ମଣିପୁରରେ ପୁଣି ଏଏଫଏସପିଏ
ଜାତିଗତ ଦଙ୍ଗାର ଅଗ୍ନିରେ ଦଳିବାର ପାଂଚ ମାସ ମଧ୍ୟରେ ମଣିପୁରରେ ବର୍ତମାନ ସୁଦ୍ଧା ସରକାରୀ ଭାବେ ୧୭୦ ଜଣଙ୍କର ଜୀବନୀ ହାନୀ ଘଟିଥିବା କୁହାଯାଇଥିବାବେଳେ ବେସରକାରୀ ରିପୋର୍ଟ ଅନୁସାରେ ମୃତ୍ୟୁ ସଂଖ୍ୟା ଢେର ଅଧିକ ବୋଲି କୁହାଯାଇଛି । ସେହିପରି ହଜାର ହଜାର ବାସଗୃହରେ ହିଂସାକାରୀମାନେ ନିଆଁ ଲଗାଇଥିବାବେଳେ ବାସହରା ହୋଇ ହଜାର ହଜାର ପରିବାର ପଡୋଶୀ ରାଜ୍ୟକୁ ପଳାଇ ଯାଇଛନ୍ତି । ରାଜ୍ୟରେ ସଂଘଟିତ ଦଙ୍ଗା ପରିସ୍ଥିତି ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ବାହିନୀକୁ ମୁତୟନ କରାଯିବା ଏବଂ ହତ୍ୟା, ଦୁଷ୍କର୍ମ ଓ ହିଂସା ଘଟଣାର ତଦନ୍ତ ସିବିଆଇକୁ ଦିଆଯାଇଥିବା ସତ୍ୱେ ମଝିରେ ମଝିରେ ରାଜ୍ୟର ବିଭିନ୍ନ ଅଂଚଳରେ ବିଭତ୍ସ ହତ୍ୟା ଓ ଦୁଷ୍କର୍ମ ରିପୋର୍ଟ ପ୍ରକାଶ ପାଇଛି, ପରିସ୍ଥିତି ଯେ ଶାନ୍ତ ପଡିନାହିଁ, ନିୟନ୍ତ୍ରଣଧୀନ ହୋଇନାହିଁ, ଏହା ନିସନ୍ଦେହରେ କୁହଯାଇପାରିବ । ତେବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆଉ ୬ମାସ ପାଇଁ ରାଜ୍ୟର ପାହାଡିଆ ଅଂଚଳରେ ଆର୍ମଡଫୋସେସସ୍ (ସ୍ପେସିଆଲ ପାୱାର) ଆକ୍ଟ (ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ) (ଏଏଫଏସପିଏ) ଗଲା ପହିଲାରୁ ଲାଗୁ ହୋଇଛି । ତେବେ ରାଜଧାନୀ ଇମ୍ପାଲ ଅଂଚଳରେ ଥିବା ୧୯ଟି ଥାନା ଅଂଚଳକୁ ଏଥିରୁ ବାଦ୍ ଦିଆଯାଇଛି । ବିଶୃଙ୍ଖଳିତ ଅଂଚଳରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସଶସ୍ତ୍ରବାହିନୀକୁ ଆଇନ ଅନୁଯାୟୀ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ସ୍ୱତନ୍ତ୍ର ମଣିପୁର ରାଜ୍ୟ ଗଠିତ ହେବା ପରେ ବିଦ୍ରୋହୀଙ୍କ କାର୍ଯ୍ୟକାଳାପ ନିୟନ୍ତ୍ରଣ ପାଇଁ ସମଗ୍ର ରାଜ୍ୟରେ (ଏଏଫଏସପିଏ) ଆଇନ ଲାଗୁ କରାଯାଇଥିଲା । ତେବେ ସ୍ୱତନ୍ତ୍ର କ୍ଷମତା ପ୍ରାପ୍ତ ସଶସ୍ତ୍ର ବାହିନୀର ଜୁଲୁମକୁ ବିରୋଧ ଦଳମାନଙ୍କଠାରୁ ଆରମ୍ଭ ସାମାଜିକ କର୍ମୀ, ସ୍ୱେଚ୍ଛାସେବୀ ଦୃଢ ବିରୋଧ କରିଥିଲେ । ଏବେ ପୁଣି ଦୀର୍ଘ ବର୍ଷ ପରେ କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର କରିନେଇଥିଲେ । ଏବେ ପୁନର୍ବାର ଆଇନ ଆଉ ୬ମାସ ପାଇଁ ଲାଗୁ ହେବା ନିଷ୍ପତିକୁ ସହଜରେ ବିରୋଧି ଦଳଗୁଡିକ ଠାରୁ ଆରମ୍ଭ କରି ସାମାଜିକ କର୍ମୀ, ସ୍ୱେଚ୍ଛାସେବୀମାନେ ଗ୍ରହଣ କରି ପାରୁନଥିବା କୁହାଯାଏ । ଗୋଟିଏ ପଟେ ରାଜ୍ୟର ଦୁଇ ସଂପ୍ରଦାୟ କୁକି ଓ ମୈତ୍ରେଇ ମଧ୍ୟରେ ଳାଗିଥିବା ଜାତିଗତ ହିଂସା ଥମି ନଥିବାବେଳେ ଏଏଫଏସପିଏ ଆଇନ ଲାଗୁ ପରିସ୍ଥିତିକୁ ଆହୁରି ବିଗାଡି ଦେଇଥିବା କୁହାଯାଏ । ଏହା ନିଶ୍ଚିତ ଯେ, ହିଂସାକାଣ୍ଡରେ ଉଭୟ ସଂପ୍ରଦାୟର ବହୁଜୀବନ ହାନୀ ଘଟିଥିବାବେଳେ କୁକି ସଂପ୍ରଦାୟ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । କୁକି ସଂପ୍ରଦାୟର ଦୁଇଜଣ ମହିଳାଙ୍କୁ ଗଣଦୁଷ୍କର୍ମ କରାଯିବା ସହ ଉଲଗ୍ନ କରି ରାସ୍ତାରେ ଚଳାଇବା ଘଟଣା ସମଗ୍ର ଦେଶରେ ଘୋର ଆଲୋଡନ ସୃଷ୍ଟି କରିଥିଲା । ଏହି ଘଟଣା ମନରୁ ଲିଭିନଥିବା ବେଳେ ଗତ ମାସରେ ମୈତ୍ରେଇ ସଂପ୍ରଦାୟର ଦୁଇଜଣ କଲେଜ ପଢୁଆ ଛାତ୍ରଛାତ୍ରୀଙ୍କୁ ଅପହରଣ ଓ ସେମାନେ ନିଖୋଜ ହେବା ଘଟଣା ପୁଣି ରାଜ୍ୟ ସରକାର ବିଫଳତାକୁ ସ୍ମରଣ କରାଇଦେଇଛି । ଏହା ସତ୍ୟ ଯେ, ଗଲା ମେ’ ମାସରୁ ରାଜ୍ୟରେ ଲାଗି ରହିଥିବା ଜାତିଗତ ଦଙ୍ଗା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂହଙ୍କ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପକ୍ଷପାତମୂଳକ ମନୋଭବ ଏହାର କାରଣ ବୋଲି କୁହାଯାଇପାରେ । ମୁଖ୍ୟମନ୍ତ୍ରୀ ହେଉଛନ୍ତି ମୈତ୍ରେଇ ସଂପ୍ରଦାୟର ଭାବେ ପରିଚିତ । ରାଜ୍ୟର ୬୦ଜଣିଆ ବିଧାନସଭାରେ ମୈତ୍ରେଇ ସଂପ୍ରଦାୟର ୩୨ଜଣ ବିଧାୟକ ଥିବା କୁହାଯାଇଥିବାବେଳେ ମନ୍ତ୍ରୀମଣ୍ଡଳକୁ ଅର୍ଦ୍ଧାଧିକ ସଦସ୍ୟ ଅଛନ୍ତି । ପୋଲିସ ହେପାଜତରୁ କୁକି ସଂପ୍ରଦାୟର ଲୋକଙ୍କ ଚଡାଇ ନେଇ ହତ୍ୟା କରାଯାିଥିବା ରିପୋର୍ଟ ପ୍ରକାଶ ପାଇଛି । ରାଜ୍ୟ ପ୍ରଶାସନରେ ମୈତ୍ରେଇ ସଂପ୍ରଦାୟ ଅତ୍ୟନ୍ତ ପ୍ରଭାବଶାଳୀ ଥିବାରୁ ପୋଲିସ ପ୍ରଶାସନ ଚାପରେ ଥିବା କୁହାଯାଏ । ଯେଉଁଥିପାଇଁ କି ପୋଲିସ ସୁରକ୍ଷାରେ ଥିବା କୁକି ସଂପ୍ରଦାୟର ଲୋକଙ୍କୁ ଯୋର ଜବରଦସ୍ତ ଛଡାଇ ନେଇ ଅତ୍ୟାଚାର କରିବା, ହତ୍ୟା କରିବାକୁ ସମର୍ଥ ହୋଇଛନ୍ତି । ଏହା ସତ୍ୟ ଯେ, ରାଜ୍ୟରେ ଗତ ୫ମାସ ଧରି ହିଂସାକାଣ୍ଡ, ପୋଡାଜଳା ଲାଗି ରହିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି କୁହାଯାଇପାରିବ । କେବଳ ଏତିକି ନୁହେଁ, ମୁଖ୍ୟମନ୍ତ୍ରୀ ବିରେନ ସିଂହ ରାଜଧର୍ମ ପାଳନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସ୍ୱୀକାର କରିବାକୁ ହେବ । ତେବେ ତାଙ୍କୁ ରାଜଧର୍ମ ପାଳନ କରିବା ପାଇଁ ବିଜେପି ନେତୃତ୍ୱ କିମ୍ବା ସରକାର ନିର୍ଦ୍ଦେଶ ନଦେଇ ନୀରବ ରହିବା ଅତ୍ୟନ୍ତ ବିସ୍ମୟ ଜନକ । ସେହିପରି ପ୍ରବଳ ଦାବି ସତ୍ୱେ ମୁଖ୍ୟମନ୍ତ୍ରୀ ଇସ୍ତଫା ନଦେବା ଏବଂ ରାଜ୍ୟରେ ବିଜେପି ନେତୃତ୍ୱ ପରିବର୍ତନ ନକରିବାର କାରଣ ମଧ୍ୟ ବୁଝାପଡୁନାହିଁ । ଏବେ କେନ୍ଦ୍ର ସରକାର ରାଜ୍ୟରେ ୬ମାସ ପାଇଁ ସଶସ୍ତ୍ର ଫୋର୍ସ(ସ୍ୱତନ୍ତ୍ର କ୍ଷମତା) ଆଇନ ଲାଗୁ କରିଛନ୍ତି । ତେବେ ସଶସ୍ତ୍ର ବାହିନୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ କେତେଦୂର ସଫଳ ହେଉଛି, ତାହା ଭବିଷ୍ୟତ ହିଁ କହିବ । କିନ୍ତୁ ଏହା ନିଶ୍ଚିତ ଯେ, ମଣିପୁର ପରିସ୍ଥିତି ଆହୁରି ବିଗିଡିଯିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେବା ଉଚିତ ନୁହେଁ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,
ପ୍ଲଟ ନଂ-୫୮/୩୫୮୧, ଗାଙ୍ଗୋତ୍ରୀ ନଗର,
ରୋଡ ନଂ-୩, ଶିଶୁପାଳଗଡ,-୭୫୧୦୦୨
ମୋବାଇଲ ନଂ-୯୪୩୭୯୯୪୩୭୯