ମମିତା ଭଳି ମାନସ: ହତ୍ୟା ପଛର କାରଣ ଅଶ୍ଳୀଳ ଭିଡିଓ : ମାନସ ହତ୍ୟାର ଗୁମର ଖୋଲୁଛି, ମମିତାର ଲୁଚିଗଲା

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :ବହୁ ଚର୍ଚ୍ଚିତ କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପରେ ଏବେ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଜୋର୍ ଧରିଛି। ଦୁଇଟି ବୀଭତ୍ସ ହତ୍ୟା ଘଟଣା ଭିତରେ ବେଶ୍ ସାମଞ୍ଜସ୍ୟ ଥିବା ଦେଖିବାକୁ ମିଳିଛି। ଏହି ଦୁଇଟି ହତ୍ୟାକାଣ୍ଡ ପଛରେ ମେମୋରି ଚିପ୍‌ରେ ଅଶ୍ଳୀଳ ଭିଡିଓ ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି । ବଡ଼ କଥା ହେଲା, ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଓ ପ୍ରଭାବଶାଳୀଙ୍କ ସମ୍ପୃକ୍ତି ନେଇ ବେଶ୍ କିଛି ମାସ ଧରି ରାଜ୍ୟ ଉଠିଲା ପଡ଼ିଲା। ଆଉ ଏବେ ମାନସ ସ୍ବାଇଁ ହତ୍ୟା ଘଟଣାରେ ପ୍ରଭାବଶାଳୀଙ୍କ ସମ୍ପୃକ୍ତି ପଦାକୁ ଆସିବାରେ ଲାଗିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ ଗିରଫ ହେବା ପରେ ଆହୁରି ବଡ଼ବଡ଼ିଆଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ଜୋର୍ ଧରିଛି । ମମିତା ହତ୍ୟା ମାମଲାରେ ଅଶ୍ଳୀଳ ଭିଡିଓ କଥା ଉଠିଥିଲା। ଯୌନ କେଳେଙ୍କାରୀର ଅଶ୍ଳୀଳ ଭିଡିଓକୁ ନେଇ ମମିତାଙ୍କୁ ହତ୍ୟା କରାଯାଇଥିବା କଥା କୁହାଯାଇଥିଲା। ଏଥିରେ ପ୍ରଭାବଶାଳୀ, ବଡ଼ବଡ଼ିଆଙ୍କ ସମ୍ପୃକ୍ତି କଥା ପଦାକୁ ଆସିଥିଲା। କିନ୍ତୁ ପୁଲିସ ତଦନ୍ତ ଗୋବିନ୍ଦ ସାହୁ ଓ ତା’ ଡ୍ରାଇଭର୍‌ ରାଧେ ପାଖରେ ଅଟକି ଯାଇଥିଲା। ମମିତାଙ୍କୁ ହତ୍ୟା କରି ତାଙ୍କ ମୋବାଇଲ ଫୋନକୁ ଅଭିଯୁକ୍ତ ପୋଡ଼ି ଦେଇଥିଲା। ନଷ୍ଟ ହୋଇ ଯାଇଥିଲା ପ୍ରମାଣ। ଅଶ୍ଳୀଳ ଭିଡିଓ ଏବଂ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ନେଇ ସମ୍ପର୍କୀୟମାନେ ଅଭିଯୋଗ ମଧ୍ୟ ଆଣିଥିଲେ। କିନ୍ତୁ ପୁଲିସ ପରଦା ଉଠାଇ ପାରିଲାନି ବୋଲି ଚାରିଆଡ଼େ ଅଭିଯୋଗ ହୋଇଥିଲା। ଆଉ ଏବେ ମେମୋରି ଚିପ୍‌ରେ ଥିବା ଅଶ୍ଳୀଳ ଭିଡିଓ ପାଇଁ ମାନସ ସ୍ବାଇଁଙ୍କୁ ହତ୍ୟା କରାଗଲା ବୋଲି କୁହାଯାଉଛି। ଏବେ ସୁଦ୍ଧା ନିରଞ୍ଜନ ସେଠୀଙ୍କ ସମେତ ୭ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ ପୁଲିସ ହାତରେ ପ୍ରମାଣ ଲାଗି ସାରିଛି। ଗୋଟିଏ ପଟେ ମାନସ ହତ୍ୟାକାଣ୍ଡ ଉପରୁ ଗୁମର ଉଠୁଥିବା ବେଳେ ମମିତା ହତ୍ୟାକାଣ୍ଡକୁ ନେଇ ଆଉ ଥରେ ଫାଇଲ ଖୋଲିବ କି ପୁଲିସ? ବଡ଼ବଡ଼ିଆ ଓ ପ୍ରଭାବଶାଳୀଙ୍କ ସମ୍ପୃକ୍ତିକୁ ନେଇ ହେବ କି ତଦନ୍ତ? ମୁଖା ଖୋଲିଯିବା ଭୟରେ ତଦନ୍ତକୁ ସୀମିତ ରଖିଲା କି ପୁଲିସ? ଭଦ୍ରକ ପୁଲିସ ଭଳି କଳାହାଣ୍ଡି ପୁଲିସ ନିରପେକ୍ଷତା ଭାବେ ତଦନ୍ତ କରିବ କି? ବୋଲି ସାଧାରଣରେ ଚର୍ଚ୍ଚା ଓ ଆଲୋଚନା ଚାଲିଛି। ମମିତା ହତ୍ୟା ମାମଲାରେ ପୁଲିସ ତଦନ୍ତରେ ଅନେକ ଅସମାହିତ ପ୍ରଶ୍ନ ରହିଥିବା ବେଳେ ଘଟଣା ଉପରୁ ସଂପୂର୍ଣ୍ଣ ପର୍ଦ୍ଦାଫାସ୍ ହୋଇପାରି ନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ