଟର ଏବଂ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିବାକୁ ଥିବା ଭୋଟରମାନେ ସେମାନଙ୍କ ଆଧାର ବିବରଣୀ ସ୍ୱେଚ୍ଛାକୃତ ଭାବେ ପ୍ରଦାନ କରିବେ । ଏଥି ନିମନ୍ତେ ନିର୍ବାଚନ ପଞ୍ଜୀକରଣ ଆଇନ-୧୯୬୦ରେ ସଂଶୋଧନ କରାଯାଇଛି । ତା ୧/୪/୨୦୨୩ ରିଖ ସୁଦ୍ଧା ଭୋଟର ତାଲିକାଭୁକ୍ତ ହୋଇଥିବା ଭୋଟରମାନେ ସେମାନଙ୍କର ଆଧାର ନମ୍ବର ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କୁ ଜଣାଇବେ । ଆଧାର ବିବରଣୀ ଦାଖଲ କରିବା ନିମନ୍ତେ ଏକ ନୂତନ ଫର୍ମ ୬(ଖ) ପ୍ରଚଳନ କରାଯାଇଛି । ଏହି ଫର୍ମ ନିର୍ବାଚନ ଆୟୋଗଙ୍କ ୱେବ୍‌ସାଇଟ୍‌, ମଧ୍ୟ ଉପଲବଧ ହେବ । ବୁଥସ୍ତରୀୟ ଅଧିକାରୀମାନେ ସ୍ଥାନୀୟ ଅଂଚଳ ଗସ୍ତ କରି ଭୋଟର ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ ଲାଗି ତଥ୍ୟ ସଂଗ୍ରହ କରିବା ସହିତ ପ୍ରତି ଶନିବାର ଦିନ ବୁଥରେ ଉପସ୍ଥିତ ରହି ଭୋଟରଙ୍କୁ ସହାୟତା କରିବାକୁ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ପରାମର୍ଶ ଦେଇଥିଲେ । ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ବର୍ତମାନ ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଗୋଟିଏ ଯୋଗ୍ୟତାସୂଚକ ତାରିଖ ପରିବର୍ତେ ୪ ଗୋଟି ଯୋଗ୍ୟତାସୂଚକ ତାରିଖ ଯଥା ଜାନୁଆରୀ ୧ତାରିଖ, ଅପ୍ରେଲ ୧ତାରିଖ, ଜୁଲାଇ ୧ତାରିଖ ଏବଂ ଅକ୍ଟୋବର ୧ତାରିଖ ରଖାଯାଇଛି । ଉପରୋକ୍ତ ତାରିଖମାନଙ୍କ ମଧ୍ୟରୁ ଯେ କୌଣସି ତାରିଖରେ ୧୮ ବର୍ଷ ବୟସ ହେଉଥିଲେ ଯୁବକ-ଯୁବତୀ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିପାରିବେ । ଜିଲ୍ଲାପାଳ ଏ ସବୁ ସମ୍ପର୍କରେ ଅବଗତ କରାଇବା ସହ ଆଧାର ସଂଯୋଗୀକରଣ ଦ୍ୱାରା ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଏହା ବେଶ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ଉପଜିଲ୍ଲାପାଳ ଶ୍ରୀ କିଶୋର ଚନ୍ଦ୍ର ସ୍ୱାଇଁ ଏହି କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଉପସ୍ଥିତ ବୁଥସ୍ତରୀୟ ଅଧିକାରୀମାନଙ୍କୁ ନୂତନ ଫର୍ମଗୁଡିକୁ ପ୍ରଦାନ କରାଯାଇଥିଲା । ସହକାରୀ ନିର୍ବାଚନ ଅଧିକାରୀ ସ୍ୱାଗତିକା ଦାସ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ସୂଚନା ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ